ଘୂର୍ଣ୍ଣୀ ବାତ୍ୟା ‘ଅର୍ନବ’ର ବିପଦ: କୋଲକାତା ବିମାନବନ୍ଦରରେ ହାଇ ଆଲର୍ଟ, ବିମାନ ସୁରକ୍ଷା ପାଇଁ କଡ଼ା ବ୍ୟବସ୍ଥା
କୋଲକାତା, ୨୮ ଅକ୍ଟୋବର (ହି.ସ.) ଘୂର୍ଣ୍ଣୀ ବାତ୍ୟା ‘ଅର୍ନବ’ର ସମ୍ଭାବ୍ୟ ବିପଦ ଏବଂ ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ଜୋର ପବନ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ସତର୍କତା ବଢ଼ାଇ ଦିଆଯାଇଛି। ଖରାପ ପାଣିପାଗ ଯୋଗୁଁ ବିମାନ ଚଳାଚଳରେ କୌଣସି ବା
कोलकाता एयरपोर्ट


କୋଲକାତା, ୨୮ ଅକ୍ଟୋବର (ହି.ସ.) ଘୂର୍ଣ୍ଣୀ ବାତ୍ୟା ‘ଅର୍ନବ’ର ସମ୍ଭାବ୍ୟ ବିପଦ ଏବଂ ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ଜୋର ପବନ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ସତର୍କତା ବଢ଼ାଇ ଦିଆଯାଇଛି। ଖରାପ ପାଣିପାଗ ଯୋଗୁଁ ବିମାନ ଚଳାଚଳରେ କୌଣସି ବାଧାକୁ ଏଡ଼ାଇବା ଏବଂ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବିମାନବନ୍ଦର ପ୍ରଶାସନ ଯୁଦ୍ଧକାଳୀନ ଭିତିରେ ସତର୍କତାମୂଳକ ପଦକ୍ଷେପ ନେଇଛି। ପାଣିପାଗ ବିଭାଗ ପକ୍ଷରୁ ସହର ପାଇଁ ‘ୟେଲୋ ଆଲର୍ଟ’ ଜାରି କରାଯାଇଛି। ଏଥିରେ ଆଗାମୀ ଦୁଇରୁ ତିନି ଦିନ, ବିଶେଷକରି ଅକ୍ଟୋବର ୨୮-୨୯ ତାରିଖରେ ପ୍ରବଳ ଝଡ଼ ଏବଂ ଘଡ଼ଘଡ଼ି ସହ ବର୍ଷା ହେବାର ସତର୍କବାଣୀ ଦିଆଯାଇଛି।

ନାଗରିକ ବିମାନ ଚଳାଚଳ ସେବାକୁ ସୁଚାରୁ ରଖିବା ଉଦ୍ଦେଶ୍ୟରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ମଙ୍ଗଳବାର ବାତ୍ୟା ପ୍ରଭାବିତ ହେବାର ସମ୍ଭାବନା ଥିବା ବିମାନବନ୍ଦରଗୁଡ଼ିକର ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା କରିଥିଲା। ଏଏଆଇ ଅଧ୍ୟକ୍ଷ ପୁନୀତ କଂସଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ପୂର୍ବ ଓ ଦକ୍ଷିଣ ଅଂଚଳର ଆଂଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ସହ କୋଲକାତା, ଚେନ୍ନାଇ, ତିରୁପତି, ରାୟପୁର, କଡ଼ପ୍ପା, ଭୁବନେଶ୍ୱର, ବିଜୟୱାଡା, ରାଜମୁନ୍ଦ୍ରୀ ଏବଂ ଝାରସୁଗୁଡ଼ା ବିମାନବନ୍ଦରର ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ। ଭୋଗାପୁରମ୍ ଓ ହାଇଦ୍ରାବାଦ ବିମାନବନ୍ଦରର ଏୟାର ଟ୍ରାଫିକ୍ କଂଟ୍ର୍ରୋଲ୍ (ଏଟିସି) ଅଧିକାରୀଙ୍କ ସହ କୋଲକାତା ବିମାନବନ୍ଦରର ନିର୍ଦ୍ଦେଶକ ବିକ୍ରମ ସିଂହ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହୋଇଥିଲେ।

ଖରାପ ପାଣିପାଗ ସତ୍ୱେ ବିମାନଗୁଡ଼ିକର ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବା ପାଇଁ କୋଲକାତା ବିମାନବନ୍ଦରର ପରିଚାଳନା ଦଳ ଏବଂ ଏୟାର ଟ୍ରାଫିକ୍ କଂଟ୍ର୍ରୋଲ୍ ବିଭାଗକୁ ହାଇ ଆଲର୍ଟରେ ରଖାଯାଇଛି।

ସତର୍କତାମୂଳକ ପଦକ୍ଷେପ ଭାବେ ବିମାନବନ୍ଦରର ପାର୍କିଂ ବେ’ରେ ରଖାଯାଇଥିବା ବିମାନଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ବିଶେଷ ବୈଷୟିକ ବ୍ୟବସ୍ଥା କରାଯାଉଛି। ପ୍ରବଳ ପବନର ଝଟକାରେ ବିମାନଗୁଡ଼ିକ ଘୁଂଚିଯିବା କିମ୍ବା ପରସ୍ପର ସହ ଧକ୍କା ହେବାର ବିପଦକୁ ଏଡ଼ାଇବା ପାଇଁ ସେଗୁଡ଼ିକୁ ଉପଯୁକ୍ତ ଭାବେ ବାନ୍ଧି ରଖାଯାଉଛି। ଏହା ବ୍ୟତୀତ ରନୱେ ଏବଂ ଟର୍ମିନାଲ୍ ଅଂଚଳ ବାହାରେ ଥିବା ଉପକରଣଗୁଡ଼ିକୁ ମଧ୍ୟ ସୁରକ୍ଷିତ କରାଯାଉଛି। ଜେଟ୍ ବ୍ରିଜ୍, ଏରୋବ୍ରିଜ୍ ଏବଂ ଜରୁରୀକାଳୀନ ବିଦ୍ୟୁତ୍ ଯୋଗାଣ ପାଇଁ ଲଗାଯାଇଥିବା ଜେନେରେଟର୍ ଭଳି ଭାରୀ ଉପକରଣଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ହଟାଯାଉଛି କିମ୍ବା ଦୃଢ଼ ଭାବେ ବାନ୍ଧି ରଖାଯାଉଛି, ଯାହାଦ୍ୱାରା ଭିତିଭୂମିର କୌଣସି କ୍ଷତି ନହୁଏ।

ବିମାନବନ୍ଦର ପ୍ରଶାସନ ବାତ୍ୟାର ଗତିପଥ ଏବଂ ତୀବ୍ରତା ଉପରେ ନିରନ୍ତର ତୀକ୍ଷ୍ଣ ନଜର ରଖିଛି। ସମସ୍ତ ବିମାନ କମ୍ପାନୀଙ୍କ ସହ ନିରନ୍ତର ସମନ୍ୱୟ ସ୍ଥାପନ କରାଯାଇଛି। ପାଣିପାଗ ଆହୁରି ଖରାପ ହେବା ସ୍ଥିତିରେ ବିମାନଗୁଡ଼ିକୁ ସୁରକ୍ଷିତ ବିମାନବନ୍ଦର ଆଡ଼କୁ ମୋଡ଼ିଦେବା (ଡାଇଭର୍ଟ କରିବା) ପାଇଁ ଜରୁରୀକାଳୀନ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି।

ପ୍ରଶାସନ ସ୍ପଷ୍ଟ କରିଛି ଯେ ପରିସ୍ଥିତି ଅନୁଯାୟୀ ବିମାନ କମ୍ପାନୀଗୁଡ଼ିକ ନିଜ ବିମାନର ସମୟରେ ବିଳମ୍ବ କରିପାରନ୍ତି କିମ୍ବା ସେଗୁଡ଼ିକୁ ଅସ୍ଥାୟୀ ଭାବେ ବାତିଲ ମଧ୍ୟ କରିପାରନ୍ତି। ଏହାକୁ ଦୃଷ୍ଟିରେ ରଖି କୋଲକାତା ବିମାନବନ୍ଦର ପ୍ରଶାସନ ସମସ୍ତ ଯାତ୍ରୀଙ୍କୁ ପରାମର୍ଶ ଦେଇଛି ଯେ କୌଣସି ଅସୁବିଧାରୁ ବଂଚିବା ପାଇଁ ଘରୁ ବାହାରିବା ପୂର୍ବରୁ ନିଜ ସମ୍ପୃକ୍ତ ବିମାନ କମ୍ପାନୀଙ୍କଠାରୁ ବିମାନର ବର୍ତମାନ ସ୍ଥିତି ସମ୍ପର୍କରେ ନିଶ୍ଚିତ ଭାବେ ସୂଚନା ନେଇଯାଆନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande