
ଭଦ୍ରକ, ୨୯ ଅକ୍ଟୋବର (ହି.ସ.) - ଜିଲ୍ଲାର ବିଭିନ୍ନ ବ୍ଲକରେ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ବଦଳିକୁ ନେଇ ଅସନ୍ତୋଷ ତେଜିଛି । ବିଶେଷ କରି କେତେକ ବ୍ଲକ ଶିକ୍ଷାଧିକାରୀମାନେ ମନ୍ଦ ଉଦ୍ଦେଶ୍ୟ ରଖି ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କୁ ବଦଳି କରୁଥିବାର ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ପହଂଚିଥିଲା । ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଏହି ଶିକ୍ଷକମାନଙ୍କ ବଦଳିରେ ଏକ କଡା ପଦକ୍ଷେପ ନେଇଛନ୍ତି । ଏଣିକି ଜିଲ୍ଲାପାଳଙ୍କ ବିନା ଅନୁମତିରେ ବ୍ଲକ ଶିକ୍ଷାଧିକାରୀ(ବିଇଓ)ମାନେ ଶିକ୍ଷକମାନଙ୍କୁ ବଦଳି କରିପାରିବେ ନାହିଁ ବୋଲି ଜିଲାପାଳ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅନୁସନ୍ଧାନରୁ ଜଣାଯାଇଛି, ବ୍ଲକ ଶିକ୍ଷାଧିକାରୀମାନେ ଡେପୁଟେସନ ଆଳରେ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ବଦଳି କରି ଆସୁଥିଲେ । ଫଳରେ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଶେଷ କରି ବାସୁଦେବପୁର ବ୍ଲକରେ ବହୁ ଶିକ୍ଷକଙ୍କ ବଦଳି ହେବା ପରେ ବାସୁଦେବପୁର ବିଧାୟକ ଅଶୋକ ଦାସ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ