କୋଇଲା ଖଣି ଅଞ୍ଚଳରେ ଠିକା ଶ୍ରମିକଙ୍କ ମଜୁରି ବୃଦ୍ଧି, ଇବ୍ ଭ୍ୟାଲି, ବସୁନ୍ଧରା ଓ ତାଳଚେରର ୨୫ ହଜାର ଶ୍ରମିକ ହେବେ ଉପକୃତ
Hike-payment-labour-JHS
କୋଇଲା ଖଣି ଅଞ୍ଚଳରେ ଠିକା ଶ୍ରମିକଙ୍କ ମଜୁରି ବୃଦ୍ଧି, ଇବ୍ ଭ୍ୟାଲି, ବସୁନ୍ଧରା ଓ ତାଳଚେରର ୨୫ ହଜାର ଶ୍ରମିକ ହେବେ ଉପକୃତ


ଝାରସୁଗୁଡ଼ା, ୨୭ ଅକ୍ଟୋବର (ହି.ସ.)- କୋଇଲା ଖଣି ଅଞ୍ଚଳରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ପାଇଁ ଆସିଛି ଖୁସି ଖବର। ଶ୍ରମିକଙ୍କ ମଜୁରି ହାରରେ ବୃଦ୍ଧି କରାଯାଇଥିବାରୁ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍)ର ଇବ୍ ଭ୍ୟାଲି, ବସୁନ୍ଧରା ଓ ତାଳଚେର କୋଇଲା ଖଣି ଅଞ୍ଚଳରେ କାର୍ଯ୍ୟରତ ପ୍ରାୟ ୨୫ ହଜାର ଠିକା ଶ୍ରମିକ ଉପକୃତ ହେବେ।

ଭାରତ ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଅଧୀନ ମୁଖ୍ୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଶିଳ୍ପ ଶ୍ରମିକଙ୍କ ହାରାହାରି ମୂଲ୍ୟ ସୂଚକାଙ୍କ ୪୨୪.୮୦ରୁ ବୃଦ୍ଧି ପାଇ ୪୩୧.୪୨ରେ ପହଞ୍ଚିଥିବା ସୂଚନା ଦିଆଯାଇଛି। ଏହି ସୂଚକାଙ୍କକୁ ଆଧାର କରି କୋଲ୍ ଇଣ୍ଡିଆର ଯୌଥ କମିଟି ପକ୍ଷରୁ କୋଇଲା ଖଣିର ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ଶ୍ରମିକଙ୍କ ମଜୁରି ହାର ସଂଶୋଧନ କରାଯାଇଛି।

ନୂତନ ମଜୁରି ହାର ଅନୁଯାୟୀ, ଅଣକୁଶଳୀ ଶ୍ରମିକଙ୍କୁ ଦୈନିକ ୧,୩୪୧ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକ ଓ ସୁପରଭାଇଜରଙ୍କୁ ୧,୩୭୫ ଟଙ୍କା, କୁଶଳୀ ଶ୍ରମିକଙ୍କୁ ୧,୪୦୯ ଟଙ୍କା ଏବଂ ଅତିକୁଶଳୀ ଶ୍ରମିକଙ୍କୁ ୧,୪୪୩ ଟଙ୍କା ଦୈନିକ ମଜୁରି ମିଳିବ। ଏହି ସଂଶୋଧିତ ମଜୁରି ହାର ୨୦୨୬ ଅକ୍ଟୋବର ୧ରୁ ୨୦୨୭ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଛଅ ମାସ ଲାଗୁ ରହିବ ବୋଲି ଜାରି ନୋଟିସରେ ଉଲ୍ଲେଖ ରହିଛି। ମଜୁରି ବୃଦ୍ଧି ଦ୍ୱାରା କୋଇଲା ଉତ୍ପାଦନରେ ନିୟୋଜିତ ଠିକା ଶ୍ରମିକମାନେ ଆର୍ଥିକ ଦୃଷ୍ଟିରୁ ଉପକୃତ ହେବା ସହ ସେମାନଙ୍କ ଆୟରେ ସୁଧାର ଆସିବ ବୋଲି ଆଶା କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande