
ନୂଆଦିଲ୍ଲୀ, ୨୭ ଅକ୍ଟୋବର (ହି.ସ.)। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) କହିଛି ଯେ, ବଙ୍ଗୋପସାଗରର ପଶ୍ଚିମ-ମଧ୍ୟ ଭାଗରେ ଘୂର୍ଣ୍ଣିବାତ୍ୟା ‘ଅର୍ଣ୍ଣବ’ ଅତି ଭୀଷଣ ଘୂର୍ଣ୍ଣିବାତ୍ୟାର ରୂପ ନେଇଛି। ଏହା ବର୍ତ୍ତମାନ ବିଶାଖାପାଟଣାଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ରହିଛି। ଆସନ୍ତାକାଲି ସକାଳେ ଏହା ଆନ୍ଧ୍ରପ୍ରଦେଶର ୟାନମ୍ ନିକଟରେ ସ୍ଥଳଭାଗକୁ ଅତିକ୍ରମ କରିବାର ଆଶଙ୍କା ରହିଛି। ବିପର୍ଯ୍ୟୟ ପରିଚାଳନା ବିଭାଗ ଆଜି ଓ ଆସନ୍ତାକାଲି ସମଗ୍ର ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା ପ୍ରକାଶ କରିଛି। ଏହି ସମୟରେ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି।
ଆଇଏମ୍ଡି ଅନୁଯାୟୀ, ଘୂର୍ଣ୍ଣିବାତ୍ୟା ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ଅଧିକ ସମ୍ଭାବନା ରହିଛି। ଏହାପରେ ‘ଅର୍ଣ୍ଣବ’ ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇପାରେ। ଆସନ୍ତାକାଲି ବାପଟଲା ଓ ବିଶାଖାପାଟଣା ମଧ୍ୟରେ ୟାନମ୍ ନିକଟରେ ଆନ୍ଧ୍ରପ୍ରଦେଶ ଓ ୟାନମ୍ ଉପକୂଳ ଦେଇ ଏହା ସ୍ଥଳଭାଗ ଅତିକ୍ରମ କରିପାରେ। ଏହି ସମୟରେ ଘୂର୍ଣ୍ଣିବାତ୍ୟା ଅତି ଭୀଷଣ ଶ୍ରେଣୀରେ ରହିବାର ଅନୁମାନ କରାଯାଉଛି।
ଘୂର୍ଣ୍ଣିବାତ୍ୟା ସ୍ଥଳଭାଗକୁ ଅତିକ୍ରମ କରିବା ସମୟରେ ପବନର ସର୍ବାଧିକ ସ୍ଥାୟୀ ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିପାରେ। ତୀବ୍ର ଝଟକା ସହ ପବନର ବେଗ ଘଣ୍ଟାପ୍ରତି ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଏହି ଘୂର୍ଣ୍ଣିବାତ୍ୟାକୁ ନେଇ ଆନ୍ଧ୍ରପ୍ରଦେଶ ଏବଂ ଏହା ସଂଲଗ୍ନ ଦକ୍ଷିଣ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ପାଇଁ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି।
ଓଡ଼ିଶା ସରକାର ଘୂର୍ଣ୍ଣିବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ୬ଟି ଜିଲ୍ଲାରେ ସତର୍କତା ଜାରି କରିଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର। ପ୍ରସ୍ତୁତି କାର୍ଯ୍ୟର ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ ୮ ଜଣ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ବିପଦପ୍ରବଣ ଅଞ୍ଚଳଗୁଡ଼ିକରେ ଏନ୍ଡିଆର୍ଏଫ୍, ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ ପ୍ରତିକ୍ରିୟା ବାହିନୀ, ଅଗ୍ନିଶମ ବିଭାଗ ଏବଂ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶାରେ ୨୨୫ଟି ଅଗ୍ନିଶମ ସେବା ଦଳ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀର ଟିମ୍ଗୁଡ଼ିକୁ ବିପଦପ୍ରବଣ ଜିଲ୍ଲାଗୁଡ଼ିକରେ ମୁତୟନ କରାଯାଇଛି।
ଓଡ଼ିଶା ସରକାର ମୁଦ୍ରିତ, ଇଲେକ୍ଟ୍ରୋନିକ୍ ଓ ଡିଜିଟାଲ୍ ଗଣମାଧ୍ୟମ ପାଇଁ ଏକ ସ୍ୱତନ୍ତ୍ର ପରାମର୍ଶ ଜାରି କରିଛନ୍ତି। ସରକାର ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଘୂର୍ଣ୍ଣିବାତ୍ୟା ସମ୍ପର୍କରେ କେବଳ ଆଇଏମ୍ଡି, ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ଅଧିକୃତ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ସରକାରୀ ସୂଚନା ପ୍ରସାରଣ କରାଯିବ। କୌଣସି ଅଯାଞ୍ଚିତ ପୂର୍ବାନୁମାନ, କାଳ୍ପନିକ ବାତ୍ୟା ଗତିପଥ ମଡେଲ୍ କିମ୍ବା ଆତଙ୍କ ସୃଷ୍ଟି କରୁଥିବା ଖବର ପ୍ରସାରଣ ନକରିବାକୁ କୁହାଯାଇଛି।
ଘୂର୍ଣ୍ଣିବାତ୍ୟାର ବିପଦକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଆଜିଠାରୁ ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଛୁଟି ଘୋଷଣା କରିଛି। ଶିଶୁ ଓ ଗର୍ଭବତୀ ମହିଳାଙ୍କ ପୋଷଣ ପାଇଁ ଘରକୁ ଘର ଶୁଖିଲା ରାସନ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପକୂଳ ରାସ୍ତାରେ ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ମଧ୍ୟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।
ଏହି ଘୂର୍ଣ୍ଣିବାତ୍ୟାର ପ୍ରଭାବ କେବଳ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ସୀମିତ ରହିବାର ସମ୍ଭାବନା ନାହିଁ। ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ପୂର୍ବ ଉତ୍ତରପ୍ରଦେଶ ସମେତ ଅନେକ ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ ବିଭାଗ କରିଛି।
ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାର କେତେକ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ, ଘୂର୍ଣ୍ଣିବାତ୍ୟା ଶକ୍ତିଶାଳୀ ହେବା ପରେ ତାମିଲନାଡୁ ଓ ପୁଡୁଚେରୀର ୯ଟି ବନ୍ଦରରେ ମଧ୍ୟ ସତର୍କତା ଜାରି କରାଯାଇଛି।
ଘୂର୍ଣ୍ଣିବାତ୍ୟାର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ରେଳବାଇ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ୬୦ରୁ ଅଧିକ ଟ୍ରେନ୍ ବାତିଲ କରିଛି ଏବଂ ଅନ୍ୟ କେତେକ ଟ୍ରେନ୍ର ଚଳାଚଳରେ ପରିବର୍ତ୍ତନ କରିଛି। ଆଜି ଓ ଆସନ୍ତାକାଲି ମୋଟ ୫୩ଟି ଟ୍ରେନ୍ ବାତିଲ ରହିବ।
ରେଳବାଇର ତାଲିକା ଅନୁଯାୟୀ, ରାଜମୁନ୍ଦ୍ରୀରୁ ବିଜୟୱାଡ଼ା ମଧ୍ୟରେ ଚଳାଚଳ କରୁଥିବା ଟ୍ରେନ୍ ନମ୍ବର ୬୭୨୬୧କୁ ଅକ୍ଟୋବର ୨୭ ଓ ୨୮ ତାରିଖରେ ବାତିଲ କରାଯାଇଛି। ବିଜୟୱାଡ଼ାରୁ ମାଛିଲିପଟନମ୍ ମଧ୍ୟରେ ଚଳାଚଳ କରୁଥିବା ଟ୍ରେନ୍ ନମ୍ବର ୬୭୨୬୩ ଓ ୬୭୨୬୫ ମଧ୍ୟ ଏହି ଦୁଇ ଦିନ ବାତିଲ ରହିବ।
ମାଛିଲିପଟନମ୍ରୁ ବିଜୟୱାଡ଼ା ଯାଉଥିବା ଟ୍ରେନ୍ ନମ୍ବର ୬୭୨୬୪ ଓ ୬୭୨୫୬କୁ ମଧ୍ୟ ଅକ୍ଟୋବର ୨୭ ଓ ୨୮ ତାରିଖରେ ବାତିଲ କରାଯାଇଛି। ମାଛିଲିପଟନମ୍ ଓ ଗୁଡିୱାଡ଼ା ମଧ୍ୟରେ ଚଳାଚଳ କରୁଥିବା ଟ୍ରେନ୍ ନମ୍ବର ୬୭୨୭୧, ୬୭୨୭୨, ୬୭୨୫୨, ୬୭୨୫୩, ୬୭୨୫୪ ଓ ୬୭୨୫୫ ମଧ୍ୟ ଉଭୟ ଦିନ ଚଳାଚଳ କରିବ ନାହିଁ।
ଏହା ସହିତ କାକିନାଡ଼ା ପୋର୍ଟରୁ ବିଶାଖାପାଟଣା ଯାଉଥିବା ଟ୍ରେନ୍ ନମ୍ବର ୧୭୨୬୭ ଏବଂ ବିଶାଖାପାଟଣାରୁ କାକିନାଡ଼ା ପୋର୍ଟ ଆସୁଥିବା ଟ୍ରେନ୍ ନମ୍ବର ୧୭୨୬୮କୁ ଅକ୍ଟୋବର ୨୭ ଓ ୨୮ ତାରିଖ ପାଇଁ ବାତିଲ କରାଯାଇଛି। ପାର୍ବତୀପୁରମ୍ରୁ ବିଶାଖାପାଟଣା ମଧ୍ୟରେ ଚଳାଚଳ କରୁଥିବା ଟ୍ରେନ୍ ନମ୍ବର ୦୭୨୬୭ ଏବଂ ଫେରନ୍ତା ଟ୍ରେନ୍ ନମ୍ବର ୦୭୨୬୮ ମଧ୍ୟ ଉଭୟ ଦିନ ବାତିଲ ରହିବ।
ଆଜି ବିଜୟୱାଡ଼ାରୁ ନରସାପୁର ଯାଉଥିବା ଟ୍ରେନ୍ ନମ୍ବର ୬୭୨୫୮, ୧୭୨୬୯ ଓ ୬୭୨୫୭ ଚଳାଚଳ କରିବ ନାହିଁ। ନରସାପୁରରୁ ରାଜମୁନ୍ଦ୍ରୀ ଯାଉଥିବା ଟ୍ରେନ୍ ନମ୍ବର ୬୭୨୪୬, ନରସାପୁରରୁ ଭୀମବରମ୍ ଜଙ୍କସନ୍ ଯାଉଥିବା ଟ୍ରେନ୍ ନମ୍ବର ୧୭୨୬୪ ଏବଂ ବିଜୟୱାଡ଼ାରୁ କାକିନାଡ଼ା ପୋର୍ଟ ଯାଉଥିବା ଟ୍ରେନ୍ ନମ୍ବର ୧୭୨୫୭ ମଧ୍ୟ ଚଳାଚଳ କରିବ ନାହିଁ।
ଏହା ବ୍ୟତୀତ ବିଜୟୱାଡ଼ାରୁ ରାଜମୁନ୍ଦ୍ରୀ ଯାଉଥିବା ଟ୍ରେନ୍ ନମ୍ବର ୬୭୨୦୨, ବିଜୟୱାଡ଼ାରୁ ମାଛିଲିପଟନମ୍ ଯାଉଥିବା ଟ୍ରେନ୍ ନମ୍ବର ୬୭୨୬୭, ନରସାପୁରରୁ ଗୁଣ୍ଟୁର ଜଙ୍କସନ୍ ଯାଉଥିବା ଟ୍ରେନ୍ ନମ୍ବର ୬୭୨୪୭ ଏବଂ ନରସାପୁରରୁ ବିଜୟୱାଡ଼ା ଯାଉଥିବା ଟ୍ରେନ୍ ନମ୍ବର ୬୭୨୭୬କୁ ମଧ୍ୟ ବାତିଲ କରାଯାଇଛି।
ଆସନ୍ତାକାଲି ବିଜୟୱାଡ଼ାରୁ ଭୀମବରମ୍ ଜଙ୍କସନ୍ ଯାଉଥିବା ଟ୍ରେନ୍ ନମ୍ବର ୬୭୨୭୫ ଓ ୬୭୨୮୧, ଭୀମବରମ୍ରୁ ନିଦାଦାଭୋଲୁ ଜଙ୍କସନ୍ ଯାଉଥିବା ଟ୍ରେନ୍ ନମ୍ବର ୬୭୨୭୭ ଓ ୬୭୨୮୩ ଏବଂ ଫେରନ୍ତା ଟ୍ରେନ୍ ନମ୍ବର ୬୭୨୭୮ ଓ ୬୭୨୮୪ ଚଳାଚଳ କରିବ ନାହିଁ।
ବିଜୟୱାଡ଼ାରୁ ଗୁଣ୍ଟୁର ଜଙ୍କସନ୍ ଯାଉଥିବା ଟ୍ରେନ୍ ନମ୍ବର ୬୭୨୨୯, ଗୁଣ୍ଟୁରରୁ ରେପଲ୍ଲେ ଯାଉଥିବା ଟ୍ରେନ୍ ନମ୍ବର ୬୭୨୨୩, ରେପଲ୍ଲେରୁ ତେନାଲି ଯାଉଥିବା ଟ୍ରେନ୍ ନମ୍ବର ୬୭୨୨୪ ଏବଂ ତେନାଲିରୁ ବିଜୟୱାଡ଼ା ଯାଉଥିବା ଟ୍ରେନ୍ ନମ୍ବର ୬୭୨୨୨କୁ ମଧ୍ୟ ବାତିଲ କରାଯାଇଛି। ଏହା ବ୍ୟତୀତ ନରସାପୁରରୁ ବିଜୟୱାଡ଼ା ଯାଉଥିବା ଟ୍ରେନ୍ ନମ୍ବର ୧୭୨୭୦ ଏବଂ କାକିନାଡ଼ା ପୋର୍ଟରୁ ବିଜୟୱାଡ଼ା ଯାଉଥିବା ଟ୍ରେନ୍ ନମ୍ବର ୧୭୨୫୮ ଅକ୍ଟୋବର ୨୮ ତାରିଖରେ ଚଳାଚଳ କରିବ ନାହିଁ।
ଘୂର୍ଣ୍ଣିବାତ୍ୟାକୁ ଦୃଷ୍ଟିରେ ରଖି ଅନେକ ଟ୍ରେନ୍ର ଗତିପଥରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଭୁବନେଶ୍ୱରରୁ ଜଗଦଲପୁର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ୍ (୧୮୪୪୭) ଆଜିଠାରୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ରାୟଗଡ଼ାଠାରେ ଯାତ୍ରା ସମାପ୍ତ କରିବ। ଏହାର ଫେରନ୍ତା ଟ୍ରେନ୍ ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍ (୧୮୪୪୮) ଅକ୍ଟୋବର ୨୮ରୁ ୩୧ ତାରିଖ ମଧ୍ୟରେ କୋରାପୁଟ ପରିବର୍ତ୍ତେ ରାୟଗଡ଼ାରୁ ଯାତ୍ରା ଆରମ୍ଭ କରିବ।
ଦକ୍ଷିଣ ଉପକୂଳ ରେଳବାଇ ପକ୍ଷରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଓ ଷ୍ଟେସନ୍ ସହାୟତା କେନ୍ଦ୍ର ଖୋଲାଯାଇଛି। ଏଠାରେ ଟିକେଟ୍ ଅର୍ଥ ଫେରସ୍ତ, ଖାଦ୍ୟ, ବିକଳ୍ପ ବିଦ୍ୟୁତ୍ ଯୋଗାଣ ଏବଂ ଚିକିତ୍ସା ସହାୟତାର ବ୍ୟବସ୍ଥା କରାଯାଇଛି। ରେଳବାଇ ପକ୍ଷରୁ ଜୋନାଲ୍ ଓ ମଣ୍ଡଳ ମୁଖ୍ୟାଳୟଗୁଡ଼ିକରେ ୨୪ ଘଣ୍ଟା କାର୍ଯ୍ୟ କରୁଥିବା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ମଧ୍ୟ ଖୋଲାଯାଇଛି।
ରେଳବାଇ ଯାତ୍ରୀମାନଙ୍କୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ନିଜ ଟ୍ରେନ୍ର ସ୍ଥିତି ସମ୍ପର୍କରେ ନିଶ୍ଚିତ ଭାବେ ତଥ୍ୟ ନେବାକୁ ଅନୁରୋଧ କରିଛି। ଯାତ୍ରୀମାନେ ରେଳବାଇର ଅଧିକୃତ ଅନୁସନ୍ଧାନ ମାଧ୍ୟମରୁ ସୂଚନା ସଂଗ୍ରହ କରି ସେହି ଅନୁଯାୟୀ ନିଜ ଯାତ୍ରାର ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି। ଟ୍ରେନ୍ ସେବା ବାତିଲ ହେବା ଯୋଗୁଁ ଯାତ୍ରୀମାନଙ୍କୁ ହେଉଥିବା ଅସୁବିଧା ପାଇଁ ରେଳବାଇ ଦୁଃଖ ପ୍ରକାଶ କରିଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା