
ଜୟପୁର, ୨୫ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲା କୋଟିଆରେ ଆନ୍ଧ୍ରପ୍ରଦେଶର ହସ୍ତକ୍ଷେପ ଓ କେନ୍ଦ୍ର ସରକାରଙ୍କ ‘ଭୋଟ ଚୋରି’ ପ୍ରସଙ୍ଗକୁ ନେଇ କଂଗ୍ରେସ ଆନ୍ଦୋଳନକୁ ଜୋରଦାର କରିବ ବୋଲି ଆଜି ସ୍ୱଷ୍ଟ କରିଛି । ଏ ନେଇ ଆଜି ଜୟପୁର ସ୍ଥିତ ବାବା ସାହେବ କଲ୍ୟାଣ ମଣ୍ଡପ ଠାରେ କଂଗ୍ରେସ ତରଫରୁ ସୂଚନା ଦିଆଯାଇଛି ଏହି ପ୍ରସଙ୍ଗରେ ଜନମତ ସୃଷ୍ଟି କରିବା ସହ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ପାଇଁ ଜୟପୁର ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଚ୍ଛି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ଓ ଦଳୀୟ ବୈଠକରେ କେନ୍ଦ୍ରର ବିଜେପି ସରକାର ଏବଂ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକଳାପକୁ ନେଇ ନେତାମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।
ଏଆଇସିସି ପର୍ଯ୍ୟବେକ୍ଷକ ହରପାଲ ଠାକୁର, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କଡ଼ାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକ, ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ବରିଷ୍ଠ ନେତା ବିନୋଦ ମହାପାତ୍ର, ପୂର୍ବତନ ବିଧାୟକ ନିମାଇଁ ସରକାର ପ୍ରମୁଖ ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। କଂଗ୍ରେସ ନେତାମାନେ ଅଭିଯୋଗ କରିଥିଲେ ଯେ, ନିର୍ବାଚନ ଆୟୋଗକୁ ମାଧ୍ୟମ କରି କେନ୍ଦ୍ର ସରକାର ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରୁଛନ୍ତି। ‘ସ୍ପେଶାଲ ଇଂଟେନସିଭ୍ ରିଭିଜନ୍’ (ଏସ୍ଆଇଆର) ନାମରେ ୧୩.୩୯ କୋଟିରୁ ଊର୍ଦ୍ଧ୍ୱ ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦିଆଯାଇଥିବା ସେମାନେ ଦାବି କରିଥିଲେ। ଏହି ପ୍ରକ୍ରିୟାରେ ଗରିବ, ଶ୍ରମିକ, ଦଳିତ ଓ ବିରୋଧୀ ଦଳର ସମର୍ଥକମାନେ ପ୍ରଭାବିତ ହେଉଥିବା ନେଇ ଦଳ ଉଦବେଗ ପ୍ରକାଶ କରିଥିଲା।
ଏହାର ପ୍ରତିବାଦରେ ଅକ୍ଟୋବର ୧ରୁ ନଭେମ୍ବର ୨୬, ସମ୍ବିଧାନ ଦିବସ ପର୍ଯ୍ୟନ୍ତ ‘ଭୋଟ ବଂଚାଅ, ଦେଶ ବଂଚାଅ’ ଅଭିଯାନ ଚାଲିଥିବା ନେତାମାନେ କହିଥିଲେ। ଏହି ଅଭିଯାନ ଅନ୍ତର୍ଗତ ପଦଯାତ୍ରା, ବାଇକ୍ ରାଲି ଓ ଗ୍ରାମସଭା ବୈଠକ ମାଧ୍ୟମରେ ଦେଶବ୍ୟାପୀ ଏବଂ ଓଡ଼ିଶାର ବିଭିନ୍ନ ବ୍ଲକ୍ ଓ ପଂଚାୟତରେ ଲୋକଙ୍କୁ ସଚେତନ କରାଯାଉଛି। ଏସ୍ଆଇଆର୍ ପ୍ରକ୍ରିୟାକୁ ବାତିଲ କରିବା ସହ ମୁଖ୍ୟ ନିର୍ବାଚନ କମିଶନରଙ୍କ ବହିଷ୍କାର ପାଇଁ ଦଳ ଦାବି କରିଛି। ଅନ୍ୟପକ୍ଷରେ, କୋରାପୁଟ ଜିଲ୍ଲାର କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଚଳାଇବା ଓ ଅନୁପ୍ରବେଶ ଅଭିଯୋଗକୁ ନେଇ କଂଗ୍ରେସ ତୀବ୍ର ବିରୋଧ କରିଛି। କୋଟିଆ ଗସ୍ତ ସମୟର ଅନୁଭୂତି ବଖାଣି ନେତାମାନେ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଆନ୍ଧ୍ରପ୍ରଦେଶ ସେଠାରେ ନିଜର ପ୍ରଭାବ ବିସ୍ତାର କରିବାକୁ ସୁଯୋଗ ପାଉଛି। ଓଡ଼ିଶାର ସୀମାନ୍ତ ଅଂଚଳରେ ରାଜ୍ୟର ସ୍ୱାର୍ଥ ଓ ଅଧିବାସୀଙ୍କ ଅଧିକାରର ସୁରକ୍ଷା ପାଇଁ ସରକାର ତତ୍ପର ହେବା ଆବଶ୍ୟକ ବୋଲି ସୂଚନା ଦେଇଥିଲେ ।
କୋଟିଆ ପ୍ରସଙ୍ଗ ଓ ଭୋଟର ତାଲିକାର ସ୍ୱଚ୍ଛତାକୁ ନେଇ କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଚେତାବନୀ ଦେଇଛି। ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ସହ କୋଟିଆରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ଏହି ଆନ୍ଦୋଳନର ପ୍ରମୁଖ ପ୍ରସଙ୍ଗ ହେବ ବୋଲି ଦଳୀୟ ନେତାମାନେ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି