
ନୂଆଦିଲ୍ଲୀ, ୩ ଅକ୍ଟୋବର (ହି.ସ.)- କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ମରୁଡ଼ି ପ୍ରଭାବିତ କର୍ଣ୍ଣାଟକ ପାଇଁ ତୁରନ୍ତ ଆର୍ଥିକ ସହାୟତା ଦାବି କରିଛନ୍ତି। ଖର୍ଗେ ଦାବି କରିଛନ୍ତି ଯେ, କର୍ଣ୍ଣାଟକ ଗତ ୧୫୦ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହେଉଛି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍.ଡି.ଆର.ଏଫ୍.) ରୁ ରାଜ୍ୟ ସରକାରଙ୍କ ଦ୍ୱାରା ଦାବି କରାଯାଇଥିବା ୩,୭୦୫.୩୦ କୋଟି ଟଙ୍କାର ରିଲିଫ୍ ରାଶି ବିନା କୌଣସି କାଟଛାଟ୍ ରେ ତୁରନ୍ତ ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଏକ ଚିଠିରେ କଂଗ୍ରେସ ଅଧ୍ୟକ୍ଷ ଦର୍ଶାଇଛନ୍ତି ଯେ, ସେପ୍ଟେମ୍ବର ସୁଦ୍ଧା କର୍ଣ୍ଣାଟକରେ ମୌସୁମୀରେ ୫୮ ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି, ଯାହା ରାଜ୍ୟର ସମସ୍ତ ୩୧ଟି ଜିଲ୍ଲାକୁ ପ୍ରଭାବିତ କରିଛି। ଜୁନ୍ ୧ରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ୍ ୬୯୧ ମିଲିମିଟର ତୁଳନାରେ ମାତ୍ର ୪୭୭ ମିଲିମିଟର ବର୍ଷା ହୋଇଥିଲା, ଯାହା ଗତ ୫୦ ବର୍ଷ ମଧ୍ୟରେ ଦ୍ୱିତୀୟ ସର୍ବନିମ୍ନ। ରାଜ୍ୟର ମୋଟ୍ ୨୪୦ଟି ତାଲୁକ ମଧ୍ୟରୁ ୨୧୭ଟିରେ ବର୍ଷାର ପ୍ରବଳ ଅଭାବ ରହିଛି, ଯେଉଁଥିରୁ ୧୭୭ଟି ତାଲୁକକୁ ତିନୋଟି ପର୍ଯ୍ୟାୟରେ ମରୁଡ଼ି ପ୍ରଭାବିତ ବୋଲି ଘୋଷଣା କରାଯାଇଛି ଏବଂ ଅନ୍ୟ ତାଲୁକଗୁଡ଼ିକର ମୂଲ୍ୟାଙ୍କନ ପ୍ରକ୍ରିୟା ଜାରି ରହିଛି।
ଖର୍ଗେ କହିଛନ୍ତି ଯେ, ମରୁଡ଼ି କାରଣରୁ ରାଜ୍ୟର ୧୯.୫୨ ଲକ୍ଷ ହେକ୍ଟର ଅଂଚଳରେ କୃଷି ଏବଂ ଉଦ୍ୟାନ କୃଷି ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି, ଯେଉଁଥିରେ ୧୭.୮୫ ଲକ୍ଷ ହେକ୍ଟର କୃଷି ଫସଲ ଏବଂ ୧.୬୭ ଲକ୍ଷ ହେକ୍ଟର ଉଦ୍ୟାନ କୃଷି ଫସଲ ଅନ୍ତର୍ଭୁକ୍ତ। ଫସଲର କ୍ଷୟକ୍ଷତି ୧୮,୭୪୮.୨୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିବା ବେଳେ ସମଗ୍ର ରାଜ୍ୟରେ ପାଖାପାଖି ୪୦,୦୦୦ କୋଟି ଟଙ୍କାର ବ୍ୟାପକ ଆର୍ଥିକ କ୍ଷତି ହେବ ବୋଲି ଆକଳନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ