ଜଳେଶ୍ୱରରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ରାଜନୈତିକ ହସ୍ତକ୍ଷେପ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ: ବିଜେଡି
Bhubaneswar, 29 ଅକ୍ଟୋବର (ହି.ସ.) ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରେ ୧୪ ବର୍ଷୀୟା ସ୍କୁଲ ଛାତ୍ରୀଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛି ବିଜୁ ଜନତା ଦଳ । ବାଲେଶ୍ୱର ଜିଲ୍ଲା ପୋଲିସ୍ ପ୍ରଶାସନ ବିଜେପିର ହାତବାରିସି ସାଜିଛି । ନାବାଳିକାଙ୍କ ସନ୍ଧା
ଜଳେଶ୍ୱରରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ରାଜନୈତିକ ହସ୍ତକ୍ଷେପ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ: ବିଜେଡି


Bhubaneswar, 29 ଅକ୍ଟୋବର (ହି.ସ.)

ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରେ ୧୪ ବର୍ଷୀୟା ସ୍କୁଲ ଛାତ୍ରୀଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛି ବିଜୁ ଜନତା ଦଳ । ବାଲେଶ୍ୱର ଜିଲ୍ଲା ପୋଲିସ୍ ପ୍ରଶାସନ ବିଜେପିର ହାତବାରିସି ସାଜିଛି । ନାବାଳିକାଙ୍କ ସନ୍ଧାନ ମିଳିବା ପୂର୍ବରୁ ପୋଲିସ୍ ବିଜେପି ନେତାଙ୍କ ଚାପରେ ଚେପା ହୋଇ ଅଭିଯୁକ୍ତଙ୍କୁ ଛାଡ଼ି ଦେଇଥିବା ଅଭିଯୋଗ କରିଛି ବିଜେଡି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ତଥା ଜାତୀୟ ମୁଖପାତ୍ର ଡ଼ ଲେଖାଶ୍ରୀ ସାମନ୍ତସିଂହାର ଏବଂ ବିଧାୟକ ଶ୍ରୀ ଅଶ୍ୱିନୀ ପାତ୍ର, ଘଟଣାର ସତ୍ୟ ଉନ୍ମୋଚନ କରିବା ସହ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାର ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଥିଲେ ।

ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ ଯେ, ୧୫ ଅକ୍ଟୋବର ୨୦୨୬ରେ ବର୍ତ୍ତନା ଗ୍ରାମପଞ୍ଚାୟତ ଅଞ୍ଚଳରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଥିଲା । ଜଣେ ୧୪ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିଲା । ନାବାଳିକା ନିଖୋଜ ଥିବା ସତ୍ତ୍ୱେ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକାନ୍ତ ଜେନା ଓରଫ କାହ୍ନୁଙ୍କୁ ପୋଲିସ୍ କେଉଁ ପରିସ୍ଥିତିରେ ଅଟକ ରଖିଥିଲା ଏବଂ ପରେ ଛାଡ଼ି ଦେଇଥିଲା, ତାହାକୁ ନେଇ ପ୍ରଶ୍ନ ଉଠୁଛି । ଜଣେ ସ୍ଥାନୀୟ ବିଜେପି ନେତା ଅଭିଯୁକ୍ତଙ୍କୁ ଛାଡ଼ିବା ପାଇଁ ପୋଲିସ୍ ଉପରେ ଚାପ ପକାଇଥିବାର ଅଭିଯୋଗ ରହିଛି । ଏହି ଅଭିଯୋଗର ନିରପେକ୍ଷ ତଦନ୍ତ କରି ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ୍ ତୁରନ୍ତ ଗିରଫ କରୁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ଅକ୍ଟୋବର ୨୧ ତାରିଖରେ ଅପରାଧ ସମ୍ପର୍କରେ ସୂଚନା ଦେବା ପରେ ପୀଡ଼ିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହରେ ଗଭୀର କ୍ଷତ ଚିହ୍ନ ରହିଥିବା ବେଳେ ପ୍ରମାଣ ନଷ୍ଟ କରିବା ପାଇଁ ଏସିଡ୍ ବ୍ୟବହାର କରାଯାଇଥିଲା । ମୃତୁ୍ୟର କାରଣ ଓ ପ୍ରମାଣ ନଷ୍ଟ ଉଦ୍ୟମ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଫରେନସିକ୍ ତଦନ୍ତ କରାଯାଉ । ଜଳେଶ୍ୱର ଅଞ୍ଚଳରେ ଘଟିଥିବା ଦୁଷ୍କର୍ମ ଭଳି ସମ୍ବେଦନଶୀଳ ଘଟଣାରେ ନାମ୍ପୋ ପୋଲିସ୍ ଫାଣ୍ଡି ଦାୟିତ୍ୱରେ ଥିବା ଅଧିକାରୀ କରଣ ମାରାଣ୍ଡିଙ୍କୁ ନିଲମ୍ୱନ ଏବଂ ଜଳେଶ୍ୱର ଥାନାର ଇନ୍ସପେକ୍ଟର-ଇନ୍-ଚାର୍ଜ ଅଶୋକ ବାରିକଙ୍କୁ ବଦଳି କରିଦେଇ ସରକାର ଚୁପ୍ ବସିଲେ ହେବ ନାହିଁ । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରନ୍ତୁ ରାଜ୍ୟ ସରକାର ।

ଶ୍ରୀ ଅଶ୍ୱିନୀ ପାତ୍ର କହିଥିଲେ ଯେ, ୧୪ ବର୍ଷୀୟା ନାବାଳିକାଙ୍କୁ ଚାଉମିନ୍ କିଣିଦେବାର ପ୍ରଲୋଭନ ଦେଖାଇ ଗଣଦୁଷ୍କର୍ମ କରିବା ଓ ପରେ ହତ୍ୟା ଘଟଣା ଜଳେଶ୍ୱର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ପୀଡ଼ିତାଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ, ଜଣେ ମହିଳାଙ୍କ ସମେତ ଅନ୍ୟ କେହି ଏହି ଘଟଣାରେ ସାମିଲେ ଥିଲେ କି ନାହିଁ, ତାହାର ତଦନ୍ତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ । ଫରେନସିକ୍ ପ୍ରମାଣ, ସିସିଟିଭି ଫୁଟେଜ୍, କଲ୍ ଡିଟେଲ୍ ରେକର୍ଡ ଓ ଅନ୍ୟାନ୍ୟ ତଥ୍ୟର ଯାଞ୍ଚ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହା ସହିତ ପୀଡ଼ିତାଙ୍କ ପରିବାରକୁ ଆର୍ଥିକ ସହାୟତା ଓ ଆଇନଗତ ସହଯୋଗ ପ୍ରଦାନ କରାଯାଉ । କୌଣସି ରାଜନୈତିକ ପ୍ରଭାବ ଯେପରି ତଦନ୍ତକୁ ବାଟବଣା ନ କରିବ, ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ସରକାର । ଘଟଣାର ପ୍ରକୃତ ସତ୍ୟାସତ୍ୟ ଜାଣିବା ପାଇଁ ସିବିଆଇ ତଦନ୍ତ କରାଯାଉ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande