ଭାରତୀୟ ସଂସଦୀୟ ପ୍ରତିନିଧିମଣ୍ଡଳ ୧୫୩ତମ ଆଇପିୟୁ ମହାସଭାରେ ଅଂଶଗ୍ରହଣ କରିବାକୁ ବାହାରିଲେ ତାଞ୍ଜାନିଆ ଅଭିମୁଖେ
ନୂଆଦିଲ୍ଲୀ, ୦୩ ଅକ୍ଟୋବର (ହି.ସ.)- ରାଜ୍ୟସଭାର ଉପସଭାପତି ହରିବଂଶଙ୍କ ନେତୃତ୍ୱରେ ଭାରତୀୟ ସଂସଦୀୟ ପ୍ରତିନିଧିମଣ୍ଡଳ ୫ରୁ ୯ ଅକ୍ଟୋବର ପର୍ଯ୍ୟନ୍ତ ତାଞ୍ଜାନିଆର ଆରୁଶାରେ ହେବାକୁ ଥିବା ଅନ୍ତଃସଂସଦୀୟ ସଂଘ (ଆଇପିୟୁ)ର ୧୫୩ତମ ମହାସଭା ଏବଂ ଏହା ସହ ସମ୍ପର୍କିତ ବୈଠକଗୁଡ଼ିକରେ ଅଂଶଗ୍ରହଣ କରିବା ପାଇଁ ବ
ଭାରତୀୟ ସଂସଦୀୟ ପ୍ରତିନିଧିମଣ୍ଡଳ ୧୫୩ତମ ଆଇପିୟୁ ମହାସଭାରେ ଅଂଶଗ୍ରହଣ କରିବାକୁ ବାହାରିଲେ ତାଞ୍ଜାନିଆ ଅଭିମୁଖେ


ନୂଆଦିଲ୍ଲୀ, ୦୩ ଅକ୍ଟୋବର (ହି.ସ.)- ରାଜ୍ୟସଭାର ଉପସଭାପତି ହରିବଂଶଙ୍କ ନେତୃତ୍ୱରେ ଭାରତୀୟ ସଂସଦୀୟ ପ୍ରତିନିଧିମଣ୍ଡଳ ୫ରୁ ୯ ଅକ୍ଟୋବର ପର୍ଯ୍ୟନ୍ତ ତାଞ୍ଜାନିଆର ଆରୁଶାରେ ହେବାକୁ ଥିବା ଅନ୍ତଃସଂସଦୀୟ ସଂଘ (ଆଇପିୟୁ)ର ୧୫୩ତମ ମହାସଭା ଏବଂ ଏହା ସହ ସମ୍ପର୍କିତ ବୈଠକଗୁଡ଼ିକରେ ଅଂଶଗ୍ରହଣ କରିବା ପାଇଁ ବାହାରି ଛନ୍ତି ।

ରାଜ୍ୟସଭା ସଚିବାଳୟ ଅନୁଯାୟୀ, ଆଇପିୟୁ ମହାସଭାରେ ସାରା ବିଶ୍ୱର ସାଂସଦମାନେ ‘ସମାବେଶିତା, ବିଶ୍ୱାସ ଏବଂ ସମସ୍ତଙ୍କ ପାଇଁ ସୁଯୋଗ ମାଧ୍ୟମରେ ସୁଶାସନକୁ ପ୍ରୋତ୍ସାହିତ କରିବା ଏବଂ ସମୁଦାୟଗୁଡ଼ିକୁ ସଶକ୍ତ କରିବା’ ବିଷୟ ଉପରେ ଆଲୋଚନା କରିବେ।

ଭାରତୀୟ ପ୍ରତିନିଧିମଣ୍ଡଳରେ ଲୋକସଭା ସାଂସଦ ଅନୁରାଗ ସିଂହ ଠାକୁର, ଅପରାଜିତା ଷଡ଼ଙ୍ଗୀ, ସଞ୍ଜୟ ଜୟସୱାଲ, କମଲଜିତ ସହରାୱତ, ଲତା ୱାନଖେଡେ, ବିଜୁଲି କଲିତା ମେଧୀ ଏବଂ ଏନ. କେ. ପ୍ରେମଚନ୍ଦ୍ରନ ତଥା ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ସାମିଲ ଅଛନ୍ତି।

ହରିବଂଶ ଆଇପିୟୁର ଶାସକ ପରିଷଦ, ସାଧାରଣ ବିତର୍କ ଏବଂ ଜରୁରୀକାଳୀନ ବିଷୟ ଉପରେ ହେବାକୁ ଥିବା ବିତର୍କରେ ଅଂଶଗ୍ରହଣ କରିବେ। ସେ ଆଇପିୟୁ ଅଧ୍ୟକ୍ଷ ପଦର ପ୍ରାର୍ଥୀମାନଙ୍କ ସହ ହେବାକୁ ଥିବା ଶୁଣାଣିରେ ମଧ୍ୟ ଅଂଶ ନେବେ।

ଭାରତୀୟ ପ୍ରତିନିଧିମଣ୍ଡଳର ସଦସ୍ୟମାନେ ଗଣତନ୍ତ୍ର ଏବଂ ମାନବାଧିକାର, ଶାନ୍ତି ଏବଂ ଅନ୍ତର୍ଜାତୀୟ ସୁରକ୍ଷା, ସ୍ଥାୟୀ ବିକାଶ, ମହିଳାମାନଙ୍କ ଅଂଶଗ୍ରହଣ, ବିଜ୍ଞାନ ଏବଂ ପ୍ରଯୁକ୍ତି, ଆତଙ୍କବାଦ ବିରୋଧୀ ପଦକ୍ଷେପ, ସ୍ୱାସ୍ଥ୍ୟ, ମାନସିକ ସ୍ୱାସ୍ଥ୍ୟ, ଗୁରୁତ୍ୱପୂର୍ଣ୍ଣ ଖଣିଜ, କୃତ୍ରିମ ବୁଦ୍ଧିମତା ଏବଂ କାର୍ଯ୍ୟର ଭବିଷ୍ୟତ ଭଳି ବିଷୟ ଉପରେ ଆଲୋଚନା କରିବେ।

ଏହା ବ୍ୟତୀତ ସାମୁଦ୍ରିକ ସୁରକ୍ଷା, ଜଳବାୟୁ ପରିବର୍ତନ ତଥା ପାର୍ବତ୍ୟ ଏବଂ ସାମୁଦ୍ରିକ ପାରିସ୍ଥିତିକ ତନ୍ତ୍ରର ସଂରକ୍ଷଣ ସମେତ ସମସାମୟିକ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ବିଭିନ୍ନ ବୈଠକ, ପ୍ୟାନେଲ ଆଲୋଚନା ଏବଂ କର୍ମଶାଳାରେ ଭାରତୀୟ ପ୍ରତିନିଧିମଣ୍ଡଳ ନିଜର ମତ ରଖିବ।

--------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande