
ତେଲ୍ ଆଭିଭ୍ (ଇସ୍ରାଏଲ), ୨୭ ଅକ୍ଟୋବର (ହି.ସ.)। ଇସ୍ରାଏଲରେ ଆଜି ସାଧାରଣ ନିର୍ବାଚନ ପାଇଁ ସ୍ଥାନୀୟ ସମୟ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଲୋକମାନେ ରାତି ୧୦ଟା ପର୍ଯ୍ୟନ୍ତ ନିଜର ମତଦାନ କରିପାରିବେ। ୭ ଅକ୍ଟୋବର ୨୦୨୩ରେ ହମାସ୍ର ଆକ୍ରମଣ ଏବଂ ଏହା ପରେ ଗାଜା, ଇରାନ, ଲେବାନନ୍, ସିରିଆ ଓ ୟେମେନରେ ହୋଇଥିବା ଯୁଦ୍ଧ ପରେ ଏହା ହେଉଛି ଦେଶର ପ୍ରଥମ ନିର୍ବାଚନ। ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ପୂର୍ବତନ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ମୁଖ୍ୟ ଗାଦି ଆଇଜେନକୋଟ୍ଙ୍କ ସିଧାସଳଖ ମୁକାବିଲା ହେଉଥିବା କୁହାଯାଉଛି। ବିଭିନ୍ନ ନିର୍ବାଚନୀ ସର୍ଭେରୁ ସ୍ପଷ୍ଟ ହୋଇଛି ଯେ, ୧୨୦ ଆସନ ବିଶିଷ୍ଟ ସଂସଦ (ନେସେଟ୍)ରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ। ନେତାନ୍ୟାହୁ ନିର୍ବାଚନ ଜିତିବେ ନା ହାରିବେ, ତାହା ଉପରେ ସମଗ୍ର ବିଶ୍ୱର ନଜର ରହିଛି।
ଅଲ୍ ଜଜିରାର ରିପୋର୍ଟ ଅନୁସାରେ, ଇସ୍ରାଏଲରେ ସାଧାରଣ ନିର୍ବାଚନ ପୂର୍ବରୁ କିଛି ଲୋକ ପରିବର୍ତ୍ତନ ଦାବି କରିଥିବା ବେଳେ ଅନ୍ୟ କିଛି ଲୋକ ବେଞ୍ଜାମିନ୍ ନେତାନ୍ୟାହୁ କ୍ଷମତାରେ ରହିବା ସପକ୍ଷରେ ମତ ଦେଇଛନ୍ତି। ଅନ୍ୟପକ୍ଷରେ, ଗାଜାରେ ରହୁଥିବା ପାଲେଷ୍ଟାଇନୀୟମାନଙ୍କ କହିବା ଅନୁସାରେ, ନେତୃତ୍ୱ ପରିବର୍ତ୍ତନ ହେଲେ ମଧ୍ୟ ଅଧିକୃତ ଅଞ୍ଚଳରେ ସେମାନଙ୍କ ଜୀବନର ବାସ୍ତବ ସ୍ଥିତିରେ ବିଶେଷ ପରିବର୍ତ୍ତନ ହେବ ନାହିଁ।
ଇସ୍ରାଏଲର ଖବରକାଗଜଗୁଡ଼ିକର ରିପୋର୍ଟ ଅନୁସାରେ, ଦେଶର ସଂସଦ ନେସେଟ୍ରେ ମୋଟ ୧୨୦ଟି ଆସନ ରହିଛି। ସରକାର ଗଠନ ପାଇଁ ୬୧ଟି ଆସନର ଆବଶ୍ୟକତା ରହିଛି। ଇସ୍ରାଏଲରେ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ପ୍ରଚଳିତ ଅଛି। ଏହି ବ୍ୟବସ୍ଥାରେ ଦଳଗୁଡ଼ିକ ନିଜେ ପାଇଥିବା ଭୋଟ୍ର ଅନୁପାତ ଅନୁସାରେ ଆସନ ପାଆନ୍ତି। ଏହି କାରଣରୁ ଦେଶରେ ମେଣ୍ଟ ସରକାର ଗଠନ ହୋଇଥାଏ।
ଯଦି କୌଣସି ମେଣ୍ଟ ୬୧ଟି ଆସନ ହାସଲ କରିବାରେ ବିଫଳ ହୁଏ, ତେବେ ସଂଖ୍ୟାଲଘୁ ସରକାର ଗଠନ ହୋଇପାରେ। ଯଦି ତାହା ମଧ୍ୟ ସମ୍ଭବ ନହୁଏ, ତେବେ ପୁନର୍ବାର ନିର୍ବାଚନ କରାଯାଇପାରେ। ସେପର୍ଯ୍ୟନ୍ତ ବେଞ୍ଜାମିନ୍ ନେତାନ୍ୟାହୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱରେ ରହିବେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା