

ବଲାଙ୍ଗୀର, ୨୯ ଅକ୍ଟୋବର(ହି.ସ.) – ଆଜି ବଲାଙ୍ଗୀର ସମ୍ବାଦିନ ଭବନ ଠାରେ ଓଡ଼ିଶା କେଉଁତ-କୈବର୍ତ-ଧୀବର(କେକେଡି) ହଟାଓ ଆକ୍ସନ କମିଟିର ଆବାହକ ତଥା ସାଧାରଣ ସଂପାଦକ ଡିଙ୍ଗର କୁମ୍ଭାର ଏବଂ ସଂଘର ଉପସଭାପତି ସୁବ୍ରତ ଜଗଦଲା ଏବଂ ଭୀମ ଆର୍ମୀର ଚିନୁ ହରପାଲ ଓ ଆଇନଜିବି ନିନେଶ ନାଗଙ୍କ ନେତୃତ୍ୱରେ ଅଲ ଓଡ଼ିଶା କେଉଁତ-କୈବର୍ତ-ଧୀବର(କେକେଡି) ହଟାଓ ଆକ୍ସନ କମିଟି ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ(ଏନ୍.ସି.ଏସ୍.ସି) ନିକଟରେ ଏକ ବିସ୍ତୃତ ଓ ତଥ୍ୟ ଭିତିକ ଅଭିଯୋଗ ପତ୍ର ଦାଖଲ କରିଛି। ଓଡ଼ିଶା ସରକାର ପତ୍ର ନଂ.୨୪୨୦୪ ତା.୦୬.୧୦.୨୦୨୫ ତଥା ଏସ୍ସିଏସ୍ଟି ଆର୍ଟିଆଇ ରିପୋର୍ଟ ଅନୁସାରେ ଓଡ଼ିଶା ଅନୁସୂଚିତ ଜାତି ତାଲିକାର କ୍ରମିକ ନଂ.୨୪ରୁ କୈଉଁତ-କୈବର୍ତ-ଧିବରଙ୍କୁ ତୁରନ୍ତ ବାଦ ଦେବା ଦାବି କରାଯାଇଛି। ବୈଜ୍ଞାନିକ ଅଧ୍ୟୟନ ଓ ସରକାରୀ ଅଭିଲେଖ ଦ୍ୱାରା ଏହି ଗୋଷ୍ଠୀମାନେ ଅଛୁଆଁ ନୁହଁନ୍ତି ଏବଂ ସାଧାରଣ/ଓବିସି ବର୍ଗ ଅର୍ନ୍ତଭୁୁକ୍ତ ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଛି। ୨୦୦୨ ମସିହାର ଭୁଲ୍ ଅନ୍ତର୍ଭୁକ୍ତି ଯୋଗୁଁ ମୂଳ ଅସ୍ପୃଶ୍ୟ ଦଳିତ ସମାଜ ମାତ୍ରାଧିକ ଭେଦଭାବ, ସୁଯୋଗହାନି ଓ ସମାଜିକ ଅନ୍ୟାୟର ଶିକାର ହେଉଛନ୍ତି। କମିଟି ଆହୁରି ମଧ୍ୟ ଯାଜପୁର(ଏସ୍.ସି) ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଉଠାଇଛି। ଉକ୍ତ ଉଭୟ କେଉଁଟ ଜାତିର ଅଟନ୍ତି ଏବଂ ଯଥାକ୍ରମେ କୈବର୍ତ ଏମ୍ପ୍ଲୟିଜ ଫୋରମ ଅଫ୍ ଓଡ଼ିଶାର ଅଧ୍ୟକ୍ଷ ଓ ମୁଖ୍ୟ ଉପଦେଷ୍ଟା ରହିଛନ୍ତି। ସେମାନେ ସରକାରୀ ପଦବୀର ଅପବ୍ୟବହାର କରି ସରକାରୀ କର୍ମଚାରୀଙ୍କୁ ସରକାର ବିରୋଧରେ ସ୍ୱର ଉଠାଇବାକୁ ଉତ୍ସାହିତ କରିବା ସହିତ ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗର ବୈଧ ପ୍ରକ୍ରିୟାକୁ ରାଜନୈତିକ ହସ୍ତକ୍ଷେପ ଦ୍ୱାରା ବାଧା ଦେଉଥିବା ଅଭିଯୋଗ କରାଯାଇଛି। ଏପରିକି ଉକ୍ତ ଦୁଇଟି ବ୍ୟକ୍ତି ବିରୋଧୀ ବିଜୁ ଜନତା ଦଳ ଓ ଭାରତୀୟ ଜାତୀୟ କଂଗ୍ରେସ ଦଳ ତତ୍ ସମ୍ବନ୍ଧୀୟ ସାମ୍ବାଦିକ ସମ୍ମିଳନୀ ଓ ପରବର୍ତୀ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବିରାମ ଦେବାରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। କେଉଁଟ ସମ୍ପ୍ରଦାୟର ଅନେକ କାର୍ଯ୍ୟରତ ଅଫିସରଙ୍କ ସରକାର ବିରୋଧୀ ଆଭିମୁଖ୍ୟ ଉକ୍ତ ରାଜନୈତିିକ ବ୍ୟକ୍ତି ବିଶେଷଙ୍କ ପ୍ରତ୍ୟକ୍ଷ ପୃଷ୍ଠପୋଷକତା ଯୋଗୁଁ ସମ୍ଭବ ହୋଇଛି। ବିଗତ ସମୟରେ ରାଜ୍ୟ ସ୍ତରୀୟ ଜାତି ପ୍ରମାଣପତ୍ର ଯାଂଚ କମିଟିକୁ ପ୍ରଭାବିତ କରି ମାମଲା ସ୍ଥଗିତ କରାଇବା, ତଥା ଡଃ ମୁକେଶ ମହାଲିଙ୍ଗ ବିରୁଦ୍ଧରେ ୨୦୦୨ ପୂର୍ବରୁ ଏକାଧିକ ଜାଳି ଜାତି ପ୍ରମାଣପତ୍ର ବ୍ୟବହାର କରିଥିବା ଆଧାରରେ ପଦ୍ମପୁର ଏସ୍ଡିଜେଏମ୍ ଦ୍ୱାରା ଏଫ୍ଆଇଆର୍ ରୁଜୁ କରିବାର ଆଦେଶନାମାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ, କଟକ ଦ୍ୱାରା ସ୍ଥଗିତ ରଖାଇବା ଭଳି ସମ୍ବିଧାନ ବିରୋଧୀ କାର୍ଯ୍ୟକଳାପ କରାଯାଇଛି। ଏହାସହିତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ଓଡ଼ିଶାର ସରକାରୀ ସୁପାରିଶକୁ ଚ୍ୟାଲେଞ୍ଜ କରି ଅଭିଯୋଗ ପତ୍ର ଦାଖଲ କରାଯାଇଛି। ଜଣେ କ୍ୟାବିନେଟ ମନ୍ତ୍ରୀ ଓ ସରକାରୀ ଦଳର ସାଂସଦ ଥାଇ ମଧ୍ୟ ସରକାର ଓ ଦଳ ବିରୋଧୀ କାର୍ଯ୍ୟ କରିବା ଗମ୍ଭୀର ସମ୍ବିଧାନିକ ଓ ପ୍ରଶାସନିକ ଅନୁଶୀଳନର ବିଷୟ। ଏଣୁ ସରକାର ତୁରନ୍ତ ଯଥୋଚିତ ପଦକ୍ଷେପ ନନେଲେ, ୩୦ ନଭେମ୍ବର ୨୦୨୬ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସାମୁହିକ ଅନଶନରେ ସମସ୍ତ ଦଳିତ ସମାଜ ବସିବାକୁ ନୋଟିସ୍ ଜାରି କରାଯାଉଛି। ଏହି ମାମଲା ତୁରନ୍ତ, ନିରପେକ୍ଷ ଓ ନ୍ୟାୟ ସଙ୍ଗତ ନିଷ୍ପତି ନେବାକୁ ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଦୃଢ଼ ଆହ୍ୱାନ କରାଯାଉଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ