
ସମ୍ବଲପୁର, ୨୪ ଅକ୍ଟୋବର(ହି.ସ.) – ଚଳିତ ବର୍ଷର ଶାରଦୀୟ ପୂଜା ଉତ୍ସବ ଅବସରରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରାଂଚଳରେ କିଛି ଅସାମାଜିକ ତତ୍ୱଙ୍କ ପ୍ରାଦୁର୍ଭାବକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ବହୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ମଧ୍ୟ ନୈରାଶ୍ୟତା ପ୍ରକାଶ ପାଇଛି। ସୂଚନାନୁଯାୟୀ ଅବକାରୀ ବିଭାଗର ତଥାକଥିତ ଅଧିକାରୀଙ୍କ ଉତ୍କୋଚ ଖୋର ମନୋଭାବ ଓ ନିର୍ଦ୍ଦିିଷ୍ଟ ମଦ ମାଫିଆଙ୍କ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ ଯୋଗୁଁ କିଛି କୁଚିଆଙ୍କୁ ହାତବାରିସୀ କରି ତଥାକଥିତ ମଦ ମାଫିଆ କୁଚିଣ୍ଡା ବଜାରରୁ ଆରମ୍ଭ କରି ଆଖପାଖର ବିଭିନ୍ନ ଗ୍ରାମାଂଚଳରେ ମଦର ବନ୍ୟା ସୃଷ୍ଟି କରି ପୂଜା ମାହୋଲରେ ଏକ ଭିନ୍ନ ବାତାବରଣ ସୃଷ୍ଟି କରିଥିଲା। କୁଚିଣ୍ଡା ଅଂଚଳର ତଥାକଥିତ ମଦ ମାଫିଆ ଜଣଙ୍କ ଦଶହରା ପର୍ବରେ ବହୁଳ ମଦ ବିକ୍ରି କରି ମୋଟା ଅଙ୍କର ଅର୍ଥ ବେଶ୍ ହାତ ଚିକ୍କଣ କରିଥିବା ବେଳେ ଚଳିତ ବର୍ଷ କିଛି ଅଜଣା ଯୁବକ କୁଚିଣ୍ଡା ଅଂଚଳରେ ଦେହଜୀବୀଙ୍କ ଆସର ଖୋଲି ସ୍ଥାନୀୟ ଯୁବଗୋଷ୍ଠୀଙ୍କୁ ବାଟବଣା କରିଥିବା ଭଳି ଅଭିଯୋଗ ଏବେ ଦାଣ୍ଡରେ ପଡି ହାଟରେ ଗଡିବା ସଦୃଶ୍ୟ ହୋଇଛି। ଚଳିତ ବର୍ଷ ଶାରଦୀୟ ପୂଜା ଭିଡକୁ ଦୃଷ୍ଟିରେ ରଖି କିଛି ଅଜଣା ଅସାମାଜିକ ଯୁବକମାନେ ଦୂର ଦୁରାନ୍ତରୁ କିଛି ଦେହଜୀବୀଙ୍କୁ ଆଣି ବଜାରରେ ବୁଲାଇବା, ଆଖପାଖରେ ଭଡା ଘର ଓ ହୋଟେଲ ଖୋଜିବା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ଏକ ଅସ୍ଥିର ବାତାବରଣ ସୃଷ୍ଟି ହୋଇଥିଲା। ସମ୍ବଲପୁର ଜିଲ୍ଲାରେ କୁଚିଣ୍ଡାର ଏକ ସ୍ୱତନ୍ତ୍ର ପରିଚୟ ରହିଆସିଥିବା ବେଳେ ବିଭିନ୍ନ ଗାଁ ଗହଳିରେ ମଦର ବନ୍ୟା ଓ ଯୁବଗୋଷ୍ଠୀଙ୍କୁ ଦେହଜୀବୀଙ୍କ ପ୍ରତି ଆକର୍ଷିତ କରାଇ ଅର୍ଥ ରୋଜଗାର କରାଯିବା ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷର କାରଣ ପାଲଟିଥିଲା। ଦଶହରା ପର୍ବ ସରିଗଲାଣି, ମାତ୍ର ଚଳିତ ବର୍ଷ କୁଚିଣ୍ଡାରେ ଅବାଧ ମଦ କାରବାର ଓ ଦେହଜୀବୀଙ୍କ ଆସରକୁ ନେଇ ବିଭିନ୍ନ ମହଲରେ ଜୋରଦାର ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ଜାରି ରହିଛି। ପୂଜା ମାହୋଲରେ ଯଦି ଏଭଳି ଅବ୍ୟବସ୍ଥା ହୋଇଥିଲା ତେବେ ପ୍ରଶାସନ ନଜରକୁ ନଆଣି ନିର୍ଦ୍ଧିଷ୍ଟ କିଛି ସୋସିଆଲ ମିଡିଆ ଏହାକୁ ପ୍ରଚାର କରିବା ଘଟଣାକୁ ନିର୍ଦ୍ଧିଷ୍ଟ କିଛି ଗୋଷ୍ଠୀ ନାପସନ୍ଦ କରିଥିବାବେଳେ ଘଟଣାର ବାସ୍ତବତାକୁ ପ୍ରଶାସନ ତଦନ୍ତ କରିବା ଆବଶ୍ୟକ ବୋଲି କିଛି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ