ଓଡ଼ିଶାର ପର୍ଯ୍ୟଟନ ବିକାଶକୁ ନୂତନ ଉଚ୍ଚତାକୁ ନେବାରେ ମାଇଲଖୁଂଟ ହେବ : ଦିଲୀପ ମଲ୍ଲିକ
୭ମ ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୬ର ସଫଳ ଆରମ୍ଭ ପର୍ଯ୍ୟଟନର ବିକାଶ ଓ ପୁଞ୍ଜିନିବେଶକୁ ନୂତନ ଦିଗଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଭୁବନେଶ୍ୱର, 04 ଅକ୍ଟୋବର
ଦିଲୀପ ମଲ୍ଲିକ


୭ମ ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୬ର ସଫଳ ଆରମ୍ଭ

ପର୍ଯ୍ୟଟନର ବିକାଶ ଓ ପୁଞ୍ଜିନିବେଶକୁ ନୂତନ ଦିଗଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ

ଭୁବନେଶ୍ୱର, 04 ଅକ୍ଟୋବର (ହି.ସ.) ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଐତିହ୍ୟ, ଖାଦ୍ୟ, ବୋଇତ ବନ୍ଦାଣର ସ୍ମୃତି ଏବଂ ମନୋରମ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ବିଶ୍ୱ ଦରବାରରେ ଏକ ନୂତନ ପରିଚୟ ପ୍ରଦାନ କରିବା ସହ ରାଜ୍ୟକୁ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ଗତକାଲି ଶୁଭାରମ୍ଭ ହୋଇଥିବା \୭ମ ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୬\' ପାଇଁ ରାଜ୍ୟ ସରକାର ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ରାଜ୍ୟ ସରକାରଙ୍କୁ ରାଜ୍ୟ ବିଜେପି ତରଫରୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛୁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି ।

ଏହି ଆନ୍ତର୍ଜାତୀୟ ସ୍ତରର ମଂଚ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଏକ ଅଭୂତପୂର୍ବ ଆଲୋଡ଼ନ ସୃଷ୍ଟି କରିଛି । ଦେଶ ଓ ବିଦେଶରୁ ଆସିଥିବା ନାମୀଦାମୀ ଟ୍ରାଭେଲ୍ ଅପରେଟର, ପୁଞ୍ଜିନିବେଶକ ଏବଂ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବିଶେଷଜ୍ଞମାନଙ୍କୁ ଏକାଠି କରିବାରେ ଏହି ଆୟୋଜନ ଅତ୍ୟନ୍ତ ସଫଳ ହୋଇଛି । ଓଡ଼ିଶାର ନଦୀ, ସମୁଦ୍ର, ଜଙ୍ଗଲ, ବନ୍ୟପ୍ରାଣୀ, ଆଧ୍ୟାତ୍ମିକ ପୀଠ ଏବଂ ଜନଜାତି ସଂସ୍କୃତିକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ପାଇଁ ରାଜ୍ୟ ସରକାରଙ୍କ ଏହି ପ୍ରୟାସ ପ୍ରଶଂସନୀୟ । ଏହି ଟ୍ରାଭେଲ୍ ବଜାର ମାଧ୍ୟମରେ ହୋଟେଲ୍‌, ହୋମ୍‌-ଷ୍ଟେ, ଇକୋ-ଟୁରିଜମ୍ ଏବଂ ଭିତିଭୂମି ବିକାଶ କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶର ସମ୍ଭାବନା ସୃଷ୍ଟି ହୋଇଛି । ଏହାଦ୍ୱାରା ରାଜ୍ୟର ସ୍ଥାନୀୟ ଯୁବକଯୁବତୀମାନଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନୂତନ ନିଯୁକ୍ତି ଏବଂ ସ୍ୱାବଲମ୍ବନର ପନ୍ଥା ଫିଟିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଏବଂ ବିଜେପି ସରକାରଙ୍କ ନୀତିଗତ ନିଷ୍ପତ୍ତି ଯୋଗୁଁ ଓଡ଼ିଶା ଆଜି ଦେଶର ଅନ୍ୟତମ ପ୍ରମୁଖ ଟୁରିଜମ୍ ହବ୍‌ ' ଭାବେ ଗଢ଼ିଉଠୁଛି । ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୁମି ବିକାଶ ପାଇଁ ୫୫୦୦ ଏକର ପରିମିତ ଏକ ବିଶାଳ ଲ୍ୟାଣ୍ଡ ବ୍ୟାଂକକୁ ରାଜ୍ୟ ସରକାର ମଞ୍ଜୁର ପ୍ରଦାନ କରିଛନ୍ତି । ସେହିଭଳି ରାଜ୍ୟରେ ଗୁଣାତ୍ମକ ମୈାଳିକ ଭିତ୍ତିଭୂମିର ବିକାଶ ତଥା ହୋଟେଲ ନିର୍ମାଣ ନିମନ୍ତେ ୨୦୨୬ରୁ ୨୦୩୧ ମସିହା ମଧ୍ୟରେ ୧୫୦୦ କୋଟି ଟଙ୍କାର ବଜେଟକୁ ମଧ୍ୟ ମଞ୍ଜୁର ପ୍ରଦାନ କରିଛନ୍ତି । ରାଜ୍ୟକୁ ଆସୁଥିବା ଅତିଥିଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ରାଜ୍ୟର ୨୯ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ଟୁରିଷ୍ଟ ପୋଲିସ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଓଡ଼ିଶାର ପର୍ଯ୍ୟଟନ ବିକାଶକୁ ନୂତନ ଉଚ୍ଚତାକୁ ନେବା ଏବଂ ରାଜ୍ୟ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ଏହି ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ମଲ୍ଲିକ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande