ତିହିଡି଼ରେ ମଦ ବାର ଖୋଲିବା ପ୍ରସ୍ତାବକୁ ଜୀବନଜ୍ୟୋତି ସଙ୍ଗଠନର ବିରୋଧ, ପଦଯାତ୍ରାରେ ବଜାର ପରିକ୍ରମା କଲେ
ଭଦ୍ରକ, ୨୯ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ରେ ପ୍ରସ୍ତାବିତ ମଦ ବାର ଖୋଲାଯିବାବାକୁ ଆରସା ଗ୍ରାମର ଜୀବନ ଜ୍ୟୋତି ସଙ୍ଗଠନ ପକ୍ଷରୁ ଗୁରୁବାର ପଦଯାତ୍ରା ମାଧ୍ୟମରେ ବିରୋଧ ଓ ପ୍ରତିବାଦ କରାଯାଇଛି । ଏ ସମ୍ପର୍କରେ ସଂଗଠନ ପକ୍ଷରୁ ତହସିଲଦାର ସୁଭାଶିଷ ସାହୁ, ବିଡ଼ିଓ ନିରଞ୍ଜନ ବାରିକ, ତିହ
TIHIDI MADA BAR KHOLIBA PRASANGA


ଭଦ୍ରକ, ୨୯ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ରେ ପ୍ରସ୍ତାବିତ ମଦ ବାର ଖୋଲାଯିବାବାକୁ ଆରସା ଗ୍ରାମର ଜୀବନ ଜ୍ୟୋତି ସଙ୍ଗଠନ ପକ୍ଷରୁ ଗୁରୁବାର ପଦଯାତ୍ରା ମାଧ୍ୟମରେ ବିରୋଧ ଓ ପ୍ରତିବାଦ କରାଯାଇଛି । ଏ ସମ୍ପର୍କରେ ସଂଗଠନ ପକ୍ଷରୁ ତହସିଲଦାର ସୁଭାଶିଷ ସାହୁ, ବିଡ଼ିଓ ନିରଞ୍ଜନ ବାରିକ, ତିହିଡି଼ ଥାନା ଆଇଆଇସି ଲୋପାମୁଦ୍ରା ନାୟକ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ପ୍ରସ୍ତାବିତ ମଦ ବାରର ବିଜ୍ଞପ୍ତିକୁ ରଦ୍ଦ କରାଯିବା ସହ ତିହିଡି଼ ଅଂଚଳରେ ଚାଲିଥିବା ଡ୍ରଗ୍ସର ଅବାଧ କାରବାର ରୋକିବା ଦିଗରେ ପଦକ୍ଷେପ ନେବାକୁ ଦାବି କରାଯାଇଛି । ସଙ୍ଗଠନ ସଭାପତି ଦୀପକ ସ୍ୱାଇଁ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଜିଲା ଅବକାରୀ ବିଭାଗ ପକ୍ଷରୁ ଗତ ୧୭ତାରିଖ ଚିଠି ନଂ ୨୪୫୨/୨୬ରେ ତିହିଡି଼ରେ ମଦ ବାର ଖୋଲାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତିହିଡି଼ ଏନଏସି ଅଧୀନ ମଙ୍ଗରାଜପୁର ମୌଜାର ପ୍ଲଟ ନଂ ୧୨୯୫/୧୮୯୧ ଏବଂ ୬୨୮/୩୯୦ରେ ଏହି ବାର ଖୋଲାଯିବ ବୋଲି ସୂଚନା ଦିଆଯାଇଛି । ଏହି ସ୍ଥାନ ନିର୍ମାଣାଧୀନ ନୂତନ ତିହିଡି଼ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ତିହିଡି଼ କଲେଜ ସନ୍ନିକଟ ଅଟେ । ସେଠାରେ ମଦ ବାର ଖୋଲାଗଲେ ରୋଗୀ, କଲେଜ ଛାତ୍ରଛାତ୍ରୀ, ମହିଳା ଓ ସାଧାରଣଲୋକଙ୍କ ସୁରକ୍ଷା ସହିତ ସାମାଜିକ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ଏହି ସମ୍ବେଦନଶୀଳ ବିଷୟକୁ ବିଚାରକୁ ନନେଇ ମଦ ବାର ଖୋଲାଯିବାକୁ ନିଷ୍ପତି ନିଆଯିବା ଆଦୌ ସମିଚୀନ ନୁହେଁ ବୋଲି ସଭାପତି ସ୍ୱାଇଁ ଦର୍ଶାଇଛନ୍ତି । ଏହି ପରିପ୍ରେକ୍ଷୀରେ ସଙ୍ଗଠନ ସଭାପତିଙ୍କ ସମେତ କର୍ମକର୍ତାମାନେ ବ୍ଲକ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ମଦ ବାର ବିରୋଧରେ ସ୍ଲୋଗାନ ଦେବା ସହ ତିହିଡି଼ ବଜାର ପରିକ୍ରମା କରି ତହସିଲ କାର୍ଯ୍ୟାଳୟରେ ପହଂଚିଥିଲେ। ସୂଚନାଯୋଗ୍ୟ ଯେ ବ୍ଲକ ଅଧୀନ ରାଜନଗର ପଂଚାୟତ କାର୍ଯ୍ୟାଳୟରେ ସୋମବାର ଅନୁଷ୍ଠିତ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଓ ଅନ୍ୟମାନେ ମଧ୍ୟ ଏନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ କରି ପ୍ରସ୍ତାବିତ ମଦ ବାର ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ବାତିଲ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ଜଣାଇଥିଲେ । ଏହା କରାନଗଲେ ଆଗାମୀ ଦିନରେ ବିପର୍ଯ୍ୟସ୍ତ ହେବାକୁ ଥିବା ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ସେହିପରି ଗୋପବନ୍ଧୁ ସେବକ ସେନାର ସଭାପତି ରାଜୀବ କୁମାର ନାୟକ ପ୍ରସ୍ତାବିତ ମଦ ବାରକୁ ବିରୋଧ କରି ତିହିଡି ତହସିଲଦାର ଓ ତିହିଡି ଅବକାରୀ ଅଧିକାରୀଙ୍କୁ ଦାବି ପତ୍ର ଦେଇଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande