
ଭଦ୍ରକ, ୨୯ ଅକ୍ଟୋବର (ହି.ସ.) - ଭଦ୍ରକ ପଂଚାୟତ ବ୍ଲକରେ ବିକଶିତ ଗାଁ ବିକଶିତ ଓଡିଶା(ବିଜିବିଓ)ପ୍ରକଳ୍ପକୁ ନେଇ ଏବେ ମାମଲା ହାଇକୋର୍ଟରେ ପହଂଚିଛି । ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ହାଇକୋର୍ଟରେ ଏହି ପ୍ରକଳ୍ପର କାର୍ଯ୍ୟକାରୀତାରେ ସରକାରୀ ଗାଇଡ ଲାଇନକୁ ଉଲ୍ଲଘଂନ କରାଯାଇଥିବା ମାମଲା କରିଥିଲେ । ତାଙ୍କ ମାମଲାରେ ଦର୍ଶାଇଛନ୍ତି ଯେ, ଏହି ଯୋଜନାର କାର୍ଯ୍ୟକାରୀତାରେ ତାଙ୍କୁ ଉପେକ୍ଷା କରାଯାଇ ଜିଲ୍ଲାର ୪ଜଣିଆ କମିଟି ଦ୍ୱାରା ପ୍ରକଳ୍ପ ଗୁଡିକର କାର୍ଯ୍ୟକାରୀତା ଲାଗି ନିଷ୍ପତି ନିଆଯାଇଛି । ହାଇକୋର୍ଟ ବ୍ଲକ ଅଧ୍ୟକ୍ଷାଙ୍କ ଆବେଦନ(ଡବ୍ଲୁପି(ସି)ନଂ-୩୪୪୬୩/୨୦୨୬ଗ୍ରହଣ କରି ତାଙ୍କ ଅନ୍ତରୀଣ ରାୟ(ଆଇଏ ନଂ-୨୦୪୫୬/୨୦୨୬)ରେ ସ୍ଥଗିତାଦେଶ ଦେଇଛନ୍ତି । ଉକ୍ତ ମାମଲାର ଚୂଡାନ୍ତ ଆଦେଶ ପ୍ରକାଶ ନହେବା ଯାଏଁ ପ୍ରକଳ୍ପର କାର୍ଯ୍ୟଗୁଡିକୁ ବନ୍ଦ ରଖିବାକୁ ଆଦେଶ ଦେଇଛନ୍ତି । ଅପରପକ୍ଷମାନଙ୍କ ଜବାବ ଶୁଣାଣି ପରେ ପରବର୍ତୀ ଶୁଣାଣି ହେବ ବୋଲି କୋର୍ଟ ଆଦେଶ ଦେଇଛନ୍ତି । ପ୍ରକାଶଯୋଗ୍ୟ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ପ୍ରଥମେ ବିଜୁ ଜନତା ଦଳ ସମର୍ଥନରେ ନିର୍ବାଚିତ ହୋଇଥିଲେ। ନିର୍ବାଚିତ ହେବା ପରେ ଭଦ୍ରକ ବ୍ଲକର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି ପାଇଁ ବିକାଶର ନାରା ଦେଇ ସେ ବର୍ଷକ ତଳେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ। କିନ୍ତୁ ବିଜେପିରେ ଯୋଗଦାନ ପରେ ପରେ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ଅଧ୍ୟକ୍ଷଙ୍କୁ ଅଣଦେଖା କରାଯାଉଛି ବୋଲି ସେ ବହୁବାର ଅଭିଯୋଗ କରିଥିଲେ । ବିଶେଷ କରି ୨୦୨୫-୨୬ ଓ ୨୦୨୬-୨୭ ଆର୍ଥିକ ବର୍ଷରେ ବିଜିବିଓ(ବିକଶିତ ଗାଁ ବିକଶିତ ଓଡିଶା)ଯୋଜନା ଅଧିନ ବିଭିନ୍ନ ଉନ୍ନୟମୂଳକ ପ୍ରକଳ୍ପ ବା କାର୍ଯ୍ୟ ଗୁଡିକରେ ବ୍ଲକ ଅଧ୍ୟକ୍ଷାଙ୍କ ସହ ବିନା ଆଲୋଚନା, ତାଙ୍କ ବିନା ସମ୍ମତି ଓ ବିନା ସୂଚନାରେ ଅନୁମୋଦନ କରି ଦିଆଯାଉଥିବା ନେଇ ଅଭିଯୋଗ କରିଥିଲେ । ଏହା ସମ୍ପୂର୍ଣ୍ଣ ନିୟମ ବିରୁଦ୍ଧ ବୋଲି ବ୍ଲକ ଅଧ୍ୟକ୍ଷ ଉର୍ମିଳା ନାୟକ ବହୁବାର ଅଭିଯୋଗ କରିଥିଲେ ବି ତାଙ୍କ କଥା ଶୁଣାଯାଉନଥିଲା । ଶେଷରେ ପ୍ରଶାସନର ଏହି ଅନିୟମିତତା ବିରୁଦ୍ଧରେ ନ୍ୟାୟ ପାଇବା ପାଇଁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନାୟକ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ