ଟ୍ରାନ୍ସଫର୍ମର ତାର ଚୋରି ଓ ଡକାୟତି ଘଟଣା : ଚୋରା ମାଲ୍ କିଣିଥିବା ବ୍ୟବସାୟୀ ଗିରଫ
ଜୟପୁର, ୨୫ ଅକ୍ଟୋବର (ହି.ସ.)- କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ବାର୍ଲାହାଣ୍ଡି ସ୍ଥିତ ଏମ୍ଇଆର୍ପିଏଲ୍ ନଦୀ ଇନଟେକ୍ ପ୍ଲାଣ୍ଟ୍ ର ସୁରକ୍ଷାକର୍ମୀଙ୍କୁ ବନ୍ଧକ ରଖି ଟ୍ରାନ୍ସଫର୍ମରରୁ ତମ୍ବା ତାର ଲୁଟ୍ ଘଟଣାରେ ଜଡିତ ଅନ୍ୟ ଏକ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଡକାୟତି ସାମଗ୍ରୀ କିଣିବା
ବାରିଣିପୁଟ ଓ ଏକଟାଗୁଡାରେ ଜୁଆ ଆଡ୍ଡା ଉପରେ ଚଢାଉ


ଜୟପୁର, ୨୫ ଅକ୍ଟୋବର (ହି.ସ.)- କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ବାର୍ଲାହାଣ୍ଡି ସ୍ଥିତ ଏମ୍ଇଆର୍ପିଏଲ୍ ନଦୀ ଇନଟେକ୍ ପ୍ଲାଣ୍ଟ୍ ର ସୁରକ୍ଷାକର୍ମୀଙ୍କୁ ବନ୍ଧକ ରଖି ଟ୍ରାନ୍ସଫର୍ମରରୁ ତମ୍ବା ତାର ଲୁଟ୍ ଘଟଣାରେ ଜଡିତ ଅନ୍ୟ ଏକ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଡକାୟତି ସାମଗ୍ରୀ କିଣିବା ଅଭିଯୋଗରେ ଜୟପୁର ଟାଉନ୍ ଥାନା ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ସଦର ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜୟପୁର ଟାଉନ୍ ଜମାଲ କଲୋନୀ ଚତୁର୍ଥ ଲାଇନ୍ ର ଭି. ଆନନ୍ଦ (୪୩)। ସୂଚନା ଅନୁସାରେ, ଗତ ଜୁଲାଇ ୨୭ ତାରିଖ ରାତିରେ ବାର୍ଲାହାଣ୍ଡି ସ୍ଥିତ ନଦୀ ଇନଟେକ୍ ପ୍ଲାଣ୍ଟରେ କାର୍ଯ୍ୟରତ ଥିବା ୩ ଜଣ ସୁରକ୍ଷାକର୍ମୀ ଉଦୟନାଥ ପ୍ରଧାନ, ଜୁରିଆ ପ୍ରଧାନ ଓ ସୁକାନ୍ତ ବେହେରାଙ୍କୁ ମୁହଁ ବାନ୍ଧି ଆସିଥିବା ଦୁର୍ବୃତ୍ତମାନେ ଭୟଭୀତ କରାଇଥିଲେ। ସେମାନଙ୍କ ଠାରୁ ମୋବାଇଲ୍ ଛଡ଼ାଇ ନେବା ସହ ଏକ ପ୍ୟାନେଲ୍ ରୁମ୍ ରେ ତାଲା ପକାଇ ଅଚଳ ଟ୍ରାନ୍ସଫର୍ମରକୁ ଖୋଲି ସେଥିରୁ ପ୍ରାୟ ୧୪ଟି ବଣ୍ଡଲ୍ ତମ୍ବା କଏଲ୍ ଖୋଲି ନେଇଥିଲେ। ଏଥିରୁ ୧୩ଟି ବଣ୍ଡଲ୍ ସେମାନେ ନେଇ ଯାଇଥିବା ବେଳେ ଗୋଟିଏ ବଣ୍ଡଲ୍ ଘଟଣାସ୍ଥଳରେ ଛାଡ଼ି ପଳାଇଥିଲେ। ଏନେଇ ସୁରକ୍ଷା ଠିକାଦାର ସନ୍ତୋଷ ମଲ୍ଲିକଙ୍କ ଲିଖିତ ଅଭିଯୋଗ କ୍ରମେ ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ କେଶ୍ ନଂ- ୨୪୨/୨୬ରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। କୋରାପୁଟରୁ ଫରେନ୍ସିକ୍ ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାସ୍ଥଳ ଯାଞ୍ଚ କରି ପ୍ରମାଣ ସଂଗ୍ରହ କରିଥିଲେ। ତଦନ୍ତ ପ୍ରକ୍ରିୟା ମଧ୍ୟରେ ପୁଲିସ ପୂର୍ବରୁ ଡକାୟତିରେ ସମ୍ପୃକ୍ତ ଥିବା ମୋହନ ବାଘ, ରୋହିତ ଖୋରା, ପିଣ୍ଟୁ ହରିଜନ, ବିଧାନ୍ତ କୁମାର ମହାନ୍ତି, ରୋହିତ ମେହେର, କେଶବ ଜାନୀଙ୍କୁ ଗିରଫ କରିଥିଲା ଏବଂ ଧନପତି ହରିଜନ ଓ କୁନୁ ହରିଜନ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଏହାସହ ଚୋରି କାର୍ଯ୍ୟରେ ବ୍ୟବହୃତ ଅଟୋ (ଓଡି-୧ ୦କ୍ୱି-୫୦୫୩) ସହ ଚାଳକ ସୋମନାଥ ହରିଜନକୁ ଗତ ସେପ୍ଟେମ୍ବର ୨୧ରେ କୋର୍ଟ ଚାଲାଣ କରାଯାଇଥିଲା।ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ଅଭିଯୁକ୍ତମାନେ ଚୋରି ହୋଇଥିବା ପ୍ରାୟ ୧୭୦ କିଲୋଗ୍ରାମ ଓଜନର ତମ୍ବା କଏଲ୍ କୁ ଜୟପୁର ରିଂ ରୋଡ୍ ସ୍ଥିତ ବ୍ୟବସାୟୀ ଭି. ଆନନ୍ଦଙ୍କ ଗୋଦାମରେ ୧ ଲକ୍ଷ ୩ ହଜାର ଟଙ୍କାରେ ବିକ୍ରି କରି ଏହି ଅର୍ଥକୁ ପରସ୍ପର ମଧ୍ୟରେ ବାଣ୍ଟି ନେଇଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତଦନ୍ତକାରୀ ଅଧିକାରୀ ଏସ୍ଆଇ ଶିରୀଶ ମହାପାତ୍ର ଏବଂ ପୋଲିସ ଟିମ୍ ଜୟପୁର ଘରୋଇ ବସଷ୍ଟାଣ୍ଡ ନିକଟରେ ଚଢ଼ଉ କରି ଭି. ଆନନ୍ଦଙ୍କୁ ଗିରଫ କରିଥିଲେ। ଜେରା ବେଳେ ଆନନ୍ଦ ଡକାୟତି ସାମଗ୍ରୀ ବୋଲି ଜାଣି ସୁଦ୍ଧା ଲାଭ ପାଇବା ଆଶାରେ ତାହା କିଣିଥିବା ସ୍ୱୀକାର କରିଛନ୍ତି। ତାଙ୍କ ବିରୋଧରେ ବିଏନ୍ଏସ୍ ଧାରା ୩୧୭(୩) ରେ ମାମଲା ଦାୟର କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ୍ ପଠାଯାଇଥିବା ନେଇ ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande