
ଭଦ୍ରକ, ୨୫ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ରଇପୁର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଉତେଜନା ପ୍ରକାଶ ପାଇଛି।କାର୍ଯ୍ୟରତ ଆରଆଇଙ୍କୁ ଅଶ୍ଳୀଳ ଗାଳିଗୁଲଜ, ସରକାରୀ କାଗଜପତ୍ର ଚିରି ନଷ୍ଟ କରିବା ଏବଂ ଆକ୍ରମଣ ଉଦ୍ୟମ ନେଇ ଅଭିଯୋଗ ହେବା ପରେ ଧୂଷୁରୀ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁସାରେ,ଗତ ଶୁକ୍ରବାର ଦିନ ରଇପୁର ଆରଆଇ କାର୍ଯ୍ୟାଳୟରେ ରାଜସ୍ୱ ନିରୀକ୍ଷକ ଶକ୍ତି ରଞ୍ଜନ ମଲ୍ଲିକ ସରକାରୀ କାର୍ଯ୍ୟ କରୁଥିଲେ। ଏହି ସମୟରେ ରଇପୁର ଗ୍ରାମର ବସନ୍ତ କୁମାର ରାଉତ ସେଠାରେ ପହଂଚି ଉତ୍ୟକ୍ତ ହୋଇ ବନ୍ୟା ଯୋଗୁଁ ତାଙ୍କର ଫସଲ ହାନି ହୋଇଥିବା ଏବଂ ବାରମ୍ବାର କ୍ଷତିପୂରଣ ପ୍ରଦାନ ପାଇଁ ଆବଶ୍ୟକ କାଗଜପତ୍ର ଦେବା ସତ୍ୱେ କାହିଁକି କାମ ହେଉନାହିଁ ବୋଲି ପଚାରି ଥିଲେ।ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।ଏହାକୁ କେନ୍ଦ୍ରକରି ବସନ୍ତ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏଥିସହ କାର୍ଯ୍ୟାଳୟରେ ଥିବା ସରକାରୀ କାଗଜପତ୍ର ଚିରିବା ସହ ଆର.ଆଇ.ଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ଏନେଇ ଆରଆଇ ଶ୍ରୀ ମଲ୍ଲିକ ଧୂଷୁରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ୍ ନଂ ୪୬୯/୨୬ ରୁଜ୍ଜୁ କରିଥିବା ଜଣାଯାଇଛି। ଏଏସ୍ଆଇ ବୈଷ୍ଣବ କୁମାର ତ୍ରିପାଠୀ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ