
ଉତରକାଶୀ, ୨୯ ଅକ୍ଟୋବର (ହି.ସ.)- ଉତରାଖଣ୍ଡର ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମ ସମେତ ଉତରକାଶୀ ଜିଲ୍ଲାର ଉଚ୍ଚ ଅଂଚଳଗୁଡ଼ିକରେ ଗୁରୁବାର ତୁଷାରପାତ ହୋଇଛି। ଅନ୍ୟପଟେ ଜିଲ୍ଲା ମୁଖ୍ୟାଳୟ ଓ ନିମ୍ନ ଅଂଚଳରେ ବର୍ଷା ଯୋଗୁଁ ଥଣ୍ଡା ବଢ଼ିଛି। ହର୍ଷିଲ, ଧରାଲି, ଜାନକୀଚଟ୍ଟି ଓ ଖରସାଲିର ପାହାଡ଼ଗୁଡ଼ିକ ବରଫର ଧଳା ଚାଦରରେ ଢାଙ୍କି ହୋଇଯାଇଛି। ତୁଷାରପାତ ମଧ୍ୟରେ ମଧ୍ୟ ଗଙ୍ଗୋତ୍ରୀ ଧାମରେ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ପହଂଚିଥିଲେ।ଗୁରୁବାର ସକାଳେ ଜିଲ୍ଲାର ପାଣିପାଗରେ ପରିବର୍ତନ ହୋଇଥିଲା ଏବଂ ଗଙ୍ଗୋତ୍ରୀ, ହର୍ଷିଲ, ଧରାଲି, ସୁକ୍କି, ଝାଲା ଓ ଜସପୁରରେ ତୁଷାରପାତ ହୋଇଥିଲା। ସେହିପରି ଯମୁନୋତ୍ରୀ ଧାମ, ଜାନକୀଚଟ୍ଟି ଓ ଖରସାଲିର ଉଚ୍ଚ ଅଂଚଳଗୁଡ଼ିକରେ ମଧ୍ୟ ବରଫପାତ ହୋଇଥିଲା। ନିମ୍ନ ଅଂଚଳରେ ସକାଳଠାରୁ ବର୍ଷା ହେବାରୁ ତାପମାତ୍ରା ହ୍ରାସ ପାଇଥିଲା ଏବଂ ଲୋକେ ଥଣ୍ଡାରେ ଥରିଥିଲେ।ପାଣିପାଗରେ ପରିବର୍ତନ ସହ ଜିଲ୍ଲାରେ ଶୀତର ପ୍ରଭାବ ବଢ଼ିବାକୁ ଲାଗିଛି। ହଠାତ୍ ପାଣିପାଗ ବଦଳିବା ମଧ୍ୟରେ ଗଙ୍ଗୋତ୍ରୀ ଧାମରେ ପହଂଚିଥିବା ଶ୍ରଦ୍ଧାଳୁମାନେ ତୁଷାରପାତ ଦେଖିବାର ସୁଯୋଗ ପାଇଥିଲେ।ଗୁରୁବାର ଗଙ୍ଗୋତ୍ରୀ ଧାମରେ ସର୍ବାଧିକ ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ଶୂନରୁ ୭ ଡିଗ୍ରୀ ତଳେ ରେକର୍ଡ କରାଯାଇଥିଲା।ଜିଲ୍ଲା ପୋଲିସ ପ୍ରଶାସନ ଅନୁଯାୟୀ, ଗୁରୁବାର ଯମୁନୋତ୍ରୀ ଓ ଗଙ୍ଗୋତ୍ରୀ ଧାମରେ ତୁଷାରପାତ ସହ ବର୍ଷା ହୋଇଛି। ବରଫପାତ ଯୋଗୁଁ ଧାମରେ ଥଣ୍ଡା ବଢ଼ିଛି। ସମସ୍ତ ଶ୍ରଦ୍ଧାଳୁଙ୍କୁ ଥଣ୍ଡା ଓ ବର୍ଷାରୁ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ଗରମ ପୋଷାକ ଏବଂ ବର୍ଷାରୁ ରକ୍ଷା ପାଇବା ପାଇଁ ରେନ୍କୋଟ୍ ସାଙ୍ଗରେ ରଖିବାକୁ ଅନୁରୋଧ କରାଯାଇଛି।------------
ହିନ୍ଦୁସ୍ଥାନ ସମାଚାର / ଗଗନ