
ଯୁବପିଢ଼ିଙ୍କୁ ମହାପୁରୁଷଙ୍କ ଜୀବନୀ ପଢ଼ିବାକୁ ଆହ୍ୱାନ; ଅକ୍ଟୋବର ୩୧ରେ ‘ରନ୍ ଫର୍ ୟୁନିଟି’ରେ ସାମିଲ ହେବାକୁ ନିବେଦନ
ନୂଆଦିଲ୍ଲୀ, ୨୫ ଅକ୍ଟୋବର (ହି.ସ.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ମାଧ୍ୟମରେ ଫାଇବର ଅପ୍ଟିକ୍ସର ଜନକ ନରିନ୍ଦର ସିଂହ କପାନୀ (ଜୟନ୍ତୀ: ଅକ୍ଟୋବର ୩୧) ଏବଂ ଗଦର ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ଭାଇ ପରମାନନ୍ଦ (ଜୟନ୍ତୀ: ନଭେମ୍ବର ୪)ଙ୍କୁ ସ୍ମରଣ କରିଛନ୍ତି। ଦେଶର ମହାନ ବ୍ୟକ୍ତିତ୍ୱମାନଙ୍କ ଜୀବନୀ ପଢ଼ିବା ସହ ସେମାନଙ୍କ ଜୀବନରୁ ପ୍ରେରଣା ନେବାକୁ ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି। ଏଥିସହ ଅକ୍ଟୋବର ୩୧ରେ ‘ରନ୍ ଫର୍ ୟୁନିଟି’ରେ ଭାଗ ନେବାକୁ ଦେଶବାସୀଙ୍କୁ ଅନୁରୋଧ କରିବା ସହ ଆଗାମୀ ପର୍ବପର୍ବାଣି ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ମହର୍ଷି ବାଲ୍ମୀକିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ଯେ, ତାଙ୍କ ରଚିତ ରାମାୟଣର ଶାଶ୍ୱତ ଜ୍ଞାନ ଓ ଶିକ୍ଷା ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଇ ଆସୁଛି। ରାମାୟଣ ଆମକୁ ନିରନ୍ତର ପ୍ରୟାସ ଜାରି ରଖିବା ସହ ସେବା, କରୁଣା ଓ ସାମାଜିକ ସମରସତାର ମହତ୍ତ୍ୱ ବୁଝାଇଥାଏ।
ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’କୁ ୧୨ ବର୍ଷ ପୂରଣ ହୋଇଛି। ୧୨ ବର୍ଷ ପୂର୍ବେ ବିଜୟାଦଶମୀ ଅବସରରେ ସେ ଦେଶବାସୀଙ୍କ ସହ ଯୋଗାଯୋଗ ସ୍ଥାପନ ପାଇଁ ରେଡିଓକୁ ମାଧ୍ୟମ ଭାବେ ବାଛିଥିଲେ। ଏହି ଦୀର୍ଘ ଯାତ୍ରାକୁ ସେ ଲୋକଙ୍କ ପ୍ରୟାସ ଓ ସଫଳତାକୁ ଜାଣିବାର ଏକ ତୀର୍ଥଯାତ୍ରା ଭାବେ ବର୍ଣ୍ଣନା କରିଛନ୍ତି।
କାର୍ଯ୍ୟକ୍ରମର ୧୩୯ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ମୋ ପାଇଁ ମନ୍ କି ବାତ୍ କୌଣସି ତୀର୍ଥଯାତ୍ରାଠାରୁ କମ୍ ନୁହେଁ। ଏହା ଆମ ଲୋକଙ୍କ ପ୍ରୟାସକୁ ଗଭୀର ଭାବେ ବୁଝିବା ଏବଂ ସେମାନଙ୍କ ଅବଦାନକୁ ସମ୍ମାନ ଜଣାଇବାର ଏକ ଯାତ୍ରା।”
ନରିନ୍ଦର ସିଂହ କପାନୀଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତାଙ୍କର ଅଗ୍ରଣୀ ଗବେଷଣା ଆଧୁନିକ ଯୋଗାଯୋଗ ବ୍ୟବସ୍ଥାକୁ ନୂଆ ଦିଗ ଦେଇଥିଲା। ବିଶ୍ୱ ତାଙ୍କୁ ‘ଫାଇବର ଅପ୍ଟିକ୍ସର ଜନକ’ ଭାବେ ଜାଣେ। ପଞ୍ଜାବର ମୋଗା ଜିଲ୍ଲାରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କ ଗବେଷଣା ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା। ଆଜିର ଇଣ୍ଟରନେଟ୍ ଓ ଡିଜିଟାଲ ଯୋଗାଯୋଗ ବ୍ୟବସ୍ଥାର ବିକାଶରେ ତାଙ୍କ ଗବେଷଣାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।
ସ୍ୱାଧୀନତା ସଂଗ୍ରାମର ମହାନ କ୍ରାନ୍ତିକାରୀ ଭାଇ ପରମାନନ୍ଦଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ଜୀବନ ସାହସ, ତ୍ୟାଗ ଓ ରାଷ୍ଟ୍ରସେବାର ଏକ ଉଜ୍ଜ୍ୱଳ ଉଦାହରଣ। ସ୍ୱାଧୀନତା ଆନ୍ଦୋଳନରେ ତାଙ୍କ ଅବଦାନକୁ ସର୍ବଦା ସ୍ମରଣ କରାଯିବ।
ଆର୍ଯ୍ୟ ସମାଜ ସହ ତାଙ୍କର ଗଭୀର ସମ୍ପର୍କ ଥିଲା। ଦକ୍ଷିଣ ଆଫ୍ରିକା ଓ ଗୁୟାନାରେ ମଧ୍ୟ ସେ ଆର୍ଯ୍ୟ ସମାଜର କାର୍ଯ୍ୟକଳାପ ସହ ଜଡ଼ିତ ଥିଲେ। ଦକ୍ଷିଣ ଆଫ୍ରିକାରେ ତାଙ୍କର ମହାତ୍ମା ଗାନ୍ଧୀଙ୍କ ସହ ସାକ୍ଷାତ ହୋଇଥିଲା। ସେ ଗଦର ପାର୍ଟିର ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରେ ଅନ୍ୟତମ ଥିଲେ। ଏଥିସହ ଲାଲା ହରଦୟାଲଙ୍କୁ ଆମେରିକା ଯିବା ପାଇଁ ସେ ପ୍ରେରିତ କରିଥିଲେ।
‘ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ପ୍ରେରଣାଦାୟୀ ପଦକ୍ଷେପ ଓ ସଫଳତାର କାହାଣୀ ମଧ୍ୟ ଉପସ୍ଥାପନ କରିଥିଲେ। ଏଥିରେ ପଞ୍ଜାବରେ ପାରମ୍ପରିକ କୃଷି ପଦ୍ଧତିର ପୁନରୁଦ୍ଧାର ପାଇଁ ଚାଲିଥିବା ଉଦ୍ୟମ ଅନ୍ୟତମ।
ସେ କହିଥିଲେ ଯେ, ପଞ୍ଜାବର ‘ଖେତି ବିରାସତ ମିଶନ’ ନାମକ ଏକ ସଂସ୍ଥା ମାଲୱା ଅଞ୍ଚଳରେ କପାର ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରୁଛି। ଏହି ପଦକ୍ଷେପର ନାମ ‘ନବ-ତ୍ରିଞ୍ଜନ’ ରଖାଯାଇଛି।
ମେଘାଳୟ ଓ ନାଗାଲାଣ୍ଡରେ ପାରମ୍ପରିକ ବାଜରା ଚାଷ ପୁଣି ଲୋକପ୍ରିୟ ହେବାରେ ଲାଗିଛି। ଏହା ଉତ୍ତର-ପୂର୍ବାଞ୍ଚଳର କୃଷକମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ମେଘାଳୟର ପଶ୍ଚିମ ଜୟନ୍ତିଆ ହିଲ୍ସ ଜିଲ୍ଲାର ଖାଣ୍ଡୁଲି ଗ୍ରାମରେ ବାଜରା ଅନେକ ପିଢ଼ି ଧରି ସ୍ଥାନୀୟ ଖାଦ୍ୟ ସଂସ୍କୃତିର ଅଂଶ ହୋଇ ରହିଛି। କିନ୍ତୁ କିଛି ସମୟ ଧରି ଏହାର ଚାଷ କରୁଥିବା କୃଷକଙ୍କ ସଂଖ୍ୟା କମିବାରେ ଲାଗିଥିଲା। ଏଭଳି ସ୍ଥିତିରେ ଗ୍ରାମର ଦୁଇ ଜଣ ସାଙ୍ଗ ବାଜରାରୁ ନୂଆ ଖାଦ୍ୟ ଉତ୍ପାଦ ପ୍ରସ୍ତୁତ କରିବାର ପଦକ୍ଷେପ ନେଇଥିଲେ। ସେମାନେ ବାଜରାରୁ କୁକିଜ୍, କେକ୍, ମଫିନ୍ ଓ ଶିଶୁଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥିଲେ। ଫଳରେ ବାଜରାରୁ ପ୍ରସ୍ତୁତ ଉତ୍ପାଦର ବିକ୍ରି ଓ ଚାହିଦା ବୃଦ୍ଧି ପାଇବାକୁ ଲାଗିଥିଲା।
ସାମୂହିକ ପ୍ରୟାସରେ ପୁନର୍ଜୀବିତ ହେଉଛି ହେୱାଲ ନଦୀ
ଉତ୍ତରାଖଣ୍ଡରେ ହେୱାଲ ନଦୀକୁ ପୁନର୍ଜୀବିତ କରିବା ପାଇଁ ସାମୂହିକ ଉଦ୍ୟମ ଚାଲିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଟିହରୀ ଗଢ଼ୱାଲ ଅଞ୍ଚଳର ଲୋକେ ସ୍ଥାନୀୟ ପ୍ରଶାସନ ସହ ମିଶି ଏକ ଅଭିଯାନ ଆରମ୍ଭ କରିଥିଲେ। ବର୍ଷାଜଳ ସଂରକ୍ଷଣ, ଭୂମି ଭିତରକୁ ଜଳ ପ୍ରବେଶ ବୃଦ୍ଧି ଏବଂ ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ସାମୂହିକ ପ୍ରୟାସ ଫଳରେ ହେୱାଲ ନଦୀକୁ ନୂଆ ଜୀବନ ମିଳିବା ସହ ଅନେକ ପ୍ରାକୃତିକ ଜଳସ୍ରୋତର ପୁନରୁଦ୍ଧାରରେ ମଧ୍ୟ ସହାୟତା ମିଳିଛି।
ମାନବ ମସ୍ତିଷ୍କକୁ ଅଧିକ ଭଲ ଭାବେ ବୁଝିବା ପାଇଁ ଆଇଆଇଟି ମାଡ୍ରାସରେ ଗବେଷଣା ଆଗକୁ ବଢ଼ୁଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଏଠାରେ ‘ସୁଧା ଗୋପାଳକୃଷ୍ଣନ୍ ବ୍ରେନ୍ ସେଣ୍ଟର’ର ଉଦ୍ଘାଟନ କରାଯାଇଥିଲା।
ଏହି କେନ୍ଦ୍ର ମସ୍ତିଷ୍କର ଉଚ୍ଚ-ବିଭେଦନ କ୍ଷମତାସମ୍ପନ୍ନ ଡିଜିଟାଲ ତ୍ରିମାତ୍ରିକ ଚିତ୍ର ପ୍ରସ୍ତୁତ କରିବା ପାଇଁ ଏକ ମଞ୍ଚ ବିକଶିତ କରିଛି। ୧୦୦ଟି ମାନବ ମସ୍ତିଷ୍କର ତ୍ରିମାତ୍ରିକ ମ୍ୟାପିଂ କରି ସେଗୁଡ଼ିକର ବିସ୍ତୃତ ଅଧ୍ୟୟନ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ।
ଇ-ସଞ୍ଜୀବନୀ ଦୂରଦୂରାନ୍ତରେ ପହଞ୍ଚାଉଛି ସ୍ୱାସ୍ଥ୍ୟସେବା
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଇ-ସଞ୍ଜୀବନୀ ଟେଲିମେଡିସିନ୍ ସେବା ମାଧ୍ୟମରେ ଦେଶର ଦୁର୍ଗମ ଅଞ୍ଚଳରେ ମଧ୍ୟ ଲୋକଙ୍କୁ ଚିକିତ୍ସା ସେବା ମିଳିପାରୁଛି। ଏହାର ଉଦାହରଣ ଦେଇ ସେ ଆଣ୍ଡାମାନ-ନିକୋବରର ବାରାଟାଙ୍ଗ ଦ୍ୱୀପର ଜାରୱା ଜନଜାତିର ସାତ ବର୍ଷୀୟ ବାଳକ ଓହୋ-ତାହାନେଙ୍କ କଥା କହିଥିଲେ।
ବାଳକଟିକୁ ପ୍ରବଳ ଜ୍ୱର ହେବା ସହ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଥିଲା। ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀମାନେ ଇ-ସଞ୍ଜୀବନୀ ମାଧ୍ୟମରେ ବିଶେଷଜ୍ଞ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ। ପରୀକ୍ଷାରୁ ବାଳକଟି ନିମୋନିଆରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ବିଶେଷଜ୍ଞ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ମିଳିବା ପରେ ତା’ର ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ସୁଧାର ଆସିଥିଲା।
ସେହିପରି ଲକ୍ଷଦ୍ୱୀପର କାଲପେନି ଦ୍ୱୀପର ପ୍ରାୟ ୬୦ ବର୍ଷୀୟ କୁନ୍ହି କୋୟା ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଇ-ସଞ୍ଜୀବନୀ ମାଧ୍ୟମରେ କାଭାରତ୍ତୀରେ ଥିବା ଜଣେ ଅଭିଜ୍ଞ ଡାକ୍ତରଙ୍କ ସହ ଯୋଗାଯୋଗ କରାଯାଇଥିଲା। ଡାକ୍ତର ଜଣକ ସ୍ଥାନୀୟ ଚିକିତ୍ସା ଦଳକୁ ଆବଶ୍ୟକ ପରାମର୍ଶ ଦେବାରୁ କୁନ୍ହି କୋୟା ଆଶ୍ୱସ୍ତି ପାଇଥିଲେ।
‘ଭୋକାଲ୍ ଫର୍ ଲୋକାଲ୍’ ଅଭିଯାନକୁ ଆହୁରି ମଜବୁତ କରିବା ପାଇଁ ସ୍ଥାନୀୟ ଉତ୍ପାଦକୁ ଆପଣାଇବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପୁଣି ଆହ୍ୱାନ ଦେଇଛନ୍ତି। ସେ କହିଥିଲେ ଯେ, ବିହାରର ମଖାନା ଓ କର୍ଣ୍ଣାଟକର ହରଡ଼ ଡାଲି ବିଶ୍ୱ ବଜାରରେ ନୂଆ ସୁଯୋଗ ଖୋଜୁଛି। ମହାରାଷ୍ଟ୍ରର ଆଦିବାସୀ ଉତ୍ପାଦଗୁଡ଼ିକୁ ସେମାନଙ୍କ କଳା ଓ ପରମ୍ପରାକୁ ପ୍ରତିଫଳିତ କରୁଥିବା ପ୍ୟାକେଜିଂ ମାଧ୍ୟମରେ ଏକ ସ୍ୱତନ୍ତ୍ର ପରିଚୟ ମିଳୁଛି। ସେହିପରି ଖଦିର ବଢ଼ୁଥିବା ଲୋକପ୍ରିୟତା ପାରମ୍ପରିକ କାରିଗରମାନଙ୍କୁ ସହାୟତା ଯୋଗାଉଛି।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ