
ହରିଚନ୍ଦନପୁର/ଚମ୍ପୁଆ, ୨୭ ଅକ୍ଟୋବର (ହି.ସ.)- ଦୃଢ଼ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ଆଗରେ ହାର ମାନିଥାଏ ଅନେକ ପ୍ରତିବନ୍ଧକ। ଏହାର ଏକ ଉଦାହରଣ ହେଉଛନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧନବେଣୀ ଗ୍ରାମର ବାସୁଦେବ ପେଣ୍ଠେଇ। ଜନ୍ମରୁ ଶାରୀରିକ ଭାବେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ସେ ନିଜ ସଂଘର୍ଷ ଓ ପରିଶ୍ରମ ବଳରେ ଆତ୍ମନିର୍ଭରଶୀଳ ହେବାର ପ୍ରୟାସ ଜାରି ରଖିଛନ୍ତି।
ନରହରି ପେଣ୍ଠେଇଙ୍କ ପୁଅ ବାସୁଦେବଙ୍କର ଜନ୍ମରୁ ଗୋଟିଏ ଗୋଡ଼ ଅକ୍ଷମ ଥିବାରୁ ସେ ଆଶାବାଡ଼ି ସାହାଯ୍ୟରେ ଚଳପ୍ରଚଳ କରନ୍ତି। ତଥାପି ନିଜ ଜୀବିକା ପାଇଁ ସେ କାହା ଆଗରେ ହାତ ପତାଇବାକୁ ପସନ୍ଦ କରନ୍ତି ନାହିଁ। ଘର ନିକଟରେ ଥିବା ଏକ ବରଗଛ ମୂଳେ ସେ ସାଇକେଲ ମରାମତି କାମ କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ, ଧୀରେ ଧୀରେ ସେଠାକୁ ସାଇକେଲ ମରାମତି ପାଇଁ ଆସୁଥିବା ଲୋକଙ୍କ ସଂଖ୍ୟା କମିଯିବାରୁ ସେ ବକ୍ସିବାରିଗାଁରେ ଭଡ଼ା ଘର ନେଇ ଏକ ସାଇକେଲ ମରାମତି ଦୋକାନ ଆରମ୍ଭ କରିଛନ୍ତି। ତେବେ ଦୁଃଖର ବିଷୟ, ଦୋକାନକୁ ଯିବା ପାଇଁ ବାସୁଦେବଙ୍କୁ ପ୍ରତିଦିନ ଘରଠାରୁ ପ୍ରାୟ ୭ କିଲୋମିଟର ରାସ୍ତା ସାଇକେଲ ଚଳାଇ ଅତିକ୍ରମ କରିବାକୁ ପଡ଼ୁଛି। ଶାରୀରିକ ଅକ୍ଷମତା ସହ ଏହି ଦୈନନ୍ଦିନ ଯାତାୟାତ ତାଙ୍କ ପାଇଁ ଏକ ବଡ଼ ଆହ୍ୱାନ ହୋଇଥିଲେ ମଧ୍ୟ ସେ ହାର ମାନିନାହାନ୍ତି। ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ରହିଥିବା ସତ୍ତ୍ୱେ ବାସୁଦେବଙ୍କ ପାଇଁ ଉପଯୁକ୍ତ ଯାତାୟାତ ସୁବିଧା ଏବେ ମଧ୍ୟ ସ୍ୱପ୍ନ ହୋଇ ରହିଛି। ସେ ମାସିକ ୧୨୦୦ ଟଙ୍କା ଭିନ୍ନକ୍ଷମ ଭତ୍ତା ପାଉଥିବା ବେଳେ ନିଜ ଜୀବିକାକୁ ସୁଦୃଢ଼ କରିବା ପାଇଁ ଅଧିକ ସହାୟତା ଆବଶ୍ୟକ କରୁଛନ୍ତି।
ବାସୁଦେବଙ୍କ କହିବା ଅନୁଯାୟୀ, ସରକାରଙ୍କ ପକ୍ଷରୁ ତାଙ୍କୁ ଦୋକାନକୁ ଯିବାଆସିବା ପାଇଁ ଏକ ତିନିଚକିଆ ସ୍କୁଟି ମିଳିପାରିଲେ ସେ ଅଧିକ ସହଜରେ ନିଜ କାମ କରିପାରିବେ। ଏହାଦ୍ୱାରା ନିଜ ପରିବାରର ଗୁଜୁରାଣ ଭଲ ଭାବେ ମେଣ୍ଟାଇବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସେ ଆଶା ରଖିଛନ୍ତି। ବାସୁଦେବଙ୍କ ଏହି ସଂଘର୍ଷ ଓ କର୍ମନିଷ୍ଠା ସମାଜ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ। ତାଙ୍କୁ ଏକ ତିନିଚକିଆ ସ୍କୁଟି ଯୋଗାଇଦେବା ସହ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ପାଇଁ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta