ସମନ୍ୱିତ ଆଂଚଳିକ ଯାତାୟାତ ଯୋଜନା ସୁଗମ ଓ ସ୍ଥାୟୀ ସହର ବିକାଶର ଆଧାର
. ୟୁ ଏମ୍ ଆଇର ସ୍ୱତନ୍ତ୍ର ଅଧିବେଶନରେ ସମନ୍ୱିତ ଜନପରିବହନ ଓ ଶେଷ ପର୍ଯ୍ୟାୟର ସଂଯୋଗ ଉପରେ ଗୁରୁତ୍ୱ ଭୁବନେଶ୍ୱର, ୨୪ ଅକ୍ଟୋବର (ହି.ସ)- ସଂଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଯାତାୟାତକୁ ସୁଗମ କରିବା ଏବଂ ସ୍ଥାୟୀ ସହର ବିକାଶକୁ ଆଗେଇ ନେବା ପାଇଁ ସହର ସହିତ ଏହାର ଆଖପାଖ ଅଂଚଳକୁ ମିଶାଇ ସମନ୍ୱିତ ଯ
ସମନ୍ୱିତ ଆଂଚଳିକ ଯାତାୟାତ ଯୋଜନା ସୁଗମ ଓ ସ୍ଥାୟୀ ସହର ବିକାଶର ଆଧାର


.

ୟୁ ଏମ୍ ଆଇର ସ୍ୱତନ୍ତ୍ର ଅଧିବେଶନରେ ସମନ୍ୱିତ ଜନପରିବହନ ଓ ଶେଷ ପର୍ଯ୍ୟାୟର ସଂଯୋଗ ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୨୪ ଅକ୍ଟୋବର (ହି.ସ)- ସଂଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଯାତାୟାତକୁ ସୁଗମ କରିବା ଏବଂ ସ୍ଥାୟୀ ସହର ବିକାଶକୁ ଆଗେଇ ନେବା ପାଇଁ ସହର ସହିତ ଏହାର ଆଖପାଖ ଅଂଚଳକୁ ମିଶାଇ ସମନ୍ୱିତ ଯାତାୟାତ ଯୋଜନା ପ୍ରସ୍ତୁତ କରିବା ଅତ୍ୟନ୍ତ ଜରୁରୀ । ଭୁବନେଶ୍ୱରରେ ଆୟୋଜିତ ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୨୬ରେ ଅକ୍ଟୋବର ୨୩ ତାରିଖରେ ଅନୁଷ୍ଠିତ ସମନ୍ୱିତ ଆଂଚଳିକ ଯାତାୟାତ ଯୋଜନା ସମ୍ପର୍କିତ ସ୍ୱତନ୍ତ୍ର ଅଧିବେଶନରେ ଏହି ମତ ପ୍ରକାଶ ପାଇଥିଲା ।

ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ବରିଷ୍ଠ ସରକାରୀ ଅଧିକାରୀ ଓ ପରିବହନ କ୍ଷେତ୍ରର ବିଶେଷଜ୍ଞମାନେ ଯୋଗଦେଇ ସହର ଓ ଏହାର ଆଖପାଖ ଅଞ୍ଚଳ ମଧ୍ୟରେ ସମନ୍ୱିତ ଯାତାୟାତ ବ୍ୟବସ୍ଥାର ବିକାଶ ଏବଂ ନାଗରିକଙ୍କ ଦୈନନ୍ଦିନ ଯାତ୍ରାକୁ ଅଧିକ ସହଜ ଓ ସୁବିଧାଜନକ କରିବା ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅଧିବେଶନରେ ଏଆରୟୁପିର ସହର ଯୋଜନା ଓ ଡିଜାଇନ୍ ମୁଖ୍ୟ ଜିଗ୍ନେଶ ମେହେଟ୍ଟା, ସିଷ୍ଟାରା ଇଣ୍ଡିଆର ସିଇଓ (ପ୍ରୋଜେକ୍ଟ ସର୍ଭିସେସ୍ ) ସନ୍ଦୀପ ଫୁଲର, ନାସନାଲ କ୍ୟାପିଟାଲ ରିଜନ ଟ୍ରାନ୍ସପୋର୍ଟ (ଏନସିଆରଟିସି)ର ପରିଚାଳନା ନିର୍ଦ୍ଦେଶକ ଶଲଭ ଗୋଏଲ, ଓଡ଼ିଶା ସରକାରଙ୍କ ପରିବହନ ଆୟୁକ୍ତ ୍ରୀ ଅମିତାଭ ଠାକୁର, ସିଙ୍ଗାପୁରର ଲାଣ୍ଡ ଟ୍ରାନ୍ସପୋର୍ଟ ଅଥରିଟି ଏକାଡେମୀର ପୂର୍ବତନ ଡିନ୍ ମୋହିନ୍ଦର ସିଂହ ଏବଂ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ୱାଳ ଉପସ୍ଥିତ ଥିଲେ।

ଆଲୋଚନାରେ ସହର ଓ ଏହାର ଆଖପାଖ ଅଂଚଳକୁ ଏକ ସଂଯୁକ୍ତ ଯାତାୟାତ କ୍ଷେତ୍ର ଭାବେ ବିଚାର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଲୋକମାନେ ରହୁଥିବା, କାର୍ଯ୍ୟ କରୁଥିବା ଓ ଶିକ୍ଷା ତଥା ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଯାତାୟାତ କରୁଥିବା ଅଂଚଳଗୁଡ଼ିକ ମଧ୍ୟରେ ସୁଗମ ସଂଯୋଗ ସ୍ଥାପନ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏଥିପାଇଁ ପରିବହନ ନେଟୱର୍କ, ଭିତିଭୂମି ବିକାଶ ଓ ଭୂମି ବ୍ୟବହାର ଯୋଜନା ମଧ୍ୟରେ ସମନ୍ୱୟ ସହିତ ବିଭିନ୍ନ ପରିବହନ ସଂସ୍ଥା ଓ ସହରାଂଚଳ ସ୍ଥାନୀୟ ନିକାୟ ମଧ୍ୟରେ ସହଯୋଗ ଆବଶ୍ୟକ।

ଏକ ଦକ୍ଷ ଓ ସମାବେଶୀ ଯାତାୟାତ ବ୍ୟବସ୍ଥା ପାଇଁ ସମନ୍ୱିତ ଜନପରିବହନ, ଶେଷ ପର୍ଯ୍ୟାୟର ଯାତାୟାତ ସଂଯୋଗ, ପଥଚାରୀ ଅନୁକୂଳ ରାସ୍ତା ଏବଂ ସାଇକେଲ୍ ଭଳି ଅ ଣ-ମୋଟର ଯାନର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ପରିବହନ ଭିତିଭୂମି ଓ ଭୂମି ବ୍ୟବହାର ଯୋଜନା ମଧ୍ୟରେ ସମନ୍ୱୟ ରହିଲେ ଉପଲବ୍ଧ ସମ୍ବଳର ସଠିକ୍ ଉପଯୋଗ ହେବା ସହିତ ଆଂଚଳିକ ବିକାଶ ଅଧିକ ସନ୍ତୁଳିତ ହୋଇପାରିବ ।

ନାଗରିକଙ୍କ ଦୃଷ୍ଟିରୁ ଏଭଳି ଯୋଜନା ଦୈନନ୍ଦିନ ଯାତ୍ରାକୁ ସହଜ କରିବା ସହିତ ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ଜରୁରୀ ସେବା ପର୍ଯ୍ୟନ୍ତ ପହଞ୍ଚକୁ ସୁଗମ କରିବ। ଏହା ସୁରକ୍ଷିତ ରାସ୍ତା, ଅଧିକ ଯାତାୟାତ ବିକଳ୍ପ ଓ ପରିବେଶ ଅନୁକୂଳ ପରିବହନକୁ ପ୍ରୋତ୍ସାହିତ କରି ସହରଗୁଡ଼ିକୁ ଅଧିକ ବାସଯୋଗ୍ୟ କରିବାରେ ସହାୟକ ହେବ।

ୟୁ ଏମ୍ ଆଇ ୨୦୨୬ର ଏହି ଅଧିବେଶନରେ ସହର ଓ ଏହାର ଆଖପାଖ ଅଂଚଳ ମଧ୍ୟରେ ସମନ୍ୱିତ ଯାତାୟାତ ଯୋଜନାର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା। ଏଭଳି ଯୋଜନା ମାଧ୍ୟମରେ ଅଂଚଳଗୁଡ଼ିକୁ ଉନ୍ନତ ଭାବେ ଯୋଡ଼ିବା, ନାଗରିକଙ୍କ ପାଇଁ ସୁଯୋଗ ବୃଦ୍ଧି କରିବା ଏବଂ ସ୍ଥାୟୀ ସହର ବିକାଶକୁ ଆଗେଇ ନେବା ଦିଗରେ ସମନ୍ୱିତ ପଦକ୍ଷେପର ଆବଶ୍ୟକତା ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande