

ଆମେଠୀ, ୨୯ ଅକ୍ଟୋବର (ହି.ସ.)- ଉତର ପ୍ରଦେଶର ଆମେଠୀ ଜିଲ୍ଲାର ତିଲୋଇ ତହସିଲ ଅଂଚଳ ଅନ୍ତର୍ଗତ କୋଟୱା ଗ୍ରାମସଭାରେ ଏକ ମେଳା ସମୟରେ ଖସ୍ତା ଖାଇବା ପରେ ଶହେରୁ ଅଧିକ ଶିଶୁ ଓ ବୟସ୍କଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଯାଇଛି। ଅସୁସ୍ଥ ଲୋକଙ୍କଠାରେ ବାନ୍ତି ଓ ଝାଡ଼ା ଲକ୍ଷଣ ଦେଖାଦେବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ ପହଂଚି ରୋଗୀଙ୍କ ପରୀକ୍ଷା କରିବା ସହ ଔଷଧ ବଂଟନ କରିଥିଲା। ୧୭ ଜଣଙ୍କୁ ତିଲୋଇ ମେଡିକାଲ କଲେଜ ପଠାଯାଇଛି।ଆମେଠୀ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅଂଶୁମାନ ସିଂହ ଗୁରୁବାର କହିଛନ୍ତି ଯେ, ଗ୍ରାମ ପ୍ରଧାନଙ୍କ ସୂଚନା ପାଇ ସ୍ୱାସ୍ଥ୍ୟ ବିଭାଗର ଟିମ୍ ତୁରନ୍ତ ଗାଁରେ ପହଂଚିିଥିଲା। ସେ ନିଜେ ମଧ୍ୟ ଘଟଣାସ୍ଥଳରେ ପହଂଚି ସ୍ଥିତିର ସମୀକ୍ଷା କରିଥିଲେ। ଟିମ୍ ମୋଟ ୧୦୨ ଜଣଙ୍କର ପରୀକ୍ଷା କରି ସେମାନଙ୍କୁ ଔଷଧ ଦେଇଛି। ଏଥିରେ ୩୯ ଜଣ ଶିଶୁ ଓ ୬୩ ଜଣ ବୟସ୍କ ଅଛନ୍ତି। ଏହା ଖାଦ୍ୟ ବିଷାକ୍ତତାର ଘଟଣା। ବାନ୍ତିର ଅଭିଯୋଗ ଅଧିକ ଥିବା ଏବଂ ଔଷଧରେ ଆରାମ ନମିଳିବାରୁ ୧୭ ଜଣଙ୍କୁ ତିଲୋଇ ମେଡିକାଲ କଲେଜ ପଠାଯାଇଛି। ସେମାନଙ୍କ ମଧ୍ୟରେ ୧୦ ଜଣ ଶିଶୁ ଓ ୭ ଜଣ ବୟସ୍କ ଅଛନ୍ତି। ବର୍ତମାନ ସମସ୍ତଙ୍କ ସ୍ଥିତି ସ୍ଥିର ଅଛି ଏବଂ ସେମାନେ ସୁସ୍ଥ ଅଛନ୍ତି।ବିଭାଗ ପକ୍ଷରୁ ଗାଁରେ ଘରକୁ ଘର ଯାଇ ଔଷଧ ବଂଟନ କରାଯାଇଛି। ଏହାସହ ଲୋକଙ୍କୁ ସ୍ୱଚ୍ଛତା, ଖାଦ୍ୟପାନୀୟ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆବଶ୍ୟକ ସତର୍କତା ବିଷୟରେ ସଚେତନ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ କହିଛନ୍ତି ଯେ, ବର୍ତମାନ ସ୍ଥିତି ସ୍ୱାଭାବିକ ଅଛି। ଗାଁରେ ଅସୁସ୍ଥ ଲୋକଙ୍କ ଉପରେ ନଜର ରଖାଯାଉଛି, ଯାହାଦ୍ୱାରା କୌଣସି ସମସ୍ୟା ଦେଖାଦେଲେ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇପାରିବ।
----------------
ହିନ୍ଦୁସ୍ଥାନ ସମାଚାର / ଗଗନ