
ଝାରସୁଗୁଡା, ୨୪ ଅକ୍ଟୋବର (ହି.ସ.)- କୁଶ୍ରାଲୋଇ ପଞ୍ଚାୟତରେ ନିର୍ମାଣାଧୀନ କୋଲ୍ ଗ୍ୟାସିଫିକେସନ୍ ପ୍ରକଳ୍ପକୁ ନେଇ ଅଞ୍ଚଳରେ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ପ୍ରକଳ୍ପକୁ ବନ୍ଦ କରିବା ଦାବିରେ ଲଖନପୁର ନାଗରିକ ପରିଷଦ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଏବେ ନୂଆ ରୂପ ନେଇଛି। ଏହି ଅବସରରେ ବିଭିନ୍ନ ଗାଁର ପୂଜାପାଠ ମଣ୍ଡପରେ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜନ ସହ ଜନସଚେତନତା ଅଭିଯାନକୁ ଜୋରଦାର କରାଯାଉଛି।
ଏମସିଏଲ୍ ଓ ବିପିସିଏଲ୍ ର ଯୌଥ ଉଦ୍ୟୋଗରେ ସ୍ଥାପିତ ହେଉଥିବା ଭାରତ କୋଲ୍ ଗ୍ୟାସିଫିକେସନ୍ ପ୍ରକଳ୍ପକୁ ନେଇ ଦୀର୍ଘଦିନ ଧରି ସ୍ଥାନୀୟ ଅଞ୍ଚଳରେ ବିରୋଧ ଜାରି ରହିଛି। ପ୍ରକଳ୍ପରୁ ସମ୍ଭାବ୍ୟ ପରିବେଶଗତ କ୍ଷତି ଓ ଶିଳ୍ପଜନିତ ବିପଦକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ବିଶେଷକରି ଭୋପାଳ ଗ୍ୟାସ୍ ଦୁର୍ଘଟଣା ଭଳି ବିପର୍ଯ୍ୟୟର ଆଶଙ୍କା ପ୍ରକାଶ କରି ଅଞ୍ଚଳବାସୀ ପ୍ରକଳ୍ପକୁ ବିରୋଧ କରୁଛନ୍ତି। ଏହି ପ୍ରସଙ୍ଗରେ କିଛି ମାସ ପୂର୍ବେ ପ୍ରକଳ୍ପର ଶିଳାନ୍ୟାସ ସମୟରେ ମଧ୍ୟ ତୀବ୍ର ପ୍ରତିବାଦ ହୋଇଥିଲା। ପ୍ରକଳ୍ପ ପାଇଁ ଗଛକଟାକୁ ନେଇ ମଧ୍ୟ ବିବାଦ ତୀବ୍ର ହୋଇଛି। କମ୍ପାନି କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରାୟ ୩,୫୦୦ ଗଛ କଟାଯିବ ବୋଲି କୁହାଯାଉଥିବା ବେଳେ ୩୦ ହଜାରରୁ ଅଧିକ ଗଛ କଟିବାର ଆଶଙ୍କା ଥିବା ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ବ୍ୟାପକ ବୃକ୍ଷନିଧନ ଦ୍ୱାରା ପରିବେଶ ଓ ସ୍ଥାନୀୟ ଜୀବନଜୀବିକା ପ୍ରଭାବିତ ହେବା ନେଇ ମଧ୍ୟ ଚିନ୍ତା ବଢ଼ିଛି।
ଏହି ପରିପ୍ରେକ୍ଷୀରେ ଲଖନପୁର ନାଗରିକ ପରିଷଦ ପକ୍ଷରୁ ଗାଁ ଗାଁରେ ବୈଠକ, ସଚେତନତା ସଭା ଓ ପ୍ରତିବାଦ କାର୍ଯ୍ୟକ୍ରମ ଜରିଆରେ ଆନ୍ଦୋଳନକୁ ସଂଗଠିତ କରାଯାଉଛି। ଶାରଦୀୟ ଦୁର୍ଗାପୂଜା ସମୟରେ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ନିକଟରେ ପ୍ରକଳ୍ପ ବିରୋଧରେ ଶପଥ ପାଠ କରାଯାଇ ଏହାକୁ ବନ୍ଦ କରିବା ପାଇଁ ସଂକଳ୍ପ ନିଆଯାଉଛି। ପ୍ରକଳ୍ପ ବିରୋଧରେ ଜନମତ ସୃଷ୍ଟି କରିବାକୁ ବିଭିନ୍ନ ସ୍ଥାନରେ ହୋର୍ଡିଂ ଲଗାଯାଇ ଲୋକଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି।
ଗୋସାଇଁ ଖୋଲ ମଠ ପଣ୍ଡରି, କଣ୍ଢେଇକେଲା, ପିଥିଣ୍ଡା, ପଞ୍ଚଗାଁ, ଲଖନପୁର, ବନ୍ଧବାହାଲ, ଫଟାପାଲି ଓ ବେଲପାହାଡ଼ ଆଦି ଅଞ୍ଚଳର ଦୁର୍ଗାପୂଜା ମଣ୍ଡପରେ ଏହି ଅଭିଯାନକୁ ଆଗକୁ ବଢ଼ାଯାଇଥିବା ପରିଷଦ ପକ୍ଷରୁ ସୂଚନା ମିଳିଛି। ଆଗାମୀ ଦିନରେ ଲଖନପୁର ବ୍ଲକ୍ ର ସମସ୍ତ ୩୩ଟି ପଞ୍ଚାୟତରେ ସଚେତନତା ସଭା ଆୟୋଜନ କରି ଆନ୍ଦୋଳନକୁ ଅଧିକ ବ୍ୟାପକ କରିବାକୁ ପରିଷଦ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଏନେଇ ପରିଷଦର ସଭାପତି ପୀତାମ୍ବର ମିଶ୍ର ସୂଚନା ଦେଇଛନ୍ତି। ପ୍ରକଳ୍ପକୁ ନେଇ ଜନସାଧାରଣଙ୍କ ଆଶଙ୍କା ଦୂର କରିବା, ପରିବେଶ ସୁରକ୍ଷା ଓ ସ୍ଥାନୀୟ ଲୋକଙ୍କ ଦାବିକୁ ଗୁରୁତ୍ୱ ଦେବା ଏବେ ଏହି ଆନ୍ଦୋଳନର ମୁଖ୍ୟ ପ୍ରସଙ୍ଗ ପାଲଟିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ