
୧୦ ବର୍ଷୀୟ ଭାରତ-ଆମେରିକା ପ୍ରତିରକ୍ଷା ଢାଞ୍ଚାର ଅଗ୍ରଗତି ଉପରେ ଦୁଇ ନେତାଙ୍କ ଗୁରୁତ୍ୱାରୋପ
ନୂଆଦିଲ୍ଲୀ, ୨୮ ଅକ୍ଟୋବର (ହି.ସ.)। ଫିଲିପାଇନ୍ସରେ ଆୟୋଜିତ ୧୩ତମ ଏଡିଏମ୍ଏମ୍-ପ୍ଲସ୍ ବୈଠକ ଅବସରରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆମେରିକାର ଯୁଦ୍ଧ ସଚିବ ପିଟ୍ ହେଗସେଥ୍ଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କର ସମୀକ୍ଷା କରାଯିବା ସହ ଏହାକୁ ଆହୁରି ଆଗକୁ ବଢ଼ାଇବାର ଉପାୟ ଉପରେ ଚର୍ଚ୍ଚା ହୋଇଛି।
ଫିଲିପାଇନ୍ସର ସେବୁ ସହରରେ ଆୟୋଜିତ ଏହି ସମ୍ମିଳନୀ ଅବସରରେ ହୋଇଥିବା ବୈଠକରେ ଉଭୟ ନେତା ୧୦ ବର୍ଷୀୟ ପ୍ରତିରକ୍ଷା ସହଯୋଗ ଢାଞ୍ଚା ଅଧୀନରେ ସାମରିକ ପ୍ରଯୁକ୍ତିବିଦ୍ୟା, ସୂଚନା ଆଦାନପ୍ରଦାନ ଏବଂ ମିଳିତ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇଥିଲେ। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଭାଗିତାକୁ ଆହୁରି ମଜଭୁତ କରିବା ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ହେଗସେଥ୍ଙ୍କ ସହ ଆଲୋଚନାକୁ ‘ଅତ୍ୟନ୍ତ ଭଲ’ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଆଜି ଏଡିଏମ୍ଏମ୍-ପ୍ଲସ୍ ବୈଠକ ଅବସରରେ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ଙ୍କୁ ଭେଟି ମଧ୍ୟ ସେ ଖୁସି ଅନୁଭବ କରିଛନ୍ତି। ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗର ସମୀକ୍ଷା, ସାମରିକ କାର୍ଯ୍ୟକ୍ଷମତାରେ ସମନ୍ୱୟ ବୃଦ୍ଧି ଏବଂ ଆଞ୍ଚଳିକ ସୁରକ୍ଷା ଆହ୍ୱାନର ସମାଧାନ ନେଇ ଉଭୟ ପକ୍ଷ ମଧ୍ୟରେ ଭଲ ଆଲୋଚନା ହୋଇଥିଲା।
ସେ ଆହୁରି କହିଛନ୍ତି ଯେ ଭାରତ-ଆମେରିକାର ୧୦ ବର୍ଷୀୟ ପ୍ରତିରକ୍ଷା ସହଯୋଗ ଢାଞ୍ଚାର ଅଗ୍ରଗତିର ସମୀକ୍ଷା କରାଯାଇଛି। ଏହାଦ୍ୱାରା ସାମରିକ ପ୍ରଯୁକ୍ତିବିଦ୍ୟା, ସୂଚନା ଆଦାନପ୍ରଦାନ ଏବଂ ମିଳିତ ଉତ୍ପାଦନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ରଣନୈତିକ ସମନ୍ୱୟ ବୃଦ୍ଧି ପାଇଛି। ଏକ ମୁକ୍ତ, ଉନ୍ମୁକ୍ତ ଓ ସୁରକ୍ଷିତ ଇଣ୍ଡୋ-ପାସିଫିକ୍ ଅଞ୍ଚଳ ଗଠନ ପାଇଁ ଦୁଇ ଦେଶର ଦୃଢ଼ ସହଭାଗିତା ଏକ ମଜଭୁତ ଆଧାର ହୋଇ ରହିଛି।
ଅନ୍ୟପକ୍ଷରେ, ଆମେରିକାର ଯୁଦ୍ଧ ସଚିବ ପିଟ୍ ହେଗସେଥ୍ କହିଛନ୍ତି ଯେ ଭାରତର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ତାଙ୍କର ଅତ୍ୟନ୍ତ ଭଲ ବୈଠକ ହୋଇଛି। ଦୁଇ ଦେଶ ମଧ୍ୟରେ ପ୍ରମୁଖ ପ୍ରତିରକ୍ଷା ସହଭାଗିତା ଢାଞ୍ଚାର ବାର୍ଷିକୀ ପାଳନ କରିବା ସହ ସହଯୋଗକୁ ଆହୁରି ମଜଭୁତ କରିବାର ଉପାୟ ଖୋଜାଯାଇଛି।
ଟ୍ରମ୍ପ୍ ପ୍ରଶାସନ ଅଧୀନରେ ଦୁଇ ଦେଶର କୂଟନୈତିକ ସମ୍ପର୍କରେ ଲଗାତାର ତିକ୍ତତା ଦେଖାଦେଇଥିଲେ ମଧ୍ୟ ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କରେ ଉନ୍ନତି ଘଟୁଛି। ପ୍ରାୟ ୧୧ ବର୍ଷ ପୂର୍ବେ ଆମେରିକା ଭାରତକୁ ‘ପ୍ରମୁଖ ପ୍ରତିରକ୍ଷା ସହଭାଗୀ’ ମାନ୍ୟତା ଦେଇଥିଲା। ଏହା ଫଳରେ ଦୁଇ ଦେଶ ମଧ୍ୟରେ ଅତ୍ୟାବଶ୍ୟକ ସାମରିକ ଉପକରଣ ଓ ପ୍ରଯୁକ୍ତିବିଦ୍ୟା ଆଦାନପ୍ରଦାନର ପଥ ସୁଗମ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା