
ଅଦନ (ୟେମେନ), ୨୯ ଅକ୍ଟୋବର (ହି.ସ.)। ମଧ୍ୟପ୍ରାଚ୍ୟ ଦେଶ ୟେମେନର ପ୍ରମୁଖ ବନ୍ଦର ସହର ଅଦନର ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଇରାନ ସମର୍ଥିତ ହୁତି ଗୋଷ୍ଠୀର ଦୁଇଟି କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ବିମାନ ଚଳାଚଳର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଏହି ଆକ୍ରମଣ ଯୋଗୁଁ ଅଦନ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ମାନବୀୟ ସହାୟତା ପହଞ୍ଚାଇବାର ଏକ ପ୍ରମୁଖ ମାଧ୍ୟମ ଭାବେ କାର୍ଯ୍ୟ କରୁଥିବା ଏହି ବିମାନବନ୍ଦରରେ ଆକ୍ରମଣ ଯୋଗୁଁ ସାଧାରଣ ନାଗରିକ ଆହତ ହୋଇଥିବା ବେଳେ ସମ୍ପତ୍ତିର କ୍ଷୟକ୍ଷତି ମଧ୍ୟ ହୋଇଛି।
ଗଲ୍ଫ ନ୍ୟୁଜ୍, ଆରବ ନ୍ୟୁଜ୍ ଏବଂ ଅଲ୍ଜଜିରାର ରିପୋର୍ଟ ଅନୁଯାୟୀ, ୟେମେନର ସାମରିକ ମୁଖପାତ୍ର ଏବଂ ପରିବହନ ମନ୍ତ୍ରଣାଳୟଙ୍କ ସୂଚନା ଅନୁସାରେ, ବୁଧବାର ଦିନ ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଦନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲକ୍ଷ୍ୟ କରି ମାଡ଼ କରାଯାଇଥିଲା। ଏହି ଆକ୍ରମଣରେ ସାଧାରଣ ନାଗରିକ ଆହତ ହୋଇଥିଲେ। ଏଥିସହ ସମ୍ପତ୍ତିର କ୍ଷୟକ୍ଷତି ହୋଇଥିବା ବେଳେ କିଛି ସମୟ ପାଇଁ ବିମାନ ଚଳାଚଳ ବନ୍ଦ ରହିଥିଲା। ଏହା ପୂର୍ବରୁ ଅକ୍ଟୋବର ୭ ତାରିଖରେ ମଧ୍ୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଜରିଆରେ ଆକ୍ରମଣ କରାଯାଇଥିଲା।
ସୂଚନା ଅନୁଯାୟୀ, ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ୟେମେନ ସରକାରଙ୍କ ଗଡ଼ ଭାବେ ପରିଚିତ ଅଦନ ସହରରେ ଅବସ୍ଥିତ ଏହି ବିମାନବନ୍ଦରକୁ ଖାଲି କରିବା ପାଇଁ ହୁତି ଗୋଷ୍ଠୀ ଦାବି କରିଛି। ୟେମେନର ପରିବହନ ମନ୍ତ୍ରଣାଳୟ ଏହି ଆକ୍ରମଣକୁ ନିନ୍ଦା କରିଛି। ଏଭଳି ଆକ୍ରମଣ ସାଧାରଣ ନାଗରିକଙ୍କ ଜୀବନ ଏବଂ ବିମାନ ଚଳାଚଳର ନିରାପତ୍ତା ପାଇଁ ବିପଦ ସୃଷ୍ଟି କରୁଥିବା ନେଇ ମନ୍ତ୍ରଣାଳୟ ଚେତାବନୀ ଦେଇଛି। ଏହା ମଧ୍ୟ ଖବର ମିଳିଛି ଯେ, ଅକ୍ଟୋବର ମାସରେ ସାଧାରଣ ବିମାନବନ୍ଦରଗୁଡ଼ିକ ଉପରେ ଆକ୍ରମଣ ପରେ ସାଉଦି ଆରବ ନେତୃତ୍ୱାଧୀନ ସେନା ହୁତି ଗୋଷ୍ଠୀର ୮୨ଟି ଠିକଣାକୁ ଧ୍ୱଂସ କରିଦେଇଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା