
ଜୟପୁର, ୨୫ ଅକ୍ଟୋବର (ହି.ସ.)-ଜୟପୁର ସଦର ଥାନା ଅନ୍ତର୍ଗତ କୁମ୍ଭାରପୁଟ ଗ୍ରାମରେ ଜମିକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ ମାମଲାର ପର୍ଦାଫାଶ କରିଛି ପୋଲିସ। ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରଛି । ଗିରଫ ଅଭିଯୁକ୍ତ ଜଣକ ହେଲା କୁମ୍ଭାରପୁଟ ଗ୍ରାମର ସୁବାସ କୁମ୍ଭାର (୪୦)।ସୂଚନା ଅନୁସାରେ, ଗତ ୨୨ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ସମୟରେ କୁମ୍ଭାରପୁଟ ଗ୍ରାମର ଗୌରଚନ୍ଦ୍ର କୁମ୍ଭାର (୪୬) ନିଜ ଚାଷ ଜମିକୁ ଯାଇଥିଲେ। ଏହି ସମୟରେ ଗ୍ରାମର ସୁବାସ କୁମ୍ଭାର ପଛପଟୁ ଆସି ହଠାତ୍ ଏକ ବାଉଁଶ ବାଡ଼ି ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ଫଳରେ ଗୌରଚନ୍ଦ୍ରଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା ଏବଂ ସେ ଘଟଣାସ୍ଥଳରେ ହିଁ ଅଚେତ ହୋଇ ପଡ଼ିଯାଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ଏ ନେଇ ଗୌରଚନ୍ଦ୍ର ସେହିଦିନ ରାତିରେ ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ ଦାୟର କରିଥିଲେ। ଅଭିଯୋଗ ଆଧାରରେ ପୁଲିସ କେଶ୍ ନଂ ୩୩୭/୨୦୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ଅଧିକାରୀ ତଥା ଏଏସ୍ଆଇ ବ୍ୟୋମକେଶ ଧାଙ୍ଗଡାମାଝୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସାକ୍ଷୀମାନଙ୍କ ବୟାନ ରେକର୍ଡ କରିଥିଲେ। ପୁଲିସ ଘଟଣାସ୍ଥଳରୁ ଆକ୍ରମଣରେ ବ୍ୟବହୃତ ପ୍ରାୟ ୬ ଫୁଟ ୩ ଇଞ୍ଚ ଲମ୍ବର ବାଉଁଶ ବାଡ଼ି ସମେତ ରକ୍ତଭିଜା ଗାମୁଛା, ବନିଆନ ଓ ଏକ ଲୁଙ୍ଗି ଜବତ କରିଛି। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଶୁଭ କୁମ୍ଭାର ନିଜ ଘରେ ଥିବା ଖବର ପାଇ ପୁଲିସ ତାଙ୍କୁ କାବୁ କରି ଥାନାକୁ ଆଣିଥିଲା। ପଚରାଉଚରା ବେଳେ ସେ ନିଜର ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତ ଓ ପ୍ରମାଣ ଆଧାରରେ ପୋଲିସ ଗିରଫ କରିବା ସହ ଡାକ୍ତରୀ ମାଇନା ପରେ କୋର୍ଟକୁ ଚାଲାଣ କରିଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମାଞ୍ଜୁର ହେବାରୁ ଜେଲ୍ ପଠାଯାଇଥିବା ନେଇ ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି