୬ ବଣୁଆ ହାତୀଙ୍କ ଗହଣରେ ‘ରାଜୁ’ : ଗାଁମୁହାଁ ହାତୀପଲକୁ ଜଙ୍ଗଲମୁହାଁ କରୁଛି, ରାଜୁକୁ ନେଇ ଚର୍ଚ୍ଚା
Raju-6wild-elephant-JHS
୬ ବଣୁଆ ହାତୀଙ୍କ ଗହଣରେ ‘ରାଜୁ’ର ରାଜ୍


ଝାରସୁଗୁଡା, ୨୭ ଅକ୍ଟୋବର (ହି.ସ.)- କେତେବେଳେ ଗାଁ ମୁହାଁ ହେଉଛନ୍ତି ୬ ବଣୁଆ ହାତୀ ତ ଆଉ କେତେବେଳେ ସେମାନଙ୍କୁ ଜଙ୍ଗଲ ଭିତରକୁ ଫେରାଇ ନେଉଛି ରାଜୁ। ଜଳିବାହାଲ ଜଙ୍ଗଲରେ ଏବେ ହାତୀଙ୍କ ଏଭଳି ଚଳପ୍ରଚଳକୁ ନେଇ ଆଖପାଖ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ହାତୀପଲର ଉପଦ୍ରବକୁ ନେଇ ଗ୍ରାମବାସୀ ଆତଙ୍କିତ ଥିବାବେଳେ ରାଜୁର ଶାନ୍ତ ସ୍ୱଭାବ ସ୍ଥାନୀୟ ଲୋକଙ୍କ ମନରେ ଭିନ୍ନ ଏକ ଛବି ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, କୁଚିଣ୍ଡା ବନାଞ୍ଚଳରୁ ଆସି କୋଲାବିରା ବନାଞ୍ଚଳର ବିଭିନ୍ନ ଗାଁରେ ବୁଲାବୁଲି କରୁଥିବା ରାଜୁ ହାତୀ ରବିବାର ରାତିରେ ପୁଣି କୁଚିଣ୍ଡା ଅଞ୍ଚଳକୁ ଫେରିଯାଇଥିଲା। ତେବେ ସୋମବାର ରାତିରେ ଏହା ପୁଣି ଜଳିବାହାଲ ଜଙ୍ଗଲକୁ ଫେରି ଆସିଥିବା ଜଣାପଡ଼ିଛି। ଏହି ସମୟରେ ଲଇକେରା ବ୍ଲକ୍ ର ଖୁନ୍ତାମାଲ ପଞ୍ଚାୟତ ଅନ୍ତର୍ଗତ ଜଳିବାହାଲ ଗ୍ରାମ୍ୟ ଜଙ୍ଗଲରେ ୬ଟି ବଣୁଆ ହାତୀ ରହିଥିବା ଖବର ମିଳିଛି।

ରାଜୁ ହାତୀ ପୂର୍ବରୁ କୋଲାବିରା ବନାଞ୍ଚଳ ଅଧୀନ ପୋଖରାସାହ୍ଲେ ପଞ୍ଚାୟତର ଅମାତି, ବଡ଼ମାଲ, ଜଇପଡ଼ା ଏବଂ ନିକ୍ତିମାଲ ପଞ୍ଚାୟତର ତାଲଚନଙ୍କି ଆଦି ଗ୍ରାମରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସୋମବାର ରାତିରେ ଏହାକୁ ଜଳିବାହାଲ ଜଙ୍ଗଲରେ ବୁଲୁଥିବା ନେଇ ସ୍ଥାନୀୟ ଅଞ୍ଚଳରୁ ସୂଚନା ମିଳିଛି।

ଜଳିବାହାଲ ଜଙ୍ଗଲରେ ୬ଟି ବଣୁଆ ହାତୀ ରହିଥିବାରୁ ଆଖପାଖ ଗ୍ରାମବାସୀଙ୍କ ଚିନ୍ତା ବଢ଼ିଛି। ଅଭିଯୋଗ ଅନୁଯାୟୀ, ସନ୍ଧ୍ୟା ହେଲେ ହାତୀପଲ ଗାଁ ମୁହାଁ ହେଉଛନ୍ତି। ଖେତରେ ପଶି ପାଚିଲା ଧାନ ଖାଇବା ସହ ଫସଲ ମାଡ଼ି ଦଳି ନଷ୍ଟ କରୁଛନ୍ତି। ଫଳରେ ଚାଷୀଙ୍କ ମଧ୍ୟରେ ଭୟ ସହ ଆର୍ଥିକ କ୍ଷତିର ଆଶଙ୍କା ଦେଖାଦେଇଛି। ତେବେ ଏହି ହାତୀପଲ ମଧ୍ୟରେ ରାଜୁର ଭୂମିକାକୁ ନେଇ ଅଞ୍ଚଳରେ ବିଶେଷ ଚର୍ଚ୍ଚା ହେଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାଜୁ ଯେତେବେଳେ ୬ଟି ହାତୀଙ୍କ ସଂସ୍ପର୍ଶରେ ଆସୁଛି, ସେମାନଙ୍କୁ ଜଳିବାହାଲ ଜଙ୍ଗଲ ଭିତରକୁ ନେଇଯାଉଥିବା ଦେଖାଯାଉଛି। ଏହି କାରଣରୁ ରାଜୁକୁ ନେଇ ଲୋକଙ୍କ ମଧ୍ୟରେ କୌତୂହଳ ବଢ଼ିଛି।

ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁଯାୟୀ, ପୂର୍ବରୁ ଜଣେ ମାହୁନ୍ତ ରାଜୁ ହାତୀକୁ କୁଚିଣ୍ଡା ଅଞ୍ଚଳରେ ବୁଲାଉଥିଲେ। କୌଣସି କାରଣରୁ ମାହୁନ୍ତ ତାକୁ ଛାଡ଼ି ଚାଲିଯିବା ପରେ ରାଜୁ କୁଚିଣ୍ଡା ଓ କୋଲାବିରା ଅଞ୍ଚଳରେ ଘୁରି ବୁଲୁଛି। ତେବେ ଏଯାଏଁ ରାଜୁ କାହାରି କିଛି କ୍ଷତି କରିନଥିବା ସ୍ଥାନୀୟ ଲୋକେ କହିଛନ୍ତି। କୋଲାବିରା ବନାଞ୍ଚଳର ରେଞ୍ଜର ସୁଦାମ ଜଗଦଳାଙ୍କ କହିବା ଅନୁଯାୟୀ, ରାଜୁ ଅନ୍ୟ ହାତୀଙ୍କ ତୁଳନାରେ ହିଂସ୍ର ନୁହେଁ ଏବଂ କାହାରି କ୍ଷତି କରୁନାହିଁ। ଏଥିସହ ଜଙ୍ଗଲ ବିଭାଗ ପକ୍ଷରୁ ସମସ୍ତ ହାତୀଙ୍କ ଗତିବିଧି ଉପରେ ସତର୍କ ନଜର ରଖାଯାଇଛି। ରାଜୁର ଶାନ୍ତ ସ୍ୱଭାବକୁ ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ବଣୁଆ ହାତୀପଲ ଯୋଗୁଁ ଧାନ ଫସଲ ଓ ଜନଜୀବନ ପ୍ରତି ବିପଦ ରହିଛି। ତେଣୁ ହାତୀଙ୍କ ଗତିବିଧି ପ୍ରତି ସତର୍କ ରହିବା ସହ ବନ ବିଭାଗର ପରାମର୍ଶ ମାନିବାକୁ ଅଞ୍ଚଳବାସୀଙ୍କୁ ଆହ୍ୱାନ କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande