





ପ୍ରଶାନ୍ତ ଶେଖର ମିଶ୍ର
ନୂଆଦିଲ୍ଲୀ, ଅକ୍ଟୋବର ୨୮ (ହି.ସ.)। ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲା ଅନ୍ତର୍ଗତ ଭୈଲାମଉ ଗ୍ରାମର ଯୁବ ଉଦ୍ୟୋଗୀ ଆଦି ଉପେନ୍ଦ୍ର ତିୱାରୀ ନଡ଼ା ଓ ଗୋବରରୁ ଗ୍ୟାସ୍ ଉତ୍ପାଦନ କରି ଦେଶକୁ ଆତ୍ମନିର୍ଭର କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ବ୍ରିଟେନର ଲିଭରପୁଲ୍ ବିଶ୍ୱବିଦ୍ୟାଳୟରୁ ଏମ୍ବିଏ ଶିକ୍ଷା ସମାପ୍ତ କରିବା ପରେ ଆଦି ତିୱାରୀ ହରଦୋଇରେ ‘ୟୁଟିଏମ୍ ଏନର୍ଜି’ ଅଧୀନରେ ଏକ ସଂକୁଚିତ ଜୈବ ଗ୍ୟାସ୍ (ସିବିଜି) କାରଖାନା ସ୍ଥାପନ କରିଛନ୍ତି।
ଏହି କାରଖାନାରେ ନଡ଼ା, ଆଖୁ ଛେଦା, ଚିନି କାରଖାନାର ମଇଳା ଓ ଗୋବରରୁ ଗ୍ୟାସ୍ ଉତ୍ପାଦନ କରାଯାଉଛି। ବର୍ତ୍ତମାନ କାରଖାନାର ଉତ୍ପାଦନ କ୍ଷମତା ଦୈନିକ ୩ରୁ ୩.୫ ଟନ୍ ରହିଛି। ଏହାକୁ ଦୈନିକ ୧୨ ଟନ୍କୁ ବୃଦ୍ଧି କରିବାର ଲକ୍ଷ୍ୟ ରହିଛି। ଏହି କାରଖାନା ଦ୍ୱାରା ୬୨ ଜଣଙ୍କୁ ପ୍ରତ୍ୟକ୍ଷ ଏବଂ ୧,୨୩୦ରୁ ଅଧିକ ଲୋକଙ୍କୁ ପରୋକ୍ଷ ଭାବେ ନିଯୁକ୍ତି ମିଳିଛି।
ପଶ୍ଚିମ ଏସିଆ ସଙ୍କଟରୁ ସୃଷ୍ଟି ହୋଇଥିବା ପରିସ୍ଥିତି ଓ ଗ୍ରାମୀଣ ଅର୍ଥନୀତି ଉପରେ ଆଦି ତିୱାରୀଙ୍କ ସହ ‘ହିନ୍ଦୁସ୍ଥାନ ସମାଚାର’ ପକ୍ଷରୁ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହାର ସମ୍ପାଦିତ ଅଂଶ ନିମ୍ନରେ ପ୍ରଦାନ କରାଯାଉଛି।
ପ୍ରଶ୍ନ: ହର୍ମୁଜ୍ ସଙ୍କଟ ଯୋଗୁଁ ବିଶ୍ୱର ଶକ୍ତି ଯୋଗାଣ ବାଧାପ୍ରାପ୍ତ ହେଉଥିବା ବେଳେ ହରଦୋଇର ଏହି କାରଖାନା ଦେଶର ଆର୍ଥିକ ସୁରକ୍ଷାରେ କିପରି ଅବଦାନ ରଖୁଛି?
ଉତ୍ତର: ଏହା ସିଧାସଳଖ ଭାବେ ଦେଶର ସାର୍ବଭୌମତ୍ୱ ଓ ଆର୍ଥିକ ସୁରକ୍ଷା ସହ ଜଡ଼ିତ ବିଷୟ। ଭାରତ ନିଜର ଆବଶ୍ୟକତାର ଅଧିକାଂଶ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ୍ ବିଦେଶରୁ ଆମଦାନି କରେ। ଆମର ଆମଦାନିର ଏକ ବଡ଼ ଅଂଶ ହର୍ମୁଜ୍ ପ୍ରଣାଳୀର ସଂକୀର୍ଣ୍ଣ ସାମୁଦ୍ରିକ ପଥ ଦେଇ ଆସିଥାଏ। ଉପସାଗରୀୟ ଦେଶଗୁଡ଼ିକରେ ଉତ୍ତେଜନା ବଢ଼ିଲେ କିମ୍ବା ଜାହାଜଗୁଡ଼ିକୁ ଅଟକାଇ ଦିଆଗଲେ ଅନ୍ତର୍ଜାତୀୟ ବଜାରରେ ଗ୍ୟାସ୍ ଦର ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଏ। ଏହା ଫଳରେ ଆମ ଦେଶର ବିପୁଳ ପରିମାଣର ବୈଦେଶିକ ମୁଦ୍ରା ବାହାରକୁ ଚାଲିଯାଏ।ଆମ କାରଖାନା ଏହି ବିଦେଶୀ ନିର୍ଭରଶୀଳତାକୁ ଦୂର କରିବା ଦିଗରେ କାମ କରୁଛି। ଆମେ ଆମଦାନି ହେଉଥିବା ଗ୍ୟାସ୍ର ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ବିକଳ୍ପ ଯୋଗାଇ ଦେଉଛୁ। ଏଠାରେ ଉତ୍ପାଦିତ ସଂକୁଚିତ ଜୈବ ଗ୍ୟାସ୍ ଯାନବାହନର ଇନ୍ଧନ ଏବଂ ରନ୍ଧନ ଗ୍ୟାସ୍ର ବିକଳ୍ପ ଭାବେ ବ୍ୟବହାର ହୋଇପାରେ।ଯେତେବେଳେ ଆମେ ନିଜ ମାଟି, ନଡ଼ା ଓ ଗୋବରରୁ ଶକ୍ତି ଉତ୍ପାଦନ କରୁଛୁ, ସେତେବେଳେ ଦେଶର ପୁଞ୍ଜି ଦେଶ ଭିତରେ ହିଁ ରହୁଛି ଏବଂ ଏହାର ଲାଭ ଆମ କୃଷକମାନଙ୍କ ପାଖରେ ପହଞ୍ଚୁଛି। ଏହା ଦ୍ୱାରା ବିଦେଶୀ ସାମୁଦ୍ରିକ ପଥରେ ବାଧା ସୃଷ୍ଟି ହେଲେ ମଧ୍ୟ ଦେଶକୁ ଅସହାୟ ହେବାକୁ ପଡ଼ିବ ନାହିଁ।
ପ୍ରଶ୍ନ: ବର୍ତ୍ତମାନ ଦୈନିକ ୩ ଟନ୍ରୁ ଅଧିକ ଉତ୍ପାଦନ ହେଉଛି ଏବଂ ଲକ୍ଷ୍ୟ ୧୨ ଟନ୍। ଏହି କାରଖାନା ଆମଦାନି ଖର୍ଚ୍ଚ ଓ ବୈଦେଶିକ ମୁଦ୍ରା କେତେ ସଞ୍ଚୟ କରୁଛି?
ଉତ୍ତର: ଗାଣିତିକ ଦୃଷ୍ଟିରୁ ଦେଖିଲେ ଏହାର ଅବଦାନ ବହୁତ ବଡ଼। କାରଖାନାର ମୂଳ ଉତ୍ପାଦନ କ୍ଷମତା ଦୈନିକ ୨.୪ ଟନ୍। କିନ୍ତୁ ବର୍ତ୍ତମାନ ଆମେ ପ୍ରତିଦିନ ୩ରୁ ୩.୫ ଟନ୍ ଗ୍ୟାସ୍ ଉତ୍ପାଦନ କରୁଛୁ।ଏକ ଟନ୍ ଜୈବ ଗ୍ୟାସ୍ ଉତ୍ପାଦନର ଅର୍ଥ ହେଉଛି ଅନ୍ତର୍ଜାତୀୟ ବଜାରରୁ ସେତିକି ପରିମାଣର ଗ୍ୟାସ୍ ଆମଦାନି କରିବାର ଆବଶ୍ୟକତାକୁ ପ୍ରତିସ୍ଥାପିତ କରିବା। ବର୍ତ୍ତମାନର ଉତ୍ପାଦନ ସ୍ତରରେ ହିଁ ଆମେ ବର୍ଷକୁ ୧,୨୦୦ ଟନ୍ରୁ ଅଧିକ ଆମଦାନି ହେଉଥିବା ଇନ୍ଧନର ଆବଶ୍ୟକତାକୁ ହ୍ରାସ କରୁଛୁ। ଏହା ଫଳରେ ଦେଶର କୋଟି କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଞ୍ଚୟ ହେଉଛି।ଯେତେବେଳେ ଆମେ କାରଖାନାର କ୍ଷମତାକୁ ବୃଦ୍ଧି କରି ଦୈନିକ ୧୨ ଟନ୍ରେ ପହଞ୍ଚାଇବୁ, ସେତେବେଳେ ବର୍ଷକୁ ୪,୩୦୦ ଟନ୍ରୁ ଅଧିକ ଗ୍ୟାସ୍ ଉତ୍ପାଦନ କରିପାରିବୁ। ଏହାର ସିଧାସଳଖ ଅର୍ଥ ହେଉଛି ପ୍ରତିବର୍ଷ ଦେଶର ଆମଦାନି ଖର୍ଚ୍ଚରୁ ୫୦ରୁ ୬୦ କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଞ୍ଚୟ ହେବ। ଯଦି ଗୋଟିଏ ଛୋଟ ଗାଁରେ ଥିବା କାରଖାନା ଏତେ ବଡ଼ ସଞ୍ଚୟ କରିପାରୁଛି, ତେବେ ସମଗ୍ର ଦେଶରେ ଏପରି ହଜାର ହଜାର କାରଖାନା କାର୍ଯ୍ୟ କଲେ କେତେ ବଡ଼ ପରିମାଣର ଅର୍ଥ ସଞ୍ଚୟ ହୋଇପାରିବ, ତାହା ସହଜରେ ଅନୁମାନ କରାଯାଇପାରେ। ଏହା ହେଉଛି ପ୍ରକୃତ ରାଷ୍ଟ୍ରସେବା ଓ ଆର୍ଥିକ ସ୍ୱାବଲମ୍ବନ।
ପ୍ରଶ୍ନ: ବିଶ୍ୱ ବଜାରରେ ଅସ୍ଥିରତା ମଧ୍ୟରେ ଗ୍ରାମୀଣ ଜୈବ ଗ୍ୟାସ୍ କାରଖାନାଗୁଡ଼ିକ ଦେଶ ପାଇଁ ମୂଲ୍ୟବୃଦ୍ଧି ବିରୋଧରେ ସୁରକ୍ଷା କବଚ ହୋଇପାରିବେ କି?
ଉତ୍ତର: ନିଶ୍ଚିତ ଭାବେ। ଏହା ମୂଲ୍ୟବୃଦ୍ଧିର ଆଘାତକୁ ରୋକିବା ପାଇଁ ଏକ ଦୃଢ଼ ସୁରକ୍ଷା କବଚ ଭଳି କାମ କରେ। ଅନ୍ତର୍ଜାତୀୟ ବଜାରରେ ଗ୍ୟାସ୍ର ଦର ବଢ଼ିଲେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ପଡ଼େ।ଆମ କାରଖାନାରେ ନଡ଼ା, ଗୋବର ଓ ଚିନି କାରଖାନାର ମଇଳାରୁ ଗ୍ୟାସ୍ ଉତ୍ପାଦନ କରାଯାଉଥିବାରୁ ଏହାର ଉତ୍ପାଦନ ଖର୍ଚ୍ଚ ଅନ୍ତର୍ଜାତୀୟ ବଜାରର ଦରର ଉତ୍ଥାନ-ପତନ ଦ୍ୱାରା ସେତେଟା ପ୍ରଭାବିତ ହୁଏ ନାହିଁ। ଆମେ ସରକାରୀ ତୈଳ କମ୍ପାନୀଗୁଡ଼ିକୁ ନିର୍ଦ୍ଧାରିତ ଦରରେ ଗ୍ୟାସ୍ ଯୋଗାଇ ଦେଉଛୁ। ଏପରି କାରଖାନାଗୁଡ଼ିକ ଘରୋଇ ଇନ୍ଧନର ଆବଶ୍ୟକତା ପୂରଣ କରିବା ସହ ମୂଲ୍ୟବୃଦ୍ଧିର ପ୍ରଭାବକୁ କମାଇବାରେ ସାହାଯ୍ୟ କରିପାରିବେ।
ପ୍ରଶ୍ନ: ଲିଭରପୁଲ୍ରୁ ଉଚ୍ଚଶିକ୍ଷା ହାସଲ କରିବା ପରେ ସୁଖସୁବିଧାପୂର୍ଣ୍ଣ ଜୀବନ ଛାଡ଼ି ହରଦୋଇର ଗ୍ରାମାଞ୍ଚଳରେ ଗୋବର ଓ ନଡ଼ାକୁ କାହିଁକି ବାଛିଲେ?
ଉତ୍ତର: ୨୦୨୨ ମସିହାରେ ଲିଭରପୁଲ୍ ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ସମାପ୍ତ କରିବା ପରେ ମୋ ପାଖରେ ବିଦେଶର ଏକ ବଡ଼ କମ୍ପାନୀରେ କାମ କରିବାର ସୁଯୋଗ ଥିଲା। କିନ୍ତୁ ମୁଁ ଦେଶକୁ ଫେରି କିଛି କରିବାକୁ ନିଷ୍ପତ୍ତି ନେଲି।ହରଦୋଇରେ ଗୋବର, ନଡ଼ା ଓ ଚିନି କାରଖାନାର ବର୍ଜ୍ୟବସ୍ତୁକୁ ନେଇ କାମ ଆରମ୍ଭ କରିବାର ନିଷ୍ପତ୍ତିରେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ। ମୋର ବିଶ୍ୱାସ ଥିଲା ଯେ ଯାହାକୁ ଆମେ ଆବର୍ଜନା ବୋଲି ଭାବୁଛୁ, ସେଥିରୁ ମଧ୍ୟ ଉପଯୋଗୀ ସାମଗ୍ରୀ ତିଆରି କରାଯାଇପାରିବ ଏବଂ ଗାଁଗୁଡ଼ିକୁ ଶକ୍ତି ଉତ୍ପାଦନ ସହ ଯୋଡ଼ାଯାଇପାରିବ।
ପ୍ରଶ୍ନ: ବିଦେଶର ଶ୍ରେଣୀଗୃହରେ ମିଳିଥିବା ତାତ୍ତ୍ୱିକ ଜ୍ଞାନ ଓ ଗ୍ରାମୀଣ ବାସ୍ତବତା ମଧ୍ୟରେ ପ୍ରଥମ ବ୍ୟବହାରିକ ଆହ୍ୱାନ କ’ଣ ଥିଲା?
ଉତ୍ତର: ଶ୍ରେଣୀଗୃହରେ ସବୁକିଛି କାଗଜପତ୍ର ଓ ପରିସଂଖ୍ୟାନ ଆଧାରରେ ଅତି ସହଜ ଲାଗେ। କିନ୍ତୁ ଗ୍ରାମାଞ୍ଚଳର ବାସ୍ତବ ପରିସ୍ଥିତି ଭିନ୍ନ ଓ ଅଧିକ ବ୍ୟବହାରିକ।୨୦୨୪ ମସିହାରେ କାରଖାନା ଆରମ୍ଭ କରିବା ସମୟରେ ସବୁଠାରୁ ବଡ଼ ଆହ୍ୱାନ ଥିଲା କୃଷକ ଓ ଗ୍ରାମବାସୀଙ୍କ ବିଶ୍ୱାସ ଜିତିବା। ନଡ଼ା ଓ ଗୋବରରୁ ମଧ୍ୟ ଏକ ଆଧୁନିକ କାରଖାନା ଚାଲିପାରିବ ବୋଲି ସେମାନଙ୍କୁ ବୁଝାଇବାକୁ ପଡ଼ିଥିଲା।ଆମେ କୃଷକମାନଙ୍କ ସହ ସିଧାସଳଖ ଆଲୋଚନା କଲୁ ଏବଂ ସେମାନଙ୍କୁ ଠିକ୍ ସମୟରେ ଅର୍ଥ ପୈଠ କଲୁ। ଏହା ଫଳରେ ଆରମ୍ଭରେ ସନ୍ଦେହ କରୁଥିବା କୃଷକମାନେ ମଧ୍ୟ ଆଜି ଆମ ସହ ଯୋଡ଼ି ହୋଇଛନ୍ତି।
ପ୍ରଶ୍ନ: ଯେଉଁ ନଡ଼ା ଜାଳିବା ପାଇଁ କୃଷକମାନଙ୍କ ଉପରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ହେଉଥିଲା, ତାହାକୁ ଆୟର ଉତ୍ସ ଭାବେ ଗ୍ରହଣ କରିବା ପାଇଁ କୃଷକମାନଙ୍କୁ କିପରି ଆଶ୍ୱସ୍ତ କଲେ?
ଉତ୍ତର: ବର୍ଷ ବର୍ଷ ଧରି ପରବର୍ତ୍ତୀ ଫସଲ ପାଇଁ ଜମି ପ୍ରସ୍ତୁତ କରିବାର ଚାପରେ କୃଷକମାନେ ନଡ଼ା ଜାଳିବାକୁ ବାଧ୍ୟ ହେଉଥିଲେ। ସରକାରଙ୍କ ପକ୍ଷରୁ ଏହାକୁ ନିୟନ୍ତ୍ରଣ କରିବା ଓ ଜରିମାନା ଲଗାଇବାର ବ୍ୟବସ୍ଥା ଥିଲା। କିନ୍ତୁ ଫସଲର ଅବଶିଷ୍ଟାଂଶକୁ ହଟାଇବା ପାଇଁ କୃଷକମାନଙ୍କ ପାଖରେ କୌଣସି ସୁଲଭ ବିକଳ୍ପ ନଥିଲା।ଆମେ କୃଷକମାନଙ୍କଠାରୁ କିଲୋଗ୍ରାମ ପିଛା ୨ ଟଙ୍କା ଦରରେ ନଡ଼ା ଏବଂ କ୍ୱିଣ୍ଟାଲ୍ ପିଛା ୮୫ ଟଙ୍କା ଦରରେ ଗୋବର କିଣିବା ଆରମ୍ଭ କଲୁ। ଏହା ଦ୍ୱାରା କୃଷକମାନେ ନଡ଼ା ଜାଳିବା ପରିବର୍ତ୍ତେ ତାହାକୁ ବିକ୍ରି କରି ଆୟ କରିବାର ସୁଯୋଗ ପାଇଲେ। ଏବେ କୃଷକମାନେ ନଡ଼ା ଜାଳିବା ପରିବର୍ତ୍ତେ ତାହାକୁ ଏକାଠି କରି ଆମକୁ ବିକ୍ରି କରୁଛନ୍ତି। ଏହା ଫଳରେ ନଡ଼ା ଜାଳିବା ଦ୍ୱାରା ହେଉଥିବା ପ୍ରଦୂଷଣ ମଧ୍ୟ ହ୍ରାସ ପାଉଛି।
ପ୍ରଶ୍ନ: କାରଖାନା ନିରନ୍ତର ଚାଲିବା ଆବଶ୍ୟକ, କିନ୍ତୁ ଫସଲ ଅମଳର ସମୟ ସୀମିତ। ଅନ୍ୟ ସମୟ ପାଇଁ କଞ୍ଚାମାଲ କିପରି ସଂରକ୍ଷଣ କରାଯାଉଛି?
ଉତ୍ତର: ଆମେ କାରଖାନା ପରିସରରେ ପ୍ରାୟ ୩ ଏକର ଜମିରେ ଏକ ସଂରକ୍ଷଣ କେନ୍ଦ୍ର ନିର୍ମାଣ କରିଛୁ। ଫସଲ ଅମଳର ଦୁଇରୁ ତିନି ମାସ ମଧ୍ୟରେ ପୂରା ବର୍ଷ ପାଇଁ ଆବଶ୍ୟକ ନଡ଼ା ଓ ଅନ୍ୟାନ୍ୟ କଞ୍ଚାମାଲ ସଂଗ୍ରହ କରି ରଖୁଛୁ।ଅଗ୍ନିକାଣ୍ଡରୁ ସୁରକ୍ଷା ପାଇଁ ଅଗ୍ନି ନିର୍ବାପକ ଯନ୍ତ୍ର, ପାଣି ସିଞ୍ଚନ ଓ ନିରୀକ୍ଷଣର ବ୍ୟବସ୍ଥା ରହିଛି। ଏହା ଫଳରେ ଫସଲ ଅମଳ ପରବର୍ତ୍ତୀ ଆଠରୁ ନଅ ମାସ ମଧ୍ୟରେ ମଧ୍ୟ କାରଖାନାର କାର୍ଯ୍ୟ ପ୍ରତିବନ୍ଧକ ବିନା ଚାଲୁ ରହୁଛି।
ପ୍ରଶ୍ନ: ୬୨ ଜଣଙ୍କୁ ପ୍ରତ୍ୟକ୍ଷ ଏବଂ ୧,୨୦୦ରୁ ଅଧିକ ଲୋକଙ୍କୁ ପରୋକ୍ଷ ନିଯୁକ୍ତି। ଏହି କାରଖାନା ଗ୍ରାମୀଣ ଅର୍ଥନୀତିର ଏକ ନୂତନ ଆଧାର ପାଲଟିଛି କି?
ଉତ୍ତର: ନିଶ୍ଚିତ ଭାବେ। ଏହା କେବଳ ଏକ ଶିଳ୍ପ ପ୍ରତିଷ୍ଠାନ ନୁହେଁ, ବରଂ ଆତ୍ମନିର୍ଭର ଗ୍ରାମୀଣ ଅର୍ଥନୀତିର ଏକ ଜୀବନ୍ତ ଉଦାହରଣ।ଆମ କାରଖାନାରେ ୬୨ ଜଣ ସ୍ଥାନୀୟ ଯୁବକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିଛି। ଅନ୍ୟପଟେ, ୧,୨୩୦ରୁ ଅଧିକ ଲୋକ ପରୋକ୍ଷ ଭାବେ ଏହା ସହ ଜଡ଼ିତ ଅଛନ୍ତି। ଆଖପାଖ ଗାଁର ଲୋକମାନେ ଟ୍ରାକ୍ଟର-ଟ୍ରଲି ଯୋଗେ କଞ୍ଚାମାଲ ପରିବହନ କରୁଛନ୍ତି। ଚିନି କାରଖାନାରୁ ମଇଳା ଆଣିବା ପାଇଁ ସେମାନେ ପ୍ରତି ଟ୍ରିପ୍ରେ ୩,୦୦୦ ଟଙ୍କା ପାଉଛନ୍ତି। ଅନେକ ଗ୍ରାମବାସୀ ଗୋବର ସଂଗ୍ରହ କରି କାରଖାନାକୁ ପହଞ୍ଚାଇବା କାମ ମଧ୍ୟ କରୁଛନ୍ତି। ଏହା ଫଳରେ ସ୍ଥାନୀୟ କୃଷକ, ଗାଡ଼ିଚାଳକ ଓ ପଶୁପାଳକମାନଙ୍କ ପାଇଁ ଆୟର ଏକ ନୂଆ ମାଧ୍ୟମ ସୃଷ୍ଟି ହୋଇଛି।
ପ୍ରଶ୍ନ: ସରକାରୀ ତୈଳ କମ୍ପାନୀଗୁଡ଼ିକଠାରୁ ଅର୍ଥ ପୈଠର ସ୍ଥିତି କ’ଣ? କାରଖାନା ଚଳାଇବା ଆର୍ଥିକ ଦୃଷ୍ଟିରୁ ଲାଭଦାୟକ କି?
ଉତ୍ତର: କେନ୍ଦ୍ର ସରକାର ଏହି ବ୍ୟବସ୍ଥା ପାଇଁ ଏକ ପ୍ରମୁଖ ଗ୍ୟାସ୍ ଉଦ୍ୟୋଗକୁ ସମନ୍ୱୟକାରୀ ସଂସ୍ଥା ଭାବେ ନିଯୁକ୍ତ କରିଛନ୍ତି। କାରଖାନାରେ ଉତ୍ପାଦିତ ଗ୍ୟାସ୍କୁ ପ୍ରାୟ ୨୫୦ ବାର୍ ଚାପରେ ସ୍ୱତନ୍ତ୍ର ସିଲିଣ୍ଡରରେ ଭର୍ତ୍ତି କରାଯାଏ। ଏହାକୁ ଶାହଜାହାନପୁରର ପିପରୋଲାସ୍ଥିତ ବିତରଣ କେନ୍ଦ୍ର ଏବଂ ଆଖପାଖର ପମ୍ପଗୁଡ଼ିକୁ ପଠାଯାଏ। ଋଣର କିସ୍ତି ପରିଶୋଧ କରିବା ପରେ ମଧ୍ୟ ଉଚିତ ଲାଭ ମିଳୁଛି।
ପ୍ରଶ୍ନ: ଗ୍ୟାସ୍କୁ ସିଧାସଳଖ ମୁଖ୍ୟ ପାଇପ୍ଲାଇନ୍ ଗ୍ରିଡ୍ ସହ ଯୋଡ଼ିବାର ବ୍ୟବସ୍ଥା ବାସ୍ତବରେ କାର୍ଯ୍ୟକାରୀ ହୋଇଛି କି?
ଉତ୍ତର: କାରଖାନାରେ ଉତ୍ପାଦିତ ଗ୍ୟାସ୍କୁ ଉଚ୍ଚ ଚାପରେ ସିଲିଣ୍ଡରରେ ଭର୍ତ୍ତି କରି ଶାହଜାହାନପୁରର ପିପରୋଲାସ୍ଥିତ ବିତରଣ କେନ୍ଦ୍ରକୁ ପଠାଯାଉଛି। ସେଠାରେ ଗ୍ୟାସ୍ର ଚାପକୁ ସନ୍ତୁଳିତ କରି ଏହାକୁ ସହରାଞ୍ଚଳ ଗ୍ୟାସ୍ ବିତରଣ ବ୍ୟବସ୍ଥାର ମୁଖ୍ୟ ପାଇପ୍ଲାଇନ୍ରେ ମିଶାଯାଉଛି। ଏହା ପରେ ଏହି ଗ୍ୟାସ୍ ବିଭିନ୍ନ ଜିଲ୍ଲାର ଶିଳ୍ପ ପ୍ରତିଷ୍ଠାନ, ଯାନବାହନ ଓ ଘରୋଇ ବ୍ୟବହାର ପାଇଁ ଯୋଗାଇ ଦିଆଯାଉଛି।
ପ୍ରଶ୍ନ: ରାସାୟନିକ ସାର ଉପରେ ସରକାରୀ ରିହାତି ମିଳୁଥିବା ସତ୍ତ୍ୱେ କୃଷକମାନେ କାରଖାନାରୁ ଉତ୍ପାଦିତ ଜୈବିକ ସାର କାହିଁକି ବ୍ୟବହାର କରୁଛନ୍ତି?
ଉତ୍ତର: ଏହା ଆମ କାରଖାନାର ସବୁଠାରୁ ବୈପ୍ଳବିକ ଓ ଲାଭଦାୟକ ଦିଗ। ଗ୍ୟାସ୍ ଉତ୍ପାଦନ ପରେ ଉଚ୍ଚମାନର ଜୈବିକ ସାର ଓ ପ୍ରାକୃତିକ ଗନ୍ଧକ ମିଳୁଛି। ଏହି ସାରର ବ୍ୟବହାର ଦ୍ୱାରା ଫସଲର ଗୁଣବତ୍ତା ଓ ଉତ୍ପାଦନ ବୃଦ୍ଧି ପାଇବା ସହ ରାସାୟନିକ ସାର ଉପରେ ନିର୍ଭରଶୀଳତା କମିଥାଏ। ଏହା ମାଟିର ଉର୍ବରତା ବଜାୟ ରଖିବା ସହ ସରକାରଙ୍କ ଉପରେ ସାର ସବ୍ସିଡିର ଆର୍ଥିକ ବୋଝ କମାଇବାରେ ମଧ୍ୟ ସାହାଯ୍ୟ କରେ। ଏବେ କୃଷକମାନେ ନିଜେ ସାର କିଣିବା ପାଇଁ କାରଖାନାକୁ ଆସୁଛନ୍ତି।
ପ୍ରଶ୍ନ: କେନ୍ଦ୍ର ସରକାରଙ୍କ ‘ସତତ’ ଯୋଜନା ଓ ରାଜ୍ୟର ଜୈବ-ଶକ୍ତି ନୀତିକୁ କ୍ଷେତ୍ରସ୍ତରରେ କିପରି ଅନୁଭବ କରିଛନ୍ତି?
ଉତ୍ତର: କେନ୍ଦ୍ର ସରକାରଙ୍କ ‘ସତତ’ ଓ ‘ଗୋବର୍ଦ୍ଧନ’ ଯୋଜନା ସହ ଉତ୍ତର ପ୍ରଦେଶ ସରକାରଙ୍କ ଜୈବ-ଶକ୍ତି ନୀତି ଏହି କ୍ଷେତ୍ରକୁ ପ୍ରୋତ୍ସାହନ ଦେଇଛି। ପ୍ରାରମ୍ଭରେ ନୂତନ ପ୍ରଯୁକ୍ତି ହୋଇଥିବାରୁ ଆବଶ୍ୟକ ଅନୁମତି ପାଇବାରେ ସମୟ ଲାଗିଥିଲା। କିନ୍ତୁ ଏବେ ପ୍ରକ୍ରିୟାଗୁଡ଼ିକ ସହଜ ହୋଇଛି ଏବଂ ନୂଆ ଉଦ୍ୟୋଗୀମାନେ ସହଯୋଗ ପାଉଛନ୍ତି।
ପ୍ରଶ୍ନ: ଦୈନିକ ୩ ଟନ୍ରୁ ୧୨ ଟନ୍କୁ ଉତ୍ପାଦନ ବୃଦ୍ଧି କରିବାରେ ମୁଖ୍ୟ ଆହ୍ୱାନ କ’ଣ—ପୁଞ୍ଜି ନା କଞ୍ଚାମାଲ?
ଉତ୍ତର: କାରଖାନାର ଉତ୍ପାଦନ କ୍ଷମତା ବୃଦ୍ଧି କରିବାରେ ସବୁଠାରୁ ବଡ଼ ଆହ୍ୱାନ ହେଉଛି ନିରନ୍ତର କଞ୍ଚାମାଲ ଉପଲବ୍ଧ କରାଇବା। ଅର୍ଥ ଯୋଗାଣ କ୍ଷେତ୍ରରେ କୌଣସି ବଡ଼ ସମସ୍ୟା ନାହିଁ। ଆମେ କୃଷକ ଓ ଚିନି କାରଖାନାଗୁଡ଼ିକ ସହ ଯୋଗାଣ ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଉପରେ ଧ୍ୟାନ ଦେଉଛୁ। ଯାହା ଦ୍ୱାରା ଦୈନିକ ୧୨ ଟନ୍ ଉତ୍ପାଦନର ଲକ୍ଷ୍ୟ ହାସଲ କରିବା ପରେ ମଧ୍ୟ କଞ୍ଚାମାଲର ଅଭାବ ଦେଖାଦେବ ନାହିଁ। ଆମର ବ୍ୟବହାରିକ ଅଭିଜ୍ଞତା ଅନୁଯାୟୀ, ଏହି କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କଞ୍ଚାମାଲର ସହଜ ଉପଲବ୍ଧତା ଏବଂ ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା