ଦେଶରେ ୧୧ କୋଟି ଫାର୍ମର ଆଇଡି ପ୍ରସ୍ତୁତି ଲକ୍ଷ୍ୟ ପାଞ୍ଚ ମାସ ପୂର୍ବରୁ ହିଁ ପୂରଣ ହୋଇଛି: ଶିବରାଜ ସିଂହ ଚୌହାନ
ନୂଆଦିଲ୍ଲୀ, ୨୪ ଅକ୍ଟୋବର (ହି.ସ.)। କେନ୍ଦ୍ରୀୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ସରକାର ନିର୍ଦ୍ଧାରିତ ସମୟସୀମାର ପାଞ୍ଚ ମାସ ପୂର୍ବରୁ ହିଁ ୧୧ କୋଟି କୃଷକଙ୍କ ସ୍ୱତନ୍ତ୍ର ଡିଜିଟାଲ ପରିଚୟପତ୍ର (ଫାର୍ମର ଆଇଡି) ପ୍ରସ୍ତୁତ କରିବାର ଲକ୍ଷ୍ୟ ହାସଲ କରିଛି। ଏହାକୁ ସ
नई दिल्ली में सोमवार को भाजपा मुख्यालय में पत्रकार वार्ता को संबोधित करते केंद्रीय कृषिमंत्री शिवराज सिंह चौहान।


ନୂଆଦିଲ୍ଲୀ, ୨୪ ଅକ୍ଟୋବର (ହି.ସ.)। କେନ୍ଦ୍ରୀୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ସରକାର ନିର୍ଦ୍ଧାରିତ ସମୟସୀମାର ପାଞ୍ଚ ମାସ ପୂର୍ବରୁ ହିଁ ୧୧ କୋଟି କୃଷକଙ୍କ ସ୍ୱତନ୍ତ୍ର ଡିଜିଟାଲ ପରିଚୟପତ୍ର (ଫାର୍ମର ଆଇଡି) ପ୍ରସ୍ତୁତ କରିବାର ଲକ୍ଷ୍ୟ ହାସଲ କରିଛି। ଏହାକୁ ସେ ‘ବିକଶିତ ଭାରତ-ସମୃଦ୍ଧ କୃଷକ’ର ଦୃଷ୍ଟିକୋଣ ଦିଗରେ ଏକ ଐତିହାସିକ ସଫଳତା ବୋଲି ଅଭିହିତ କରିଛନ୍ତି।

ଶିବରାଜ ଶନିବାର କହିଛନ୍ତି ଯେ, ଦେଶର କୃଷି କ୍ଷେତ୍ରରେ ଡିଜିଟାଲ୍ ବିପ୍ଳବକୁ ନୂଆ ଗତି ଦେଇ ଅକ୍ଟୋବର ୨୩ ତାରିଖ ରାତି ସୁଦ୍ଧା ଦେଶରେ ୧୧ କୋଟି ଫାର୍ମର ଆଇଡି ପ୍ରସ୍ତୁତ କରିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହି ଲକ୍ଷ୍ୟକୁ ୨୦୨୭ ମାର୍ଚ୍ଚ ୩୧ ସୁଦ୍ଧା ହାସଲ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱିତ ପ୍ରୟାସ ଯୋଗୁଁ ଏହାକୁ ପାଞ୍ଚ ମାସ ପୂର୍ବରୁ ହିଁ ପୂରଣ କରାଯାଇଛି।

କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ‘ଡିଜିଟାଲ୍ କୃଷି ମିଶନ’ ଅଧୀନରେ ହାସଲ ହୋଇଥିବା ଏହି ସଫଳତା ଦେଶର ଅନ୍ନଦାତାଙ୍କୁ ସରକାରୀ ଯୋଜନା, ବ୍ୟାଙ୍କ ଋଣ, ଫସଲ ବୀମା ଏବଂ ବିପର୍ଯ୍ୟୟ ସହାୟତାର ଲାଭ ସ୍ୱଚ୍ଛ ଓ ତ୍ୱରିତ ଭାବରେ ସିଧାସଳଖ ପହଞ୍ଚାଇବାର ପଥ ପ୍ରଶସ୍ତ କରିବ। ଏଥିପାଇଁ କୃଷକମାନଙ୍କୁ ଆଉ କାଗଜପତ୍ର ନେଇ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ।

କୃଷି ମନ୍ତ୍ରୀ କହିଛନ୍ତି ଯେ, କୃଷକଙ୍କ ସ୍ୱତନ୍ତ୍ର ପରିଚୟପତ୍ର ପ୍ରସ୍ତୁତ ହେବା ଦ୍ୱାରା ସରକାରୀ ଯୋଜନାର ଲାଭ ପାଇବା ସମୟରେ ଚାଷୀମାନଙ୍କୁ ହେଉଥିବା କାଗଜପତ୍ର ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବ। ପୂର୍ବରୁ ବିଭିନ୍ନ ଯୋଜନାର ଲାଭ ପାଇବା ପାଇଁ କୃଷକମାନଙ୍କୁ ବାରମ୍ବାର ଦସ୍ତାବିଜ ଦାଖଲ କରିବା ସହ ଯାଞ୍ଚ ପ୍ରକ୍ରିୟା ପାଇଁ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ୁଥିଲା। ଡିଜିଟାଲ୍ ପରିଚୟ ବ୍ୟବସ୍ଥା ଦ୍ୱାରା ଏହି ପ୍ରକ୍ରିୟାଗୁଡ଼ିକୁ ଅଧିକ ସରଳ, ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବାରେ ସହାୟତା ମିଳିବ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande