
ଝାରସୁଗୁଡା, ୨୯ ଅକ୍ଟୋବର (ହି.ସ.) - ବେଲପାହାଡ଼ ଡିଗ୍ରୀ କଲେଜ ପରିସରରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବେଲପାହାଡ଼ ଡିଗ୍ରୀ କଲେଜର ଅଧ୍ୟକ୍ଷ, ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଅରିନ୍ଦମ ପ୍ରଧାନ, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଡ. ପୁଷ୍ପଶ୍ରୀ ନାୟକ, ଓରମାସ୍ର ଉପମୁଖ୍ୟ ନିର୍ବାହୀ ଅଧିକାରୀ ଯୁବରାଜ ସାହୁ ଏବଂ ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଝାରସୁଗୁଡ଼ାଙ୍କ ଉପସ୍ଥିତିରେ ଓଡ଼ିଶା ସେଭା ଫାର୍ଷ୍ଟ ଇନୋଭେସନ୍ ଚ୍ୟାଲେଞ୍ଜର ଏକ ବୃହତ୍ ବୁଟ୍ କ୍ୟାମ୍ପ ଆୟୋଜିତ ହୋଇଥିଲା।
ଜିଲ୍ଲାପାଳ ନିଜ ଅଭିଭାଷଣରେ ଯୁବ ଛାତ୍ରଛାତ୍ରୀମାନଙ୍କୁ କୃତ୍ରିମ ବୁଦ୍ଧିମତା ଭଳି ଆଧୁନିକ ଜ୍ଞାନକୌଶଳର ସଠିକ୍ ଓ ଉତ୍ପାଦନମୂଳକ ବ୍ୟବହାର କରି ସମାଜରେ ବିଦ୍ୟମାନ ବିଭିନ୍ନ ସମସ୍ୟାର ଅଭିନବ ସମାଧାନ ଖୋଜିବାକୁ ପ୍ରେରଣା ଦେଇଥିଲେ। ଏଥିସହିତ, ଏପରି ନୂତନ ଚିନ୍ତାଧାରା ଓ ସମାଧାନ ମାଧ୍ୟମରେ ଜିଲ୍ଲା, ରାଜ୍ୟ ତଥା ଦେଶର ଆର୍ôଥକ ବିକାଶରେ ଯୋଗଦାନ କରିବାକୁ ସେ ଆହ୍ୱାନ ଜଣାଇଥିଲେ।
ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶା ସେଭା ଫାର୍ଷ୍ଟ ଇନୋଭେସନ୍ ଚ୍ୟାଲେଞ୍ଜର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇବା ସହିତ ଏଥିରେ ପଞ୍ଜୀକରଣ କରିବାର ବିସ୍ତୃତ ପ୍ରକ୍ରିୟା ବିଷୟରେ ବୁଝାଇଥିଲେ।
ସେହିପରି, ବେଲପାହାଡ଼ ଡିଗ୍ରୀ କଲେଜର ଅଧ୍ୟକ୍ଷ, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଏବଂ ଓରମାସ୍ର ଉପମୁଖ୍ୟ ନିର୍ବାହୀ ଅଧିକାରୀ ଛାତ୍ରଛାତ୍ରୀମାନଙ୍କୁ ଉପଲବ୍ଧ ଆଧୁନିକ ଜ୍ଞାନକୌଶଳର ସଫଳ ବ୍ୟବହାର କରି ନୂତନ ସମାଧାନ ବିକଶିତ କରିବା ସହିତ ଓଡ଼ିଶା ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବହୁ ସଂଖ୍ୟାରେ ଏହି ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବେଲପାହାଡ଼ ଡିଗ୍ରୀ କଲେଜ ଏବଂ ଆଇଟିସି ବେଲପାହାଡ଼ର ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହା ସହିତ, ଛାତ୍ରଛାତ୍ରୀମାନେ ତତ୍କ୍ଷଣାତ୍ ୫ଟି ସମସ୍ୟା ବର୍ଗ ସମ୍ବନ୍ଧୀୟ ନିଜସ୍ୱ ଅଭିନବ ଧାରଣା ଓ ସମାଧାନ ଉପସ୍ଥାପନ କରିଥିଲେ। ଏହି ବୁଟ୍ କ୍ୟାମ୍ପ ଯୁବପିଢ଼ିଙ୍କ ମଧ୍ୟରେ ନବସୃଜନ, ଉଦ୍ୟୋଗୀ ମନୋଭାବ ଓ ସମସ୍ୟା ସମାଧାନ କ୍ଷମତାର ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନବସୃଜନ, ସୃଜନଶୀଳତା ଏବଂ ଉଦ୍ୟୋଗୀ ଚିନ୍ତାଧାରାର ବିକାଶ କରିବା ସହିତ ବିଭିନ୍ନ ସମସ୍ୟାର ଅଭିନବ ସମାଧାନ ଓ ନୂତନ ଧାରଣା ଉପସ୍ଥାପନ କରିବା ପାଇଁ ପ୍ରୋତ୍ସାହିତ କରିବା। ଏଥିରେ ଶିକ୍ଷା ଓ ଦକ୍ଷତା ବିକାଶ, ସ୍ୱାସ୍ଥ୍ୟସେବା, ପରିବେଶ ଓ ବିପର୍ଯ୍ୟୟ ପରିଚାଳନା, ଜଳବାୟୁ ପରିବର୍ତନ, ଏମ୍ଏସ୍ଏମ୍ଇ କ୍ଷେତ୍ରର ଉତ୍ପାଦକତା ବୃଦ୍ଧି, ସ୍ୱୟଂ ସହାୟକ ଗୋଷ୍ଠୀ ଓ ହସ୍ତଶିଳ୍ପ ସାମଗ୍ରୀର ବଜାର ସଂଯୋଗ, କୃଷି ଓ ଉଦ୍ୟାନ କୃଷି ଆଦି ବିଭିନ୍ନ ବିଷୟ ଅନ୍ତର୍ଭୁକ୍ତ ଥିଲା। ଏହି ସମସ୍ୟାଗୁଡ଼ିକୁ ଷ୍ଟାର୍ଟଅପ୍ ଓଡ଼ିଶା, ଏମ୍ଏସ୍ଏମ୍ଇ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ତାଲିକାଭୁକ୍ତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ