

ଜୟପୁର, ୨୪ ଅକ୍ଟୋବର (ହି.ସ.)- ଓଡ଼ିଶାର କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ବାରମ୍ବାର ହସ୍ତକ୍ଷେପ ଏବଂ ନିର୍ବାଚନ ବିଜ୍ଞପ୍ତି
ପ୍ରକାଶ ପରେ ମଧ୍ୟ ରାଜ୍ୟ ସରକାରଙ୍କ ନୀରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବାରମ୍ବାର ଆନ୍ଧ୍ର ପ୍ରଶାସନ ପକ୍ଷରୁ କୋରାପୁଟର ପଟାଙ୍ଗି ବ୍ଲକ
ଅନ୍ତର୍ଗତ କୋଟିଆ ଅଞ୍ଚଳରେ ଅନୁପ୍ରବେଶ କରିବା, ସେଠାକାର ଲୋକମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ କଳେ ବଳେ କୌଶଳେ ଏହି
ଅଞ୍ଚଳକୁ କରାୟତ କରିବା ପାଇଁ ଚେଷ୍ଟା କରିବା ପରିସ୍ଥିତିକୁ ଗୋଳମାଳିଆ କରିପକାଇଛି । ଏନେଇ ସ୍ଥାୟୀ ସମାଧାନ ସରକାର କରିପାରୁ ନାହାନ୍ତି । ମାମଲା କୋର୍ଟରେ ବିଚାରାଧୀନ ରହିଥିବା ବେଳେ ଏହାକୁ ମାନିବା ଲାଗି ଆନ୍ଧ୍ର ସରକାର ନାରାଜ । ବିଶେଷ କରି କେନ୍ଦ୍ରର ମୋଦୀ ସରକାରରେ ଆନ୍ଧ୍ରର ଟିଡିପି ଭାଗୁଆଳି ଦଳ ଥିବାବେଳେ ଓଡ଼ିଶାର ବିଜେପି ସରକାର କୋଟିଆ ବିବାଦ ନେଇ ସେଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିପାରୁନି । ଗତଥର ବି ଆନ୍ଧ୍ର ସରକାର କୋଟିଆର ୩ ପଞ୍ଚାୟତରେ ନିର୍ବାଚନ କରିଥିଲେ । ଏଥର ବି ମତଦାନ କରିବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଭଳି ସ୍ଥିତିରେ ଓଡ଼ିଆ ଅସ୍ମିତା ବାଜିରେ ଲାଗିଛି । କୋଟିଆ ହେଉଛି ଓଡ଼ିଶାର ଅସ୍ମିତା, ସାର୍ବଭୌମତ୍ୱ ଓ ଅଖଣ୍ଡତାର ପରିଚୟ । ଏ କ୍ଷେତ୍ରରେ ରାଜ୍ୟ ସରକାର କେବେହେଲେ ପଛଘୁଞ୍ଚା ଦେବା ଉଚିତ ନୁହେଁ । ଓଡ଼ିଆ ଅସ୍ମିତାର ସୁରକ୍ଷା ଡିଣ୍ଡିମ ପିଟି ଶାସନରେ ବସିଥିବା ବିଜେପି ଏବେ ନିରବ ହୋଇ ରହିଛି । ଆରମ୍ଭ ହୋଇଗଲାଣି ନାମାଙ୍କନପତ୍ର ଦାଖଲ । କୋଟିଆ ଅଞ୍ଚଳରୁ ବି ଭରିଲେଣି ପ୍ରାର୍ଥିପତ୍ର । ହେଲେ ସରକାରଙ୍କ ସବୁ ଯୋଜନା ଫେଲ୍ ମାରିଛି । କୁମ୍ଭୀର କାନ୍ଦଣ କାନ୍ଦୁଛନ୍ତି ସମସ୍ତେ, ହେଲେ କାହା ଆଖିରେ ଲୁହ ନାହିଁ । ଖାଲି ସରକାର କରିବେ, ବୁଝିବେ ବୋଲି ନେତା ମନ୍ତ୍ରୀମାନେ କହୁଛନ୍ତି । ସୁପ୍ରିମକୋର୍ଟକୁ ଯାଇ ନିଜ ଦାୟିତ୍ୱ ସାରି ଦେଇଛି ସରକାର । ଲୋକମାନଙ୍କ ସହ ସରକାର ଯେମିତି ନାହାନ୍ତି ସେହିଭଳି ମନେ ହେଉଛି । ବିଜେଡି, କଂଗ୍ରେସ ଓ ଅନ୍ୟ ଦଳ ପକ୍ଷରୁ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରାଯାଇଛି । ସରକାରଙ୍କୁ ବିରୋଧୀଙ୍କ କଟାକ୍ଷ ସରକାରୀ ଆଭିମୁଖ୍ୟକୁ ନେଇ କଂଗ୍ରେସ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବା ଦିନଠାରୁ କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି । ଆଗକୁ ମଧ୍ୟ କୋଟିଆ ଓଡ଼ିଶାର ଅଂଶ ହୋଇ ରହିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । କୋଟିଆର ଭବିଷ୍ୟତ ଓ ଏହାର ସ୍ଥିତିକୁ ନେଇ ବିଧାନସଭାରେ ବାରମ୍ବାର ପ୍ରଶ୍ନ ଉଠୁଥିଲେ ମଧ୍ୟ ରାଜ୍ୟ ସରକାର ସ୍ପଷ୍ଟ ଉତ୍ତର କିମ୍ବା ବିବୃତି ରଖୁନଥିବା ସେ ଅଭିଯୋଗ କରିଛନ୍ତି । ଏଥିସହ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ ପରିଚାଳନା ପାଇଁ ବିଜ୍ଞପ୍ତି ପ୍ରକାଶକୁ ସେ ଦୃଢ଼ ସମାଲୋଚନା କରିଛନ୍ତି । ଆନ୍ଧ୍ରପ୍ରଦେଶ ସହ ଆଲୋଚନା କରି ଉକ୍ତ ନିର୍ବାଚନ ବିଜ୍ଞପ୍ତି ରଦ୍ଦ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । ସେହିପରି କୋଟିଆକୁ ନେଇ କୋର୍ଟରେ ଚାଲିଥିବା ମାମଲାର ବର୍ତ୍ତମାନର ସ୍ଥିତି କ’ଣ, ସେ ସମ୍ପର୍କରେ କୋଟିଆବାସୀଙ୍କ ସମେତ ଓଡ଼ିଶାବାସୀଙ୍କୁ ସରକାର ସ୍ପଷ୍ଟ ଭାବେ ଜଣାନ୍ତୁ ବୋଲି ସେ ଦାବି କରିଛନ୍ତି। କୋଟିଆର ସ୍ୱାର୍ଥ ଓ ଓଡ଼ିଶା ମାଟିର ସୁରକ୍ଷା ପାଇଁ କଂଗ୍ରେସ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବ ବୋଲି ରାମଚନ୍ଦ୍ର କାଡାମ ଚେତାବନୀ ଦେଇଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନ ସମୟରେ ନେରେଡ଼ବାଲାସା ଗ୍ରାମ ନିକଟରେ ଫାଟକ ନିର୍ମାଣ କରି ଆନ୍ଧ୍ରର ନିର୍ବାଚନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ମଧ୍ୟ ସେ କହିଛନ୍ତି ।
ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଏବଂ କଂଗ୍ରେସ ଜିଲ୍ଲା ସଭାପତି ରୂପକ ତୁରୁକ ମଧ୍ୟ ସମାନ ଦାବି କରିଛନ୍ତି । ଆନ୍ଧ୍ର ଦାଦାଗିରିର ଦୃଢ଼ ଜବାବ ମିଳୁ, ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ଘୋଷଣା କରିବା ପରେ କୋଟିଆ ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି । ଆନ୍ଧ୍ର ସରକାରଙ୍କ ପାର୍ବତୀପୁରମ ମାନ୍ୟମ ନୂଆ ଜିଲ୍ଲାର ଅଧିକାରୀ କୋଟିଆ ଅଞ୍ଚଳରେ ପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏମିତିକି ନାମାଙ୍କନପତ୍ର ଦାଖଲ ଆରମ୍ଭ ହେଲାଣି । ଅନୁପ୍ରବେଶ କରି ଆନ୍ଧ୍ର ସରକାର ଏହି ଅଞ୍ଚଳକୁ ହାତକୁ ନେବାକୁ ବସିଥିବା ବେଳେ ରାଜ୍ୟର ଡବଲ ଇଞ୍ଜିନ ସରକାର, ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ସଂପୂର୍ଣ୍ଣ ନିରବତା ସରକାରଙ୍କ ମୁଖା ଖୋଲି ଦେଇଛି । ଏନେଇ ପିସିସି ମିଡିଆ ସେଲ୍ ର ଅଧ୍ୟକ୍ଷ ଅରବିନ୍ଦ ଦାସ କହଛନ୍ତି ଯେ, ଡବଲ ଇଞ୍ଜିନ ସରକାର ରାଜ୍ୟର ଜମି ଓ ଜନସାଧାରଣଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି । ଓଡ଼ିଆ ଅସ୍ମିତା ନାଁରେ ଆସିଥିବା ସରକାର ପୋଲାଭରମ, ଇଷ୍ଟକୋଷ୍ଟ ରେଲୱେ, ଏମ୍ଏମ୍ଡିଆର ଭଳି
ପ୍ରସଙ୍ଗରେ ସଂପୂର୍ଣ୍ଣ ଚୁପ୍ । ପିସିସି ସଭାପତି ଭକ୍ତଚରଣ ଦାସ କୋଟିଆ ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ସରକାର ସଂପୂର୍ଣ୍ଣ ଏଡ଼ାଇ ଦେଇଛନ୍ତି । ଏବେ ରାଜ୍ୟ ସରକାରଙ୍କ ଅପାରଗତା ପଦାରେ ପଡ଼ିଛି । ରାଜ୍ୟ ସରକାର ଚୁପ୍ ରହିବାର କାରଣ କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ସରକାର ଯୋଜନାବଦ୍ଧ ଭାବେ ମାପିଚୁପି ପଦକ୍ଷେପ ଗ୍ରହଣ କରିଛି । କୋଟିଆରେ ଥିବା ମୂଲ୍ୟବାନ ଖଣିଜ ପଦାର୍ଥକୁ ଲୁଟ୍ କରିବା ପାଇଁ ଆନ୍ଧ୍ର ସରକାର ବାରମ୍ବାର ଅନୁପ୍ରବେଶ କରି ବିବାଦ ସୃଷ୍ଟି କରୁଛି । ରାଜ୍ୟ ସରକାର ଏସବୁ ଜାଣି ବି ଚୁପ୍ ରହୁଛନ୍ତି । କେବଳ ଲୋକଦେଖାଣିଆ ପଦକ୍ଷେପ ନେଉଛୁ ବୋଲି ଦେଖେଇ ହେଉଛନ୍ତି । ଏସବୁ ପଛରେ ଅସଲ ଉଦ୍ଦେଶ୍ୟ ରହିଛି । କେନ୍ଦ୍ରରେ ମୋଦି ସରକାରରେ ସବୁଠାରୁ ବଡ଼ ଭାଗୁଆଳି ଦଳ ଭାବେ ଟିଡିପି ରହିଛି । ଆନ୍ଧ୍ର ଟିଡିପିର ନେତା ଚନ୍ଦ୍ରବାବୁ ନାଇଡୁ ଏବେ କେନ୍ଦ୍ରରେ ବେଶ ପ୍ରଭାବଶାଳୀ । ତାଙ୍କ ଇସାରାରେ ମୋଦୀ ସରକାର ତିଷ୍ଠି ରହିଛି କହିଲେ ଅତ୍ୟୁକ୍ତି ହେବନାହିଁ । କେନ୍ଦ୍ରରୁ ସେ ସମର୍ଥନ ପ୍ରତ୍ୟାହାର କଲେ ମୋଦୀ ସରକାର ଭାଙ୍ଗିଯିବ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଥିଲେ ବି କେନ୍ଦ୍ର ର ଚାପ ରହୁଛି । ଆନ୍ଧ୍ରକୁ ଅସନ୍ତୁଷ୍ଟ କରିବାକୁ କେନ୍ଦ୍ର ଚାହିଁବନି । ଯାହା ଫଳରେ ଓଡ଼ିଶା ପ୍ରଭାବିତ ହେବାର ଆଶଙ୍କା ରହିଛି । ପୋଲାଭରମ୍ ଡ୍ୟାମ୍ ନିର୍ମାଣ କ୍ଷେତ୍ରରେ ବି ଓଡ଼ିଶା ବେଶ କ୍ଷତି ସହିଛି । ଏବେ କୋଟିଆ ପାଳି । ସରକାର ମୁହଁ ଖୋଲିଲେ କେନ୍ଦ୍ର ସରକାର ଭାଙ୍ଗିବ । ଏଭଳି ସ୍ଥିତିରେ ଓଡ଼ିଶା ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ନହେଲେ ଓଡ଼ିଶାର ସ୍ୱାଭିମାନ ଓ ଅସ୍ମିତା ଚୂଲିକୁ ଯିବା ସାର ହେବ । ସେଭଳି ତତ୍ପରତା ବିଜେପିର ନାହିଁ ବିଜେଡି ସରକାର ଅମଳରେ ଆନ୍ଧ୍ର ସରକାର କୋଟିଆରେ ପଶି ନିର୍ବାଚନ କରାଇଲେ । ସେତେବେଳେ ନବୀନ ସରକାର ସବୁ ଜାଣି ଅଜଣା ହେଲେ । ଦୃଢ଼ ପଦକ୍ଷେପ ଗ୍ରହଣ କଲେନି । ଶେଷରେ ଆନ୍ଧ୍ର ଏକ ପ୍ରକାର ସଫଳତା ପାଇଲା । ଯଦିଓ କୋର୍ଟକୁ ମାମଲା ବିଚାର ଲାଗି ଗଲା । ସେତେବେଳେ ବିଜେପି ତୋଡ଼ ଦେଖାଇଥିଲା । ନବୀନ ସରକାରକୁ ଘେରି କୋଟିଆ ସମସ୍ୟାର ସମାଧାନ ଲାଗି ଦାବିକଲା । ୨୦୨୩ରେ କୋଟିଆ ଅଞ୍ଚଳରେ ଅନୁପ୍ରବେଶକୁ ବିଜେପିର ବରିଷ୍ଠ ନେତମାନେ ବିରୋଧ କରିଥିଲେ । ରାଜ୍ୟରେ କ୍ଷମତାକୁ ଆସିବା ପରେ କୋଟିଆ ପ୍ରସଙ୍ଗକୁ ନେଇ ସରକାର ସଂପୂର୍ଣ୍ଣ ଚୁପ୍ । ଆନ୍ଧ୍ରର ଟିଡିପି ସରକାର ଏନ୍ଡିଏ ମେଣ୍ଟର ଏକ ବଡ଼ ଅଂଶୀଦାର ହୋଇଥିବାରୁ କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ମୁହଁ ଖୋଲିବାକୁ ଡରୁଛନ୍ତି । ନିଜ ରାଜ୍ୟର ଅଞ୍ଚଳ ଚାଲିଯାଉ କିନ୍ତୁ କେନ୍ଦ୍ରରେ ମୋଦୀ ସରକାର ରହୁ ଏହି ନ୍ୟାୟରେ ମୋହନ ସରକାର ବୋଧେ ଚୁପ୍ ରହିଛନ୍ତି । ଦେଶରେ ଟ୍ରିପଲ୍ ଇଞ୍ଜିନ୍ ସରକାର ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କୁ ବଞ୍ଚାଇବା ପାଇଁ ରାଜ୍ୟ ସରକାର ଆନ୍ଧ୍ରକୁ କୋଟିଆ ଯୌତୁକ ଆକାରରେ ଦେବାକୁ ଚାହୁଁଛନ୍ତି କି ? ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଆଲୋଚନା କରି ତୁରନ୍ତ ଏହି ନିର୍ବାଚନ ବିଜ୍ଞାପନକୁ ବାତିଲ କରିବା ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି, ନଚେତ୍ ଆଗାମୀ ଦିନରେ କଡ଼ା ଜବାବ ଦିଆଯିବ ବୋଲି କଂଗ୍ରେସ ନେତା ଭକ୍ତ ଦାସ ଚେତାବନୀ ଦେଇଛନ୍ତି । ସେହିପରି ରାଜ୍ୟ ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି କହିଛନ୍ତି ଯେ, କୋଟିଆର ନିରୀହ ଆଦିବାସୀ ଓ ଖଣିଜ ସମ୍ପଦକୁ ହାତେଇବା ପାଇଁ ଆନ୍ଧ୍ରପ୍ରଦେଶ ନଜର ପକାଇଛି, ଯାହାକୁ କଦାପି ବରଦାସ୍ତ କରାଯିବ ନାହିଁ । ପୂର୍ବତନ ବିଜେଡି ସରକାର ୨୪ ବର୍ଷ ଶାସନରେ ସୀମା ବିବାଦକୁ ଗୁରୁତ୍ୱ ଦେଇନଥିଲେ ଏବଂ ବର୍ତ୍ତମାନର ବିଜେପି ସରକାର ମଧ୍ୟ ଏହାକୁ ଅଣଦେଖା କରୁଛନ୍ତି । ମନ୍ତ୍ରୀ, ବିଧାୟକ ଚୁପ୍ କାହିଁକି । କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ତେଜିଛି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ର ବିବାଦୀୟ କୋଟିଆ ଅଞ୍ଚଳର ୩ ପଞ୍ଚାୟତରେ ନିର୍ବାଚନ କରିବା ପାଇଁ ଆନ୍ଧ୍ର ସରକାର ଅଣ୍ଟା ଭିଡ଼ିବା ପରେ ଓଡ଼ିଶାରେ ମନ୍ତ୍ରୀ, ବିଧାୟକ ଚୁପ୍ ହୋଇ ବସିଛନ୍ତି । ତୁରନ୍ତ ସର୍ବଦଳୀୟ ବୈଠକ ବସି ଏନେଇ ପଦକ୍ଷେପ ଗ୍ରହଣ କରାଯିବା ଉଚିତ । ତୁରନ୍ତ ସ୍ଥାନୀୟ ଅଞ୍ଚଳକୁ ଲୋକପ୍ରତିନିଧିମାନେ ଯାଇ ସ୍ଥାନୀୟ ନେତୃବର୍ଗଙ୍କ ସହ ଆଲୋଚନା କରିବା ଦରକାର । ସ୍ଥାନୀୟ ଅଞ୍ଚଳର ବିକାଶ ନେଇ ପ୍ରତିଶୃତି ଦିଆଯିବା ଉଚିତ । ସେଠାକାର ଲୋକଙ୍କ ଆସ୍ଥାଭାଜନ ହେବା ଏକାନ୍ତ ଅପରିହାର୍ଯ୍ୟ । ଆନ୍ଧ୍ର ସରକାରଙ୍କ ଠାରୁ ସେମାନେ ପର୍ଯ୍ୟାପ୍ତ ପରିମାଣର ସୁବିଧା ପାଉଛନ୍ତି । ତେଣୁ ସେମାନେ ସହଜରେ ଛାଡ଼ିପାରୁନାହାନ୍ତି । ଏହା ଜାଣିବା ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିବା ଦରକାର ।
ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତ୍ରିକୟା ରଖିଛନ୍ତି । ସେ କହିଛନ୍ତି, କୋଟିଆ ଓଡ଼ିଶାର, ଆନ୍ଧ୍ର ଯେଉଁ ଉଦ୍ୟମ କରୁଛି ଏହାକୁ ପ୍ରତିହତ କରିବାକୁ ଆମେ ଚେଷ୍ଟା କରୁଛୁ । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ନଜର ରଖିବାକୁ କୁହାଯାଇଛି । ଆନ୍ଧ୍ରର ଗତିବିଧିକୁ ଲକ୍ଷ୍ୟ ରଖାଯାଇଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଏହା କେବଳ ସରକାରଙ୍କ କାର୍ଯ୍ୟ ନୁହେଁ । ସରକାର କୋଟିଆ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିଛନ୍ତି ।
ଆନ୍ଧ୍ରର ଚାଲ୍ ବୁଝିବା ଜରୁରୀ। କୋଟିଆ ପଞ୍ଚାୟତର ଫଗୁଣସିନେରୀ, ଗଞ୍ଜେଇପଦର ଓ ଫାଟୁସିନେରୀକୁ ପାର୍ବତୀପୁରମ୍ ମାନ୍ୟମ ଜିଲ୍ଲାର ସାଲୁର ବ୍ଲକ୍ ଅଧୀନରେ ତିନୋଟି ପୃଥକ୍ ପଞ୍ଚାୟତ ଭାବେ ସାମିଲ୍ କରାଯାଇଛି । ମଣ୍ଡଳ ପରିଷଦ ଟେରିଟୋରିଆଲ୍ କନଷ୍ଟିଚୁଏନ୍ସି ଓ ଜିଲ୍ଲା ପରିଷଦ ଟେରିଟୋରିଆଲ୍ କନ୍ଷ୍ଟିଚୁଏନ୍ସି ସଦସ୍ୟ ପଦ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ସରପଞ୍ଚ ପଦ ପାଇଁ ନଭେମ୍ବର ୨୬, ୨୯ ଏବଂ ଡିସେମ୍ବର ୨ ତାରିଖରେ ତିନି ପର୍ଯ୍ୟାୟରେ ନିର୍ବାଚନ କରାଯିବାର କାର୍ଯ୍ୟସୂଚୀ ରହିଛି । କୋଟିଆକୁ
ନେଇ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି । ଉଭୟ ରାଜ୍ୟର ପ୍ରଶାସନିକ ଦାବି ଓ କାର୍ଯ୍ୟକଳାପ ଯୋଗୁ ସୀମାନ୍ତ
ଅଞ୍ଚଳରେ ବାରମ୍ବାର ଉତ୍ତେଜନା ଦେଖାଦେଉଛି । କୋଟିଆର ଖଣିଜ ସମ୍ପଦ ଉପରେ ଆନ୍ଧ୍ରର ନଜର ରହିଛି । କେନ୍ଦ୍ରରେ ଭାଗୁଆଳି ଦଳ
ହୋଇ ଓଡ଼ିଶାକୁ ନାଲିଆଖି ଦେଖାଇବାକୁ ପଛାଉନାହିଁ । ଏନେଇ କେନ୍ଦ୍ର ସରକାର ଚୁପ୍ ରହିବା ସ୍ୱାଭାବିକ । ହେଲେ ନାର୍ଯ୍ୟଦାବିରୁ ଆମେ
ଓହରିଯିବା ଅନୁଚିତ । ଓଡ଼ିଆ ଅସ୍ମିତା ଓ ଆମ ଅଧିକାର କ୍ଷୁଣ୍ଣ ହେଲା ଭଳି ଯେକୌଣସି ପଦକ୍ଷେପକୁ ରାଜ୍ୟ ସରକାର ବିରୋଧ କରିବା
ଜରୁରୀ । ଦଳ ମତ ନିର୍ବିଶେଷରେ ଓଡ଼ିଶାର ସ୍ୱାର୍ଥ ପାଇଁ ଏକାଠି ହେବା ଦରକାର । ଅତୀତରେ ସେ ନବୀନ ବାବୁ, ଜଗମୋହନ ରେଡ୍ଡୀଙ୍କୁ ଚିଠି ଲେଖିଥିଲେ । ସମାଧାନ କରିବା ପାଇଁ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ଏକତା ଓ ଅଖଣ୍ଡତାକୁ ରକ୍ଷା କରିବା ଆମର ସାମୂହିକ ଦାୟିତ୍ୱ ବୋଲି ଏକ୍ସରେ ସୂଚନା ଦେଇଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ତେବେ ଆଗକୁ ରାଜ୍ୟ ସରକାର ଏ ଦିଗରେ କ'ଣ ପଦକ୍ଷେପ ନେବେ ତାହାକୁ ଜିଲାବାସୀ ଅପେକ୍ଷା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି