
ମାଲକାନଗିରି, ୨୪ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମପିଭି-୬୪/୧୦ ଗ୍ରାମ ନଦୀ କୂଳରୁ ଆଜି ଏକ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁଯାୟୀ, ମୃତଦେହକୁ ଏକ ବସ୍ତା ଭିତରେ ଭର୍ତ୍ତି କରି ଦଉଡ଼ି ସାହାଯ୍ୟରେ ହାତ-ଗୋଡ଼ ବାନ୍ଧି ନଦୀରେ ଭସାଇ ଦିଆଯାଇଥିଲା । ମୃତଦେହଟି ଜଣେ ମହିଳାଙ୍କର ବୋଲି ଅନୁମାନ କରାଯାଉଥିବା ବେଳେ ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ନଦୀରେ ବସ୍ତା ଭାସୁଥିବା ଦେଖି ଗ୍ରାମବାସୀ କାଲିମେଳା ପୋଲିସକୁ ଖବର ଦେଇଥିଲେ । ଖବର ପାଇ କାଲିମେଳା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଅଗ୍ନିଶମ ବିଭାଗ କର୍ମଚାରୀ ମୃତଦେହ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ