
ନୂଆଦିଲ୍ଲୀ, ୨୭ ଅକ୍ଟୋବର (ହି.ସ.)- ଦିଲ୍ଲୀର ସମସ୍ତ ଜିଲ୍ଲା ଅଦାଲତରେ ମଙ୍ଗଳବାର ଓକିଲମାନେ ନ୍ୟାୟିକ କାର୍ଯ୍ୟ ବର୍ଜନ କରିଛନ୍ତି। ଶାହଦରା ଥାନାରେ ଓକିଲମାନଙ୍କ ସହ କଥିତ ଦୁର୍ବ୍ୟବହାର ଏବଂ ଧମକ ଦେବା ଘଟଣାର ପ୍ରତିବାଦରେ ସମସ୍ତ ଜିଲ୍ଲା ଅଦାଲତର ବାର୍ ଆସୋସିଏସନ୍ଗୁଡ଼ିକର ସମନ୍ୱୟ କମିଟି ନ୍ୟାୟିକ କାର୍ଯ୍ୟ ବର୍ଜନ କରିବାକୁ ଆହ୍ୱାନ ଦେଇଛି।ମଙ୍ଗଳବାର କଡ଼କଡ଼ଡୁମା କୋର୍ଟର ଓକିଲମାନେ ପୂର୍ବ ଦିଲ୍ଲୀର ଯୁଗ୍ମ ପୁଲିସ କମିଶନରଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରଦର୍ଶନ କରିଥିଲେ। ଏସିପି ମନସ୍ୱୀ ବଶିଷ୍ଠଙ୍କୁ ନିଲମ୍ବନ କରିବା ସହ ନିରପେକ୍ଷ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ଥାନା ଅଧିକାରୀ (ଏସ୍ଏଚ୍ଓ)ଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ସେମାନେ ଦାବି କରିଥିଲେ।ଏହି ମାମଲା ଓକିଲ ଲଳିତ ବଂସଲଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିବା ଘଟଣା ସହ ଜଡ଼ିତ। ଏହି ମାମଲାରେ ଅଭିଯୁକ୍ତମାନଙ୍କ ବିରୋଧରେ ପୁଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇନଥିବା ସମନ୍ୱୟ କମିଟି ଅଭିଯୋଗ କରିଛି। ଏହାପରେ ଓକିଲମାନେ ଥାନାକୁ ଯିବାରୁ ସେମାନଙ୍କ ସହ କଥିତ ଭାବେ ଧମକପୂର୍ଣ୍ଣ ବ୍ୟବହାର କରାଯାଇଥିଲା। ଏହି ମାମଲାରେ ଓକିଲ ଅମୂଲ୍ୟ ରତନ ଅଭିଯୋଗକାରୀ ଅଛନ୍ତି।ସମନ୍ୱୟ କମିଟି କହିଛି ଯେ, ଆଘାତର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୁଲିସ ଅଧିକାରୀମାନଙ୍କଠାରୁ ତୁରନ୍ତ, ପ୍ରଭାବଶାଳୀ ଏବଂ ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ଆଶା କରାଯାଉଥିଲା। ଅକ୍ଟୋବର ୨୩ ତାରିଖ ସନ୍ଧ୍ୟାରେ ଅନେକ ଓକିଲ ଶାହଦରା ଥାନାରେ ପହଂଚି ଏହି ଘଟଣା ପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।କମିଟି ଅନୁସାରେ, ସେହି ସମୟରେ ଏସିପି ଏବଂ ଥାନା ଅଧିକାରୀ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଓକିଲମାନଙ୍କୁ ଆଶ୍ୱାସନା ଦେଇଥିଲେ। କିନ୍ତୁ ଅକ୍ଟୋବର ୨୪ ତାରିଖରେ ଓକିଲମାନେ ପୁନର୍ବାର ଥାନାକୁ ଯିବା ପରେ ଜାଣିବାକୁ ପାଇଥିଲେ ଯେ, ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇନାହିଁ ଏବଂ କଥିତ ଭାବେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ଏହାକୁ ନେଇ ଓକିଲମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା।କମିଟି ଅନୁଯାୟୀ, ଏହି ମାମଲାରେ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ଅସନ୍ତୋଷ ପ୍ରକାଶ କରିବା ଏବଂ ଉତରଦାୟିତ୍ୱ ନିର୍ଦ୍ଧାରଣ ଦାବିରେ ଓକିଲମାନେ ଥାନାକୁ ଯାଇଥିବା ବେଳେ ଏସିପି ମନସ୍ୱୀ ବଶିଷ୍ଠ କଥିତ ଭାବେ ନିଜ ରିଭଲଭର୍ ଦେଖାଇ ସେଠାରେ ଉପସ୍ଥିତ ଓକିଲମାନଙ୍କୁ ଧମକ ଦେଇଥିଲେ।ଅକ୍ଟୋବର ୨୬ ତାରିଖରେ ଜାରି ଏକ ପ୍ରସ୍ତାବରେ ସମନ୍ୱୟ କମିଟି କହିଛି ଯେ, ଏହି ଘଟଣାଗୁଡ଼ିକ ଓକିଲମାନଙ୍କ ମର୍ଯ୍ୟାଦା, ସୁରକ୍ଷା ଏବଂ ସ୍ୱାଧୀନତାକୁ ନେଇ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି। କମିଟି ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀର ବୋଲି କହିବା ସହ ଉଲ୍ଲେଖ କରିଛି ଯେ, ଓକିଲମାନେ ଆଇନଗତ ଉପାୟରେ କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ ଯାଇଥିଲେ, କିନ୍ତୁ ସେମାନଙ୍କୁ କଥିତ ଭାବେ ଧମକ ଓ ଭୟଭୀତ କରିବା ଭଳି ବ୍ୟବହାରର ସମ୍ମୁଖୀନ ହେବାକୁ ପଡ଼ିଥିଲା।ଅକ୍ଟୋବର ୨୬ ତାରିଖରେ କମିଟି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ ଜରୁରୀ ବୈଠକ କରିଥିଲା। ଏଥିରେ ନିରପେକ୍ଷ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଏସିପି ମନସ୍ୱୀ ବଶିଷ୍ଠ ଏବଂ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଦାବି କରି ଏକ ପ୍ରସ୍ତାବ ପାରିତ କରାଯାଇଥିଲା।
-------------------
ହିନ୍ଦୁସ୍ଥାନ ସମାଚାର / ଗଗନ