
ଭୁବନେଶ୍ୱର, ୨୪ ଅକ୍ଟୋବର (ହି.ସ)-ସହରାଂଚଳରେ ଗୃହର ଚାହିଦା ଓ ଯୋଗାଣ ମଧ୍ୟରେ ଥିବା ବ୍ୟବଧାନ ଦୂର କରିବା ସହ ସମସ୍ତଙ୍କ ପାଇଁ ସୁଲଭ ଗୃହ ଉପଲବ୍ଧ କରାଇବା ଦିଗରେ ଓଡ଼ିଶା ସରକାରଙ୍କ ପଦକ୍ଷେପ ଦ୍ୱିତୀୟ ଜାତୀୟ ସହରାଂଚଳ ସମ୍ମିଳନୀ-୨୦୨୬ରେ ଉପସ୍ଥାପିତ ହୋଇଛି । ଭୁବନେଶ୍ୱରଠାରେ ଆୟୋଜିତ ‘ସୁଲଭ ଗୃହନିର୍ମାଣ–ଚାହିଦା ଓ ଯୋଗାଣର ଗତିଶୀଳତା’ ଶୀର୍ଷକ ଅଧିବେଶନରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ରାଜ୍ୟର ସମନ୍ୱିତ ଗୃହନିର୍ମାଣ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ ।
ଏହି ଅବସରରେ ‘ବନ୍ଧୁ’ ପଦକ୍ଷେପ ଉପରେ ଆଲୋକପାତ କରାଯାଇଥିଲା । ଏହି ପଦକ୍ଷେପ ପାଇଁ ପାଂଚ ବର୍ଷରେ ୧,୬୧୫ କୋଟି ଟଙ୍କା ବରାଦ କରାଯାଇଛି । ଏହା ଗୃହନିର୍ମାଣ ପ୍ରକଳ୍ପକୁ ସହାୟତା, ନିର୍ମାଣ ଶ୍ରମିକଙ୍କୁ ପ୍ରୋତ୍ସାହନ ଏବଂ ଯୋଗ୍ୟ ପରିବାରଙ୍କ ପାଇଁ ଗୃହ ସହାୟତାର ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଛି । ଜମିହୀନ ଓ ଅନ୍ୟାନ୍ୟ ବଂଚିତ ପରିବାରଙ୍କ ପାଇଁ ସୁଲଭ ଗୃହ, ଭଡ଼ା ଗୃହ ଓ ଅସ୍ଥାୟୀ ଆଶ୍ରୟ ବ୍ୟବସ୍ଥାକୁ ମଧ୍ୟ ଏହା ଗୁରୁତ୍ୱ ଦେଉଛି ।
ରାଜ୍ୟର ଗୃହନିର୍ମାଣ ମଡେଲ୍ରେ ହିତାଧିକାରୀଙ୍କ ନିଜସ୍ୱ ଉଦ୍ୟମରେ ଗୃହନିର୍ମାଣ, ସୁଲଭ ଗୃହ ପ୍ରକଳ୍ପ, ବସ୍ତିର ସ୍ଥାନୀୟ ପୁନର୍ବିକାଶ, ପୁନର୍ବାସ ଓ ଭଡ଼ା ଗୃହ ଅନ୍ତର୍ଭୁକ୍ତ । ସହରାଂଚଳରେ ହିତାଧିକାରୀଙ୍କ ନିଜସ୍ୱ ଉଦ୍ୟମରେ ପ୍ରାୟ ୧.୪ ଲକ୍ଷ ଘର ନିର୍ମାଣ ଶେଷ ହୋଇ ଲୋକମାନେ ସେଥିରେ ବସବାସ କରୁଛନ୍ତି । ଏଥିସହ ‘ବନ୍ଧୁ’ ଅଧୀନରେ ରାଉରକେଲା, ଢେଙ୍କାନାଳ, ପାରାଦୀପ ଓ ଝାରସୁଗୁଡ଼ାରେ ଭଡ଼ା ଗୃହର ପୁନରୁଦ୍ଧାର ପ୍ରକଳ୍ପକୁ ସହାୟତା ଦିଆଯାଉଛି ।
ସୁଲଭ ଗୃହନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜୀକରଣ ଶୁଳ୍କ ହ୍ରାସ, ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ବର୍ଗ ଓ ନିମ୍ନ ଆୟ ବର୍ଗ ପାଇଁ ଗୃହ ବ୍ୟବସ୍ଥା, ଅତିରିକ୍ତ ଫ୍ଲୋର୍ ଏରିଆ ରେସିଓ ଓ ଟ୍ରାନ୍ସଫରେବଲ୍ ଡେଭଲପମେଂଟ ରାଇଟ୍ସ ଭଳି ନୀତିଗତ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।
ଏହା ସହ ପ୍ରସ୍ତାବିତ ‘ଭୂମି’ ଢାଂଚା ସମ୍ପର୍କରେ ତଥ୍ୟ ଦିଆଯାଇଥିଲା। ଏଥିରେ ଗୃହନିର୍ମାଣ ଓ ସହରାଂଚଳ ଭିତିଭୂମି ବିକାଶ ପାଇଁ ଜମି ବ୍ୟାଙ୍କ, ଜିଆଇଏସ୍ ଆଧାରିତ ଜମି ତଥ୍ୟଭଣ୍ଡାର ଏବଂ ଜମି ଆବଂଟନ ବ୍ୟବସ୍ଥାର ପରିକଳ୍ପନା ରହିଛି । ଏହି ନୀତିର ଚିଠା ପ୍ରକ୍ରିୟାଧୀନ ଥିବାବେଳେ ଏହାକୁ ଅନୁମୋଦନ ପାଇଁ ରାଜ୍ୟ କ୍ୟାବିନେଟ୍ ରେ ଉପସ୍ଥାପନ କରିବାକୁ ପ୍ରସ୍ତାବ ରହିଛି ।
ଅଧିବେଶନକୁ ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ କୁମାର ରବିକାନ୍ତ ସିଂହ ସଂଚାଳନ କରିଥିଲେ । ଏଥିରେ ହରିୟାଣା ସରକାରଙ୍କ ହାଉସିଂ ଫର୍ ଅଲ୍ ବିଭାଗର କମିଶନର ତଥା ସଚିବ ଶ୍ରୀ ମହମ୍ମଦ ଶାୟିନ୍ ଙ୍କ ସମେତ ଗୃହନିର୍ମାଣ ଶିଳ୍ପ ଓ ନଗର ଉନ୍ନୟନ କ୍ଷେତ୍ରର ଅନ୍ୟ ବିଶେଷଜ୍ଞମାନେ ଯୋଗଦେଇଥିଲେ ।
ଓଡ଼ିଶାର ଏହି ଆଭିମୁଖ୍ୟ ହିତାଧିକାରୀଙ୍କୁ ସହାୟତା, ନୀତିଗତ ସଂସ୍କାର ଓ ଯୋଜନାବଦ୍ଧ ଜମି ଉପଲବ୍ଧତାକୁ ସମନ୍ୱିତ କରି ସୁଲଭ ଗୃହ ଯୋଗାଣ ବୃଦ୍ଧି ଏବଂ ସମାବେଶୀ ଓ ସ୍ଥାୟୀ ସହରୀ ବିକାଶକୁ ଆଗେଇ ନେବା ଉପରେ ଗୁରୁତ୍ୱ ଦେଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା