
ଚେନ୍ନାଇ, ୨୮ ଅକ୍ଟୋବର (ହି.ସ.)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ‘ଅର୍ନବ’ ବାତ୍ୟାର ପ୍ରଭାବ ବିମାନ ଚଳାଚଳ ଉପରେ ମଧ୍ୟ ଦେଖିବାକୁ ମିଳୁଛି। ବାତ୍ୟା ଏବଂ ପାଣିପାଗରେ ସମ୍ଭାବ୍ୟ ପରିବର୍ତନକୁ ଦୃଷ୍ଟିରେ ରଖି ଚେନ୍ନାଇ ବିମାନବନ୍ଦରରେ ଆଜି ଆସିବା ଓ ଯିବା ମିଶାଇ ମୋଟ ୧୨ଟି ବିମାନ ବାତିଲ କରାଯାଇଛି। ଚେନ୍ନାଇ ବିମାନବନ୍ଦରର ବରିଷ୍ଠ ଅଧିକାରୀମାନେ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ‘ଅର୍ନବ’ ବାତ୍ୟା ଆଜି ସକାଳେ ଆନ୍ଧ୍ରପ୍ରଦେଶର ଉପକୂଳ ଅଂଚଳରେ ସ୍ଥଳଭାଗକୁ ଛୁଇଁଥିଲା। ବାତ୍ୟାର ମୁଖ୍ୟ ଅଂଶ ଭୋର୍ ସମୟରେ ଉପକୂଳରେ ପହଂଚିିଥିବାବେଳେ, ଏହାର ପଛ ଅଂଶ ପରବର୍ତୀ ତିନି ଘଂଟା ମଧ୍ୟରେ ଉପକୂଳକୁ ଛୁଇଁଥିଲା। ଏହା ପୂର୍ବରୁ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ବଙ୍ଗୋପସାଗରର ମଧ୍ୟ-ପଶ୍ଚିମ ଭାଗରେ କେନ୍ଦ୍ରୀଭୂତ ଥିଲା ଏବଂ ଛଅ ଘଂଟାରେ ଘଂଟାପ୍ରତି ୧୮ କିଲୋମିଟର ବେଗରେ ପଶ୍ଚିମ-ଉତରପଶ୍ଚିମ ଦିଗକୁ ଗତି କରିଥିଲା। ଏହି ସମୟରେ ଘଂଟା ପ୍ରତି ୧୩୫ କିଲୋମିଟର ବେଗରେ ପବନ ବହିବା ନେଇ ମଧ୍ୟ ସତର୍କତା ଜାରି କରାଯାଇଥିଲା।
ବାତ୍ୟାର ପ୍ରଭାବ ଏବଂ ଖରାପ ପାଣିପାଗର ଆଶଙ୍କାକୁ ଦୃଷ୍ଟିରେ ରଖି ଚେନ୍ନାଇରୁ ଆନ୍ଧ୍ରପ୍ରଦେଶ ଯାଉଥିବା ଏବଂ ସେଠାରୁ ଚେନ୍ନାଇ ଆସୁଥିବା କେତେକ ବିମାନ ପୂର୍ବରୁ ହିଁ ବାତିଲ କରାଯାଇଥିଲା। ଏବେ ଆଜି ମୋଟ ୧୨ଟି ବିମାନ ବାତିଲ କରିବାକୁ ନିଷ୍ପତି ନିଆଯାଇଛି। ଏଥିରେ ଚେନ୍ନାଇରୁ ବିଶାଖାପାଟଣା, ବିଜୟୱାଡା ଏବଂ ରାଜମୁନ୍ଦ୍ରୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଛଅଟି ବିମାନ ସାମିଲ ଅଛି। ଏହା ବ୍ୟତୀତ, ଏହି ତିନୋଟି ସହରରୁ ଚେନ୍ନାଇ ଆସୁଥିବା ଛଅଟି ବିମାନ ମଧ୍ୟ ବାତିଲ କରାଯାଇଛି।
ଚେନ୍ନାଇରୁ ଆଜି ବାତିଲ ହୋଇଥିବା ବିମାନଗୁଡ଼ିକ ମଧ୍ୟରେ ସକାଳ ୫ଟା ୨୫ ମିନିଟରେ ବିଶାଖାପାଟଣା ଯାଉଥିବା, ସକାଳ ୭ଟାରେ ବିଜୟୱାଡା ଯାଉଥିବା ଏବଂ ସକାଳ ୧୦ଟା ୩୦ ମିନିଟରେ ବିଶାଖାପାଟଣା ଯାଉଥିବା ଇଣ୍ଡିଗୋ ବିମାନ ସାମିଲ ଅଛି। ଏହା ବ୍ୟତୀତ, ଅପରାହ୍ନ ୨ଟା ୩୫ ମିନିଟରେ ରାଜମୁନ୍ଦ୍ରୀ, ଅପରାହ୍ନ ୨ଟା ୪୫ ମିନିଟରେ ବିଜୟୱାଡା ଏବଂ ସନ୍ଧ୍ୟା ୪ଟାରେ ବିଶାଖାପାଟଣା ଯାଉଥିବା ବିମାନଗୁଡ଼ିକ ମଧ୍ୟ ବାତିଲ କରାଯାଇଛି। ସେହିପରି ବିଶାଖାପାଟଣା, ବିଜୟୱାଡା ଏବଂ ରାଜମୁନ୍ଦ୍ରୀରୁ ଚେନ୍ନାଇ ଆସୁଥିବା ଇଣ୍ଡିଗୋର ଛଅଟି ବିମାନକୁ ମଧ୍ୟ ବାତିଲ କରାଯାଇଛି।
ଗୋଟିଏ ଦିନରେ ୧୨ଟି ବିମାନ ବାତିଲ ହେବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାତ୍ରୀମାନଙ୍କୁ ବିମାନବନ୍ଦର ଅଭିମୁଖେ ବାହାରିବା ପୂର୍ବରୁ ଇଣ୍ଡିଗୋ ଏୟାରଲାଇନ୍ସ କିମ୍ବା ଚେନ୍ନାଇ ବିମାନବନ୍ଦରର ଅଧିକାରିକ ମାଧ୍ୟମରେ ନିଜ ବିମାନର ସ୍ଥିତି ଯାଂଚ କରିବାକୁ ପରାମର୍ଶ ଦିଆଯାଇଛି, ଯାହାଦ୍ୱାରା କୌଣସି ଅସୁବିଧାରୁ ରକ୍ଷା ପାଇହେବ।
ହିନ୍ଦୁସ୍ଥାନ ସମାଚାର / ଗଗନ