
ଜୟପୁର, ୨୫ ଅକ୍ଟୋବର (ହି.ସ.)- ଦୁର୍ନୀତି ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଆଜି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ନୂଆପଡ଼ା ସ୍ଥିତ ସୁନାବେଡା ବନ୍ୟପ୍ରାଣୀ ବିଭାଗର ଡିଏଫଓ କାର୍ଯ୍ୟାଳୟର ବରିଷ୍ଠ ସହାୟକ ତଥା 'ଏଷ୍ଟାବ୍ଲିସମେଣ୍ଟ ସେକ୍ସନ୍' ର ଦାୟିତ୍ୱରେ ଥିବା ବାବୁଲୁ ସୁନାଙ୍କୁ ଗିରଫ କରାଯାଇଛି। ଅଭିଯୋଗ ଅନୁଯାୟୀ, ସେ ୨୦୨୩ ମସିହାରୁ ଏମଏସିପି/ଆରଏସିପି ଯୋଜନା ଅଧୀନରେ ନକଲି ବିଲ୍ ପ୍ରସ୍ତୁତ କରି ୨.୬୦ କୋଟି ଟଙ୍କାରୁ ଅଧିକ ସରକାରୀ ଅର୍ଥ ହେରଫେର କରିଛନ୍ତି। ତାଙ୍କୁ ଭବାନୀପାଟଣା ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅଦାଲତରେ ହାଜର କରାଯାଉଛି।ଗତ ଛଅ ମାସ ଧରି ଫେରାର ଥିବା ଶ୍ରୀ ସୁନାଙ୍କୁ ଗତକାଲି ରାତିରେ ବଲାଙ୍ଗୀରରୁ ଓଡ଼ିଶା ଭିଜିଲାନ୍ସ ଧରିବାରେ ସକ୍ଷମ ହୋଇଥିଲା। ୨.୬୦ କୋଟି ଟଙ୍କାରୁ ଅଧିକ ସରକାରୀ ଅର୍ଥ ହେରଫେର ହୋଇଥିବା ନେଇ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା।ଓଡ଼ିଶା ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ବିସ୍ତୃତ ତଦନ୍ତରୁ ଜଣାପଡ଼ିଛି ଯେ, ଶ୍ରୀ ସୁନା 'ଏଷ୍ଟାବ୍ଲିସମେଣ୍ଟ ସେକ୍ସନ୍'ର ଦାୟିତ୍ୱରେ ଥିବା ନିଜ ପଦବୀର ଅପବ୍ୟବହାର କରି ଏହି ଜାଲିଆତି କରିଥିଲେ। ସେ 'ମୋଡିଫାଏଡ୍ ଆସ୍ୟୁର୍ଡ କ୍ୟାରିୟର୍ ପ୍ରୋଗ୍ରେସନ୍' (ଏମଏସିପି) ଏବଂ 'ରିଭାଇଜଡ୍ ଆସ୍ୟୁର୍ଡ କ୍ୟାରିୟର୍ ପ୍ରୋଗ୍ରେସନ୍' (ଆରଏସିପି) ଯୋଜନା ଅଧୀନରେ ମିଥ୍ୟା 'ଏରିୟର' (ବକେୟା ପ୍ରାପ୍ୟ) ବିଲ୍ ପ୍ରସ୍ତୁତ କରିଥିଲେ। ସେ ସୁନାବେଡା ବନ୍ୟପ୍ରାଣୀ ବିଭାଗର ପୂର୍ବତନ, ଅବସରପ୍ରାପ୍ତ ଏବଂ ମୃତ କର୍ମଚାରୀଙ୍କ ପରିଚୟ ଓ ତଥ୍ୟ ବ୍ୟବହାର କରି ଏହି ଜାଲିଆତି ବିଲ୍ ଗୁଡ଼ିକୁ ପ୍ରସ୍ତୁତ କରିଥିଲେ। ଏହି ଉପାୟରେ ସେ ସରକାରୀ ଅର୍ଥକୁ ନିଜ ପରିବାର ସଦସ୍ୟ (ଯଥା- ପତ୍ନୀ, ଭାଇ, ଭଉଣୀ ଏବଂ ୨ ଜଣ ଘନିଷ୍ଠ ମୋଟ ଉପରେ, ସେ ୨,୬୦,୨୧,୩୦୬ ଟଙ୍କା ଆତ୍ମସାତ୍ କରିଥିବା ଜଣାପଡ଼ିଛି।ଏହି ଘଟଣାରେ, ଅଭିଯୁକ୍ତ ବାବୁଲୁ ସୁନାଙ୍କ ବିରୋଧରେ କୋରାପୁଟ ଭିଜିଲାନ୍ସ ଥାନାରେ 'ଦୁର୍ନୀତି ନିବାରଣ ଆଇନ' ଏବଂ 'ଭାରତୀୟ ନ୍ୟାୟ ସଂହିତା' (ବିଏନଏସ) ର ସମ୍ବନ୍ଧିତ ଧାରା ଅଧୀନରେ ମାମଲା ନମ୍ବର ୨୪ ଓ ୨୫/୨୦୨୬ ରୁଜୁ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ପିକେପି