


ସମ୍ବଲପୁର, ୨୭, ଅକ୍ଟୋବର (ହି.ସ.) ରାଜ୍ୟବ୍ୟାପୀ ଚାଲିଥିବା ୪୪ ଦିନିଆ ବିଶେଷ ଅଭିଯାନ ଅନ୍ତର୍ଗତ ଆଜି ସମ୍ବଲପୁର ଓ ଏହାର ଆଖପାଖ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଚଢ଼ାଉ ଏବଂ ଉଦ୍ଧାର କାର୍ଯ୍ୟକ୍ରମ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ଚଢ଼ାଉ ସମୟରେ ସ୍ଥାନୀୟ ଅଞ୍ଚଳର ଦୁଇଟି ହୋଟେଲରୁ ଜଣେ ଶିଶୁ ଏବଂ ଜଣେ କିଶୋରଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି।
ଉଦ୍ଧାର ହୋଇଥିବା ଉଭୟ ଶିଶୁ ଓ କିଶୋରଙ୍କୁ ପରବର୍ତ୍ତୀ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଏବଂ ପୁନର୍ବାସ ପାଇଁ ଶିଶୁ ମଙ୍ଗଳ ସମିତି, ସମ୍ବଲପୁର ସମ୍ମୁଖରେ ଉପସ୍ଥାପିତ କରାଯାଇଛି। ଶିଶୁ ଶ୍ରମିକ ନିୟୋଜିତ କରି ନିୟମ ଉଲ୍ଲଂଘନ କରିଥିବା ଉଭୟ ହୋଟେଲ ନିଯୁକ୍ତିଦାତାଙ୍କ ବିରୋଧରେ ଶିଶୁ ଏବଂ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଅଧିନିୟମ, ୧୯୮୬ ଅନୁଯାୟୀ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସମ୍ବଲପୁର ସହକାରୀ ଶ୍ରମ ଅଧିକାରୀଙ୍କ ଠାରୁ ପ୍ରକାଶ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ