ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୬୦ଟି ଓଡ୍ରାଫ୍, ୧୭ଟି ଏନଡିଆରଏଫ୍, ୨୨୫ଟି ଅଗ୍ନିଶମ ଦଳ ପ୍ରସ୍ତୁତ ୫ଟି ଜିଲ୍ଲାରେ ୨୮-୨୯ ତାରିଖ ସ୍କୁଲ କଲେଜ ଛୁଟି, ବାକି ଜିଲ୍ଲାରେ ଜିଲ୍ଲାପାଳ ନିଷ୍ପତି ନେବେ ଭୁବନେଶ୍ୱର, ୨୪ ଅକ୍ଟୋବର (ହି.ସ)- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଅଛି, ଏଥର ମଧ୍ୟ ଆମ ଜିରୋ କାଜୁଆଲ୍ଟି ହାସଲ କରିବୁ । ଶନ
cm


୬୦ଟି ଓଡ୍ରାଫ୍, ୧୭ଟି ଏନଡିଆରଏଫ୍, ୨୨୫ଟି ଅଗ୍ନିଶମ ଦଳ ପ୍ରସ୍ତୁତ

୫ଟି ଜିଲ୍ଲାରେ ୨୮-୨୯ ତାରିଖ ସ୍କୁଲ କଲେଜ ଛୁଟି, ବାକି ଜିଲ୍ଲାରେ ଜିଲ୍ଲାପାଳ ନିଷ୍ପତି ନେବେ

ଭୁବନେଶ୍ୱର, ୨୪ ଅକ୍ଟୋବର (ହି.ସ)- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଅଛି, ଏଥର ମଧ୍ୟ ଆମ ଜିରୋ କାଜୁଆଲ୍ଟି ହାସଲ କରିବୁ । ଶନିବାର ଦିନ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ସମ୍ପର୍କରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ ଆଗରେ ବିବତି ରଖି ଏହା କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବନ୍ୟା ଓ ବାତ୍ୟା ମୁକାବିଲାରେ ଆମର ପୂର୍ବରୁ ଅଭିଜ୍ଞତା ରହିଛି। ବାତ୍ୟା ଦାନା ଓ ମୋନ୍ଥା’ର ସଫଳ ମୁକାବିଲା କରାଯାଇଥିଲା । ଏହା ସହିତ ଅନେକ ବନ୍ୟା ପରିସ୍ଥିତିର ମୁକାବିଲା ମଧ୍ୟ କରାଯାଇଛି ।ତେଣୁ ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଜିରୋ କାଜୁଆଲ୍ଟି ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ବାତ୍ୟା ଉତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ୨୮ ତାରିଖରେ ସ୍ଥଳଭାଗ (ଲ୍ୟାଣ୍ଡଫଲ୍) ଛୁଇଁବ। ତେବେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ଅଧିକ ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ ଏବଂ ପ୍ରାୟ ୮୦ ରୁ ୯୦ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ଓ ପବନ ବହିବାର ସମ୍ଭାବନା ରହିଛି।

ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଆଦି ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ଅଛି । ଅନ୍ୟାନ୍ୟ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି। ଏହି ୫ଟି ଜିଲ୍ଲାରେ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ୨୮ ଓ ୨୯ ତାରିଖ ଦିନ ବନ୍ଦ ରଖିବା ପାଇଁ ନିଷ୍ପତି ନିଆଯାଇଛି । ଅନ୍ୟ ଜିଲ୍ଲା ଗୁଡ଼ିକରେ ସ୍କୁଲ କଲେଜ ଛୁଟି କରିବା ନେଇ ଜିଲ୍ଲାପାଳମାନେ ପରିସ୍ଥିତି ଦେଖି ନିଷ୍ପତି ନେବେ ।

ସେ କହିଥିଲେ ଯେ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଂଚାଇବା ପାଇଁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକ ପ୍ରସ୍ତୁତ କରାଯାଇଛି । ବିଶେଷକରି ରୋଗୀ ଓ ଗର୍ଭବତୀ ମହିଳାମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି।

ଓଡ୍ରାଫ୍, ଅଗ୍ନିଶମ ଏବଂ ଏନ୍.ଡି.ଆରଏଫ୍ ଟିମ୍ ନିୟୋଜିତ କରାଯାଇଛି । ପ୍ରାୟ ୬୦ଟି ଓଡ଼୍ରାଫ୍ ଟିମ୍ ଓ ୧୭ଟି ଏନଡିଆରଏଫ୍ ଟିମ୍ କୁ ନିୟୋଜିତ କରାଯାଇଛି । ୨୨୫ ଟି ଅଗ୍ନିଶମ ଦଳ ସଜାଗ ଅଛନ୍ତି ବୋଲି ଜଣାଯାଇଛି ।

ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ସତର୍କ କରାଯାଇଛି । ପ୍ରଭାବିତ ଅଂଚଳର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡ଼ା ଇଞ୍ଜେକ୍ସନ୍, ଔଷଧ ଏବଂ ଚିକିତ୍ସା କିଟ୍ ଉପଲବ୍ଧ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପରିସ୍ଥିତିରେ ତତକ୍ଷଣାତ୍ ରିଷ୍ଟୋରେସନ୍ ପାଇଁ ସମସ୍ତ ଇଞ୍ଜିନିୟରିଂ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବିଶେଷକରି ରାସ୍ତାଘାଟରେ ପଡ଼ି ଅବରୋଧ ସୃଷ୍ଟି କରୁଥିବା ଗଛଗୁଡ଼ିକୁ ତୁରନ୍ତ ହଟାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି ବୋଲି ଜଣାଯାଇଛି । ଅମଳ ସମୟ ପାଖେଇ ଆସୁଥିବାରୁ, ଚାଷୀ ଭାଇମାନଙ୍କୁ ଆଗୁଆ ସତର୍କ କରି ଫସଲ କାଟି ସୁରକ୍ଷିତ କରି ରଖିବା ପାଇଁ ସଚେତନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ସମନ୍ୱୟ ରକ୍ଷା କରି ହୋଲ ଅଫ୍ ଗଭରମେଂଟ ଆପ୍ରୋଚ୍ ରେ ବାତ୍ୟା ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏହି ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅଗ୍ନିସେବା ଡିଜି, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ଏସ.ଆ.ର୍ସି. ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande