
ନୂଆଦିଲ୍ଲୀ, ୨୮ ଅକ୍ଟୋବର (ହି.ସ.)- ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି)ର ମୁମ୍ବାଇ ଜୋନାଲ୍ କାର୍ଯ୍ୟାଳୟ-୧ ପକ୍ଷରୁ ଧନଶୋଧନ ନିବାରଣ ଆଇନ (ପିଏମଏଲଏ), ୨୦୦୨ ଅନୁଯାୟୀ ମୁମ୍ବାଇ ଓ ଗୁଜରାଟର ପ୍ରାୟ ୧୧ଟି ସ୍ଥାନରେ ତଲାସି ଅଭିଯାନ ଚଳାଯାଇଛି। ଅପରାଧରୁ ଅର୍ଜିତ ଆୟ (ପିଓସି)ର ଉତ୍ସ ଖୋଜିବା ଏବଂ ଏହାର ପରବର୍ତୀ ହସ୍ତାନ୍ତର ଓ ଧନଶୋଧନ ପ୍ରକ୍ରିୟାର ତଦନ୍ତ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।
ଇଡି ଅନୁଯାୟୀ, ନବିନ ଗୁରୁନାଥ ଚିଚକର ଏବଂ ଅନ୍ୟ ଅଭିଯୁକ୍ତମାନେ ଏକ ସୁସଂଗଠିତ ଅନ୍ତର୍ଜାତୀୟ ନେଟୱର୍କ ମାଧ୍ୟମରେ ମାଦକ ଦ୍ରବ୍ୟ ବିକ୍ରିରୁ ଅପରାଧଜନିତ ଆୟ ହାସଲ କରିଥିଲେ। ଏଥିରେ କୋକେନ୍, ହାଇଡ୍ରୋପୋନିକ୍ ଗଞ୍ଜେଇ, ଏଲଏସଡି ଏବଂ ଗଞ୍ଜେଇରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ସାମିଲ ଥିଲା। ଏହି ମାଦକ ଦ୍ରବ୍ୟର ଅଧିକାଂଶ ଚାଲାଣ ଭାରତ ବାହାରୁ ଚୋରାଚାଲାଣ ମାଧ୍ୟମରେ ଅଣାଯାଉଥିଲା।
ଇଡି କହିଛି ଯେ ନବିନ ଚିଚକର ଏବଂ ଅନ୍ୟମାନଙ୍କ ବିରୋଧରେ ପିଏମଏଲଏ ଅନୁଯାୟୀ ତଦନ୍ତ, ନାରକୋଟିକ୍ସ କଂଟ୍ରୋଲ୍ ବ୍ୟୁରୋ (ଏନସିବି), ମୁମ୍ବାଇ ଏବଂ ନଭି ମୁମ୍ବାଇ ପୁଲିସର ଆଂଟି-ନାରକୋଟିକ୍ସ ସେଲ୍ (ଏଏନସି) ଦ୍ୱାରା ରୁଜୁ ମାମଲାଗୁଡ଼ିକ ଆଧାରରେ ଆରମ୍ଭ ହୋଇଥିଲା। ଏହି ମାମଲାଗୁଡ଼ିକରେ ମୁମ୍ବାଇ ଓ ନଭି ମୁମ୍ବାଇରୁ ଉଚ୍ଚମାନର ହାଇଡ୍ରୋପୋନିକ୍ ଗଞ୍ଜେଇ, କୋକେନ୍ ଏବଂ ବିପୁଳ ପରିମାଣର ହିସାବବହିର୍ଭୂତ ନଗଦ ଟଙ୍କା ଜବତ କରାଯାଇଥିଲା।
ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ ନବିନ ଚିଚକର ଅପରାଧରୁ ଅର୍ଜିତ ଧନର ଏକ ଅଂଶ କ୍ରିପଟ୍ଟୋକରେନ୍ସିରେ ନିବେଶ କରିଥିଲେ। ଏହା ମଧ୍ୟ ଜଣାପଡ଼ିଛି ଯେ ମାଦକ ଦ୍ରବ୍ୟ ବିକ୍ରିରୁ ମିଳୁଥିବା ଟଙ୍କା ସିଧାସଳଖ ହୱାଲା ପରିଚାଳକଙ୍କ ନିକଟରେ ଜମା କରାଯାଉଥିଲା। ପରେ ହୱାଲା ପରିଚାଳକମାନେ ନବିନ ଚିଚକରଙ୍କୁ ଆମେରିକୀୟ ଡଲାରରେ ମୂଲ୍ୟାଙ୍କିତ ୟୁଏସଡିଟି କିମ୍ବା ଥାଇ ବାତ୍ ଆକାରରେ ଅର୍ଥ ପ୍ରଦାନ କରୁଥିଲେ।
ତଲାସି ଅଭିଯାନ ସମୟରେ ଇଡି ଅନେକ ଆପତିଜନକ ସାମଗ୍ରୀ, ଡିଜିଟାଲ୍ ଉପକରଣ ଏବଂ ମାଦକ ଦ୍ରବ୍ୟ ବିକ୍ରିରୁ ଅର୍ଜିତ ଧନର ଧନଶୋଧନ ସହ ଜଡ଼ିତ ପ୍ରମାଣ ଜବତ କରିଛି। ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ହୱାଲା ଚ୍ୟାନେଲ୍ ଏବଂ କ୍ରିପଟ୍ଟୋକରେନ୍ସି ମାଧ୍ୟମରେ ମାଦକ ଦ୍ରବ୍ୟ ବିକ୍ରିରୁ ମିଳିଥିବା ଟଙ୍କାକୁ ଭାରତ ବାହାରକୁ ପଠାଇଥିଲେ। ତଲାସି ସମୟରେ ଜବତ ପ୍ରମାଣରୁ ଏହି କାର୍ଯ୍ୟକଳାପଗୁଡ଼ିକର ପୁଷ୍ଟି ହୋଇଛି।
ଏହି ମାମଲାରେ ଆଗକୁ ତଦନ୍ତ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ