
ଚମ୍ପୁଆ, ୨୭ ଅକ୍ଟୋବର (ହି.ସ.)- କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ବେଆଇନ ବାଲି ଚାଲାଣ ଉପରେ ତହସିଲ ପ୍ରଶାସନ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଚମ୍ପୁଆ ତହସିଲ ଅନ୍ତର୍ଗତ ଭଣ୍ଡାସ୍ଥିତ ମେର୍ମେଦା ନାଳରୁ ଚୋରା ବାଲି ଚାଲାଣ କରାଯାଉଥିବା ସମୟରେ ୩ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଭଣ୍ଡା ସ୍ଥିତ ମେର୍ମେଦା ନାଳରୁ ଦୀର୍ଘ ଦିନ ହେବ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳରୁ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଚମ୍ପୁଆ ତହସିଲଦାର ଆଜି ହଠାତ୍ ସମ୍ପୃକ୍ତ ଅଞ୍ଚଳରେ ଏକ ସ୍ପେଶାଲ୍ ଟିମ୍ ସହ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ବାଲି ବୋଝେଇ ହୋଇ ଚାଲାଣ ସମୟରେ ତିନୋଟି ଟ୍ରାକ୍ଟରକୁ ପ୍ରଶାସନ ପକ୍ଷରୁ ଜବତ କରାଯାଇଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଜବତ ଗାଡ଼ିଗୁଡ଼ିକୁ ବାରିଆ ଥାନାକୁ ହସ୍ତାନ୍ତର କରାଯାଇଛି। ଏହି ଘଟଣା ସମ୍ପର୍କରେ ବାରିଆ ଥାନା ଏବଂ ଲଘୁ ଖଣିଜ ବିଭାଗକୁ ଲିଖିତ ଭାବେ ଅବଗତ କରାଯାଇଛି। ବର୍ତ୍ତମାନ ପୋଲିସ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ବେଆଇନ କାରବାର ପଛରେ ଥିବା ମାଫିଆଙ୍କୁ ଧରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି। ପ୍ରଶାସନର ଏହି ଆକସ୍ମିକ ଚଢ଼ଉ ପରେ ସ୍ଥାନୀୟ ଅଞ୍ଚଳର ବାଲି ମାଫିଆଙ୍କ ମଧ୍ୟରେ ଛନକା ପଶିଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta