
ଝାରସୁଗୁଡ଼ା, ୨୯ ଅକ୍ଟୋବର (ହି.ସ.)- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକରେ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ବୁଧବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ଲଗାତାର ବର୍ଷା ଯୋଗୁଁ ବ୍ଲକର ବିଭିନ୍ନ ଅଞ୍ଚଳର ଚାଷ ଜମିରେ ପାଣି ଜମି ରହିଥିବା ବେଳେ ଧାନ ଫସଲ ଜଳମଗ୍ନ ହୋଇପଡ଼ିଛି। ଧାନ ଅମଳ ସମୟ ପାଖେଇ ଆସୁଥିବାରୁ ଏଭଳି ସ୍ଥିତି ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି।
ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାର ପାଞ୍ଚଟି ବ୍ଲକ ମଧ୍ୟରୁ କୋଲାବିରା ବ୍ଲକରେ ସର୍ବାଧିକ ୬୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ, ପୂର୍ବରୁ ଧାନ ଫସଲରେ ଚକଡ଼ା ପୋକ ଆକ୍ରମଣ ଚାଷୀଙ୍କୁ ଚିନ୍ତାରେ ପକାଇଥିବା ବେଳେ ଏବେ ଲଗାଣ ବର୍ଷା ସେମାନଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ବର୍ଷା ଜଳ ଜମିରହିବା ଯୋଗୁଁ ଧାନ ଗଛ ପାଣିରେ ବୁଡ଼ି ରହିଛି। ଜମିରୁ ଶୀଘ୍ର ପାଣି ନିଷ୍କାସନ ନହେଲେ ଧାନ କେଣ୍ଡାରେ ଗଜା ବାହାରିବା ସହ ଫସଲର ବ୍ୟାପକ କ୍ଷତି ହେବାର ଆଶଙ୍କା ରହିଥିବା ଚାଷୀମାନେ କହିଛନ୍ତି। କେବଳ ଧାନ ନୁହେଁ, ଲଗାଣ ବର୍ଷାରେ ପନିପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି।
ଚାଷୀଙ୍କ ଅଭିଯୋଗ ପାଇ ଗୁରୁବାର କୋଲାବିରା ତହସିଲଦାର ମନୋଜ ପ୍ରଭାକର କୁଜୁର, ବ୍ଲକ କୃଷି ଅଧିକାରୀ ଭିରୋନିକା ତିର୍କୀ, ସହକାରୀ କୃଷି ଅଧିକାରୀ ଶୁଭ୍ରାଂଶୁ ବେହେରା ଏବଂ ରାଜସ୍ୱ ବିଭାଗର ଅଧିକାରୀମାନେ ମିଳିତ ଭାବେ ସମାସିଂହା ସମେତ ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରି କ୍ଷତିଗ୍ରସ୍ତ ଚାଷ ଜମି ପରିଦର୍ଶନ କରିଛନ୍ତି। ବର୍ଷା ଛାଡ଼ିବା ପରେ ହିଁ ଫସଲ କ୍ଷୟକ୍ଷତିର ସଠିକ୍ ଆକଳନ କରାଯାଇପାରିବ ବୋଲି ଅଧିକାରୀମାନେ ଉପସ୍ଥିତ ଚାଷୀଙ୍କୁ ସୂଚନା ଦେଇଛନ୍ତି। ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ ସମୟରେ ବ୍ଲକ ଗାୟତ୍ରୀ କୃଷକ ସଂଘର ସଭାପତି ହେମନ୍ତ ସାହୁ ଉପସ୍ଥିତ ରହି ଚାଷୀଙ୍କ କ୍ଷୟକ୍ଷତିର ଉପଯୁକ୍ତ ଆକଳନ କରିବା ସହ ସରକାରୀ ନିୟମ ଅନୁଯାୟୀ ଇନପୁଟ୍ ସବସିଡି ଏବଂ ଫସଲ ବୀମା କ୍ଷତିପୂରଣ ପ୍ରଦାନ ପାଇଁ ଦାବି ଜଣାଇଛନ୍ତି। ଲଗାଣ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା ଆଶଙ୍କା ମଧ୍ୟରେ ଚାଷୀମାନେ ଏବେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ଶୀଘ୍ର ଆର୍ଥିକ ସହାୟତା ଓ ବୀମା କ୍ଷତିପୂରଣ ମିଳିଲେ ସେମାନେ କିଛି ମାତ୍ରାରେ ଆଶ୍ୱସ୍ତ ହୋଇପାରିବେ ବୋଲି କୃଷକ ସଂଘ ପକ୍ଷରୁ ଦାବି କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ