
ସିଙ୍ଗାପୁର, ୩ ଅକ୍ଟୋବର (ହି.ସ.): ଛତିଶଗଡ଼ରେ ନୂତନ ନିବେଶ, ଶିଳ୍ପ ସହଭାଗିତା ଓ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ପାଇଁ ବ୍ୟବସାୟିକ ସୁଯୋଗ ଅନ୍ୱେଷଣ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଶୁକ୍ରବାର ସିଙ୍ଗାପୁରରେ ପହଞ୍ଚିଛନ୍ତି। ତାଙ୍କର ଆଜି ଠାରୁ ୬ ପର୍ଯ୍ୟନ୍ତ ଚାରିଦିନିଆ ସିଙ୍ଗାପୁର ଗସ୍ତ କାର୍ଯ୍ୟକ୍ରମ ରହିଛି।
ମୁଖ୍ୟମନ୍ତ୍ରୀ ଶୁକ୍ରବାର ସକାଳେ ନୂଆଦିଲ୍ଲୀରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିଥିଲେ। ଅକ୍ଟୋବର ୪ରେ ସେ ପ୍ରମୁଖ ଶିଳ୍ପଗୋଷ୍ଠୀ ଓ ନିବେଶକଙ୍କ ସହ ଆଲୋଚନା କରିବେ। ଏହି ବୈଠକରେ ଛତିଶଗଡ଼ର ଶିଳ୍ପ କ୍ଷମତା, ନିବେଶ ସୁଯୋଗ ଓ ସମ୍ଭାବ୍ୟ ପ୍ରକଳ୍ପ ସମ୍ପର୍କରେ ବ୍ୟବସାୟିକ ପ୍ରତିନିଧିଙ୍କ ସହ ଆଲୋଚନା ହେବ।
ଗସ୍ତର ପ୍ରମୁଖ କାର୍ଯ୍ୟକ୍ରମ ଅକ୍ଟୋବର ୫ରେ ଆୟୋଜିତ ‘ସିଙ୍ଗାପୁର ଇଣ୍ଡିଆ ନେଟୱର୍କ ଫର୍ ଗ୍ରୋଥ୍ (ସିଙ୍ଗ) ଫୋରମ୍-୨୦୨୬’ ହେବ। ଏହି ଅନ୍ତର୍ଜାତୀୟ ମଞ୍ଚରେ ସାଏ ସିଙ୍ଗାପୁରର ପ୍ରମୁଖ ଶିଳ୍ପପତି, ନିବେଶକ ଓ ବ୍ୟବସାୟିକ ପ୍ରତିନିଧିଙ୍କ ସହ ସିଧାସଳଖ ଆଲୋଚନା କରିବେ। ଛତିଶଗଡ଼ରେ ନିବେଶ ସମ୍ଭାବନା ନେଇ ନିବେଶକଙ୍କ ପ୍ରଶ୍ନର ମଧ୍ୟ ସେ ଉତ୍ତର ଦେବେ।
ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଛତିଶଗଡ଼ର ପରିବର୍ତ୍ତିତ ଶିଳ୍ପ ପରିଦୃଶ୍ୟକୁ ଉପସ୍ଥାପନ କରିବେ। ପାରମ୍ପରିକ ସମ୍ବଳଭିତ୍ତିକ ଶିଳ୍ପ ସହିତ ପ୍ରଯୁକ୍ତି, ଆଧୁନିକ ଉତ୍ପାଦନ ଓ ସବୁଜ ଅର୍ଥନୀତି କ୍ଷେତ୍ରରେ ରହିଥିବା ସୁଯୋଗ ଉପରେ ମଧ୍ୟ ଆଲୋଚନା ହେବ।
ସିଙ୍ଗାପୁରରେ ହେବାକୁ ଥିବା ଆଲୋଚନାରେ ଏଆଇ ଓ ଡାଟା ସେଣ୍ଟର, ଇଲେକ୍ଟ୍ରୋନିକ୍ସ, ଆଇଟି, ସେମିକଣ୍ଡକ୍ଟର, ଉତ୍ପାଦନ ଓ ସବୁଜ ଶକ୍ତି କ୍ଷେତ୍ରରେ ନିବେଶ ସୁଯୋଗକୁ ପ୍ରାଧାନ୍ୟ ଦିଆଯିବ।
ଏଥିସହ ବସ୍ତରର ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରକୁ ମଧ୍ୟ ଅନ୍ତର୍ଜାତୀୟ ନିବେଶର ସମ୍ଭାବ୍ୟ କ୍ଷେତ୍ର ଭାବେ ଉପସ୍ଥାପନ କରାଯିବ। ରାଜ୍ୟର ପ୍ରାକୃତିକ ଓ ସାଂସ୍କୃତିକ ଐତିହ୍ୟକୁ ଆଧୁନିକ ପର୍ଯ୍ୟଟନ ସୁବିଧା ସହ ଯୋଡ଼ିବା ନେଇ ମଧ୍ୟ ଶିଳ୍ପ ଜଗତ ସହ ଆଲୋଚନା ହେବ।
‘ସିଙ୍ଗ ଫୋରମ୍’ରେ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ଆଲୋଚନା ଏହି ଗସ୍ତର ଏକ ପ୍ରମୁଖ ଅଂଶ ହେବ। ଏହି ଅବସରରେ ସେ ଛତିଶଗଡ଼ର ଶିଳ୍ପ ସୁଯୋଗ, ଭିତ୍ତିଭୂମି, ଶକ୍ତି, ସମ୍ବଳ ଓ ଶିଳ୍ପନୀତି ସମ୍ପର୍କରେ ନିବେଶକଙ୍କୁ ଅବଗତ କରାଇବେ।
ହିନ୍ଦୁସ୍ଥାନ ସମାଚାର / Sachin Budhauliya