
ଡେରାଡୁନ୍, ୨୪ ଅକ୍ଟୋବର (ହି.ସ.) ଉତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ଜାତୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଉତରାଖଣ୍ଡର ଲୋକଙ୍କୁ ନେଇ ଦେଇଥିବା ଏକ ବୟାନକୁ କେନ୍ଦ୍ର କରି ରାଜନୈତିକ ଲଢେଇ ଆରମ୍ଭ ହୋଇଛି। ଅଖିଳେଶଙ୍କ ଏହି ବୟାନକୁ ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କଡ଼ା ସମାଲୋଚନା କରି ଏହାକୁ ଦେବଭୂମିର ସ୍ୱାଭିମାନ ଏବଂ ଏଠାକାର ଲୋକଙ୍କ ଅପମାନ ବୋଲି କହିଛନ୍ତି।
ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ଅଖିଳେଶ କହିଥିଲେ ଯେ, ‘ସବୁଠାରୁ ବଡ଼ ଅନୁପ୍ରବେଶକାରୀ ଉତର ପ୍ରଦେଶରେ କିଏ ଅଛନ୍ତି, ଉତରାଖଣ୍ଡର ଲୋକ। ତେଣୁ ଅନୁପ୍ରବେଶକାରୀଙ୍କୁ ପରିଭାଷିତ କରିବାକୁ ପଡ଼ିବ।
ଧାମୀ ଏହି ବୟାନର ପାଲଟା ଜବାବ ଦେଇ ସୋସିଆଲ ମିଡିଆ ମଂଚ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି ଯେ ଉତରାଖଣ୍ଡ ଦେବଭୂମି ସହିତ ବୀରଭୂମି ମଧ୍ୟ। ଏହି ପବିତ୍ର ଭୂମି ଦେଶକୁ ଅନେକ ସନ୍ଥ, ସୈନିକ ଏବଂ ରାଷ୍ଟ୍ରସେବା ପାଇଁ ସମର୍ପିତ ବ୍ୟକ୍ତିତ୍ୱ ଦେଇଛି। ଉତରାଖଣ୍ଡର ଲୋକଙ୍କୁ ଅନୁପ୍ରବେଶକାରୀ କହିବା ରାଜ୍ୟର ଗୌରବ ଏବଂ ସେମାନଙ୍କ ସଂଘର୍ଷର ଅପମାନ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଧାମୀ ଉତରାଖଣ୍ଡ ରାଜ୍ୟ ଆନ୍ଦୋଳନ ସମୟରେ ମୁଜାଫରନଗରର ରାମପୁର ତିରାହାରେ ହୋଇଥିବା ଗୁଳିକାଣ୍ଡର ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଅଖିଳେଶ ଯାଦବଙ୍କ ପିତା ମୁଲାୟମ ସିଂହ ଯାଦବ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ପୃଥକ ଉତରାଖଣ୍ଡ ରାଜ୍ୟ ଦାବି କରୁଥିବା ଆନ୍ଦୋଳନକାରୀଙ୍କ ଉପରେ ରାମପୁର ତିରାହାରେ ଗୁଳି ଚଳାଯାଇଥିଲା। ରାଜ୍ୟ ଆନ୍ଦୋଳନ ସମୟରେ ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚଳାଯାଇଥିବା ଘଟଣାକୁ ଉତରାଖଣ୍ଡର ଲୋକମାନେ ଆଜି ମଧ୍ୟ ଭୁଲିନାହାନ୍ତି।
ସେ ପ୍ରଶ୍ନ କରିଛନ୍ତି ଯେ ଯେଉଁ ରାଜ୍ୟର ଲୋକମାନେ ପୃଥକ ରାଜ୍ୟ ପାଇଁ ସଂଘର୍ଷ ଏବଂ ବଳିଦାନ ଦେଇଥିଲେ, ସେମାନଙ୍କୁ ଏବେ ଅନୁପ୍ରବେଶକାରୀ କୁହାଯାଉଛି।
ଧାମୀ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି ଯେ ତାଙ୍କ ରାଜନୈତିକ ସହଯୋଗୀ ଅଖିଳେଶ ଯାଦବଙ୍କ ଏହି ବୟାନକୁ ଦଳ ସମର୍ଥନ କରୁଛି କି ଏବଂ ଉତରାଖଣ୍ଡର ଲୋକଙ୍କୁ ଅନୁପ୍ରବେଶକାରୀ କହିବା ତାଙ୍କ ପାଇଁ ଗ୍ରହଣୀୟ କି? ଏହି ପ୍ରସଙ୍ଗରେ କଂଗ୍ରେସ ରାଜ୍ୟବାସୀଙ୍କ ସମ୍ମୁଖରେ ନିଜର ମତ ସ୍ପଷ୍ଟ କରିବା ଉଚିତ ବୋଲି ସେ କହିଛନ୍ତି।
--------
ହିନ୍ଦୁସ୍ଥାନ ସମାଚାର / ଗଗନ