ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ:ନଦୀରେ ଜଳସ୍ତର ବୃଦ୍ଧି, ବନ୍ୟା ପରିସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ ଓ ବିଧାୟକ
Minister and MLA Visited Arnab Effected Areas
ଫୋଟ ୨


ଫୋଟ


କନ୍ଧମାଳ, ୨୯ ଅକ୍ଟୋବର (ହି.ସ.)

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଗତକାଲି ଦିନତମାମ ପ୍ରବଳ ବର୍ଷା ହେବା ଫଳରେ ସାଲୁଙ୍କି ନଦୀର ଜଳସ୍ତର ବୃଦ୍ଧି ପାଇଛି। ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ଟିକାବାଲି ବ୍ଲକ ଓ ପାବୁରିଆ ଅଞ୍ଚଳକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ସେତୁ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଏହି ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ଓ ଯୋଗାଯୋଗ ବ୍ୟବସ୍ଥାକୁ ନେଇ ପ୍ରଶାସନ ତତ୍ପର ହୋଇଉଠିଛି।ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ସହ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ବିଶେଷକରି ଟିକାବାଲି ଓ ପାବୁରିଆ ଅଞ୍ଚଳକୁ ସଂଯୋଗ କରୁଥିବା ସେତୁ ନିକଟରେ ପହଞ୍ଚି ବନ୍ୟାଜଳ ପ୍ରବାହର ସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ଅଞ୍ଚଳର ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହା ସହିତ ମାନ୍ୟବର ମନ୍ତ୍ରୀ ଜି. ଉଦୟଗିରିରୁ ଟିକାବାଲି ଅଞ୍ଚଳ ଗସ୍ତ କରି ‘ଅର୍ଣ୍ଣବ’ ବାତ୍ୟାର ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ସନ୍ଧ୍ୟାରେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଆଲାମୀ ଗ୍ରାମ ପଞ୍ଚାୟତର ଲୁହୂରବାଲୀ ଗ୍ରାମକୁ ଗସ୍ତ କରି ସେଠାକାର ପରିସ୍ଥିତି ମଧ୍ୟ ପରିଦର୍ଶନ କରିଥିଲେ। ବାତ୍ୟାଜନିତ ବର୍ଷା ଓ ବନ୍ୟାଜଳ ଯୋଗୁଁ ଜନସାଧାରଣଙ୍କ ଯାତାୟାତରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ବନ୍ୟାଜଳ ପ୍ରବାହିତ ହେଉଥିବା ସେତୁ ଓ ରାସ୍ତା ଅତିକ୍ରମ ନକରିବାକୁ ଜନସାଧାରଣଙ୍କୁ ସତର୍କ କରାଯାଇଛି। ଏଥିସହ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବା ସହ ନିଜର ଓ ନିଜ ପରିବାରର ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande