
ଥେନି (ତାମିଲନାଡୁ), ୨୭ ଅକ୍ଟୋବର (ହି.ସ.)। ତାମିଲନାଡୁର ଥେନି ଜିଲ୍ଲାର ଏକ ଉପକାରାଗାରରୁ ସୋମବାର ବିଳମ୍ବିତ ରାତିରେ ଜେଲ୍ କର୍ମଚାରୀଙ୍କ ଉପରେ କଥିତ ଆକ୍ରମଣ କରି ୧୭ ଜଣ କଏଦୀ ଫେରାର ହୋଇଯାଇଛନ୍ତି। ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ଜୋରଦାର ତଲାସୀ ଅଭିଯାନ ଆରମ୍ଭ କରାଯାଇଛି। ପୁଲିସ ଜଣେ କଏଦୀଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୧୬ ଜଣଙ୍କୁ ଧରିବା ପାଇଁ ୧୭ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।
ଦକ୍ଷିଣ ଜୋନ୍ର ପୁଲିସ ମହାନିରୀକ୍ଷକ ବିଜୟେନ୍ଦ୍ର ବିଦରୀ କହିଛନ୍ତି ଯେ, ଗିରଫ କଏଦୀ ଜଣକ ମଦୁରାଇର ବାସିନ୍ଦା। ଥେକ୍କମପଟ୍ଟି ଉପକାରାଗାର ପଛପଟେ ଥିବା ଜଙ୍ଗଲିଆ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ସମୟରେ ତାଙ୍କୁ ଧରାଯାଇଥିଲା। ବିଦରୀ କହିଛନ୍ତି, “ତଲାସୀ ଅଭିଯାନ ସମୟରେ ପୁଲିସ ଫେରାର ହୋଇଥିବା କଏଦୀଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି।”
ପୁଲିସ ସୂତ୍ର ଅନୁସାରେ, ସମସ୍ତ ୧୭ ଜଣ କଏଦୀଙ୍କୁ ଗୋଟିଏ ବାରାକ୍ରେ ରଖାଯାଇଥିଲା। ଜଣେ କଏଦୀଙ୍କ ଦେହ ଖରାପ ଥିବା ନେଇ ଜେଲ୍ କର୍ମଚାରୀଙ୍କୁ ସୂଚନା ମିଳିଥିଲା। ଏହାପରେ କର୍ମଚାରୀମାନେ ବାରାକ୍କୁ ପହଞ୍ଚିବା ପରେ କଏଦୀମାନେ କଥିତ ଭାବେ ସେମାନଙ୍କ ଉପରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ବିଦରୀ କହିଛନ୍ତି ଯେ, କଏଦୀମାନେ ନିଜ ଯୋଜନା ଅନୁସାରେ “ମୃଗୀ ରୋଗର ଆକ୍ରମଣ ହେଉଥିବାର ନାଟକ କରିଥିଲେ”।
ଏହି ଆକ୍ରମଣରେ ଥେନି ଜିଲ୍ଲା ଜେଲ୍ରେ ନିଯୁକ୍ତ ଗ୍ରେଡ୍-୨ ପୁଲିସ କର୍ମଚାରୀ ଥଙ୍ଗାପାଣ୍ଡିଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ଜି. ଭିଲାକ୍କୁ ସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜେଲ୍ର ଅନ୍ୟ ଦୁଇ ଜଣ କର୍ମଚାରୀ ମଧ୍ୟ ସାମାନ୍ୟ ଆହତ ହୋଇଥିବା ପୁଲିସ ସୂଚନା ଦେଇଛି।
ଡିଣ୍ଡିଗୁଲ୍ର ପୁଲିସ ଅଧୀକ୍ଷକ ଏସ୍. ଜୟକୁମାର କହିଛନ୍ତି ଯେ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜିଲ୍ଲାର ୧୬ଟି ସ୍ଥାନରେ ଯାଞ୍ଚ ଚେକ୍ପୋଷ୍ଟ ସ୍ଥାପନ କରାଯାଇଛି। ଡିଣ୍ଡିଗୁଲ୍-ଥେନି ରାଜପଥରେ ମଧ୍ୟ ଯାନବାହନ ଯାଞ୍ଚ କରାଯାଉଛି।
ମଦୁରାଇ, ଡିଣ୍ଡିଗୁଲ୍ ଓ ଇଡୁକ୍କି ଜିଲ୍ଲାର ପୁଲିସକୁ ସତର୍କ କରାଯାଇଛି। ଫେରାର କଏଦୀମାନଙ୍କୁ ଚିହ୍ନଟ କରିବାରେ ସହାୟତା ପାଇଁ ସେମାନଙ୍କ ଫଟୋ ବିଭିନ୍ନ ଅଧିକାରୀଙ୍କ ମଧ୍ୟରେ ପ୍ରସାରିତ କରାଯାଇଛି। ଏହି ଘଟଣାରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।
ଏହି ଘଟଣାକୁ ନେଇ ଡିଏମ୍କେ ସାଂସଦ ପି. ୱିଲସନ୍ ମଧ୍ୟ ରାଜନୈତିକ ପ୍ରତିକ୍ରିୟା ଦେଇଛନ୍ତି। ସେ ‘ଏକ୍ସ’ରେ ଏକ ପୋଷ୍ଟ କରି ଏହି ଘଟଣାକୁ “ଲଜ୍ଜାଜନକ” ବୋଲି କହିବା ସହ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବାର ଶୈଳୀକୁ ସମାଲୋଚନା କରିଛନ୍ତି। ତାମିଲନାଡୁରେ ଆଇନଶୃଙ୍ଖଳା ବ୍ୟବସ୍ଥା କଥିତ ଭାବେ ଭୁଶୁଡ଼ି ପଡ଼ିଥିବାର ନୈତିକ ଦାୟିତ୍ୱ ଗ୍ରହଣ କରି ସି. ଜୋସେଫ ବିଜୟ ଇସ୍ତଫା ଦେବା ଉଚିତ ବୋଲି ୱିଲସନ୍ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା