


ବଲାଙ୍ଗିର, ୪ ଅକ୍ଟୋବର (ହି.ସ.)- ସାମ୍ବାଦିକ ଭବନ ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି l ସଂଘର ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଆଦିବାସୀ ମାରଣ ନୀତି ବିରୋଧରେ ବ୍ୟାପକ ସଶସ୍ତ୍ର ଆନ୍ଦୋଳନ କରିବାକୁ ଧାର୍ଯ୍ୟ କରାଯାଇଥିଲା l ଅନ୍ଵେଷା ଯୋଜନା ବନ୍ଦ କରିଛି ଓଡିଶା ସରକାର l ପ୍ରାଇଭେଟ ଇଂଲିଶ ମିଡ଼ିଅମ ସ୍କୁଲରେ ମାଗଣାରେ ଆଦିବାସୀ ଛାତ୍ରଛାତ୍ରୀ ପଢ଼ିବା ପାଇଁ ପୂର୍ବପରି ଅନ୍ଵେଷା ଯୋଜନା ଲାଗୁ କରିବା। ସେହିପରି ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଆର୍ଥିକ ସହାୟତା ବନ୍ଦ କରିଛି କେନ୍ଦ୍ର ସରକାର l ଆଦିବାସୀ ଛାତ୍ରଛାତ୍ରୀ ବିଏସସି ନର୍ସିଙ୍ଗ ଓ ଜିଏନଏମ ପଢ଼ିବା ପାଇଁ ୫୦ ହଜାର ଆର୍ଥିକ ସହାୟତା ପୁନଃ ପ୍ରଦାନ, ଆଦିବାସୀ ହିତାଧିକାରୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ବନ୍ଦ କରିଛି ରାଜ୍ୟ ସରକାର l ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଜମି ଅଧିକାର ସତ୍ତ୍ୱ ଆଇନକୁ ଉଲ୍ଲଂଘନ କରି ପଟ୍ଟା ଦେବା ବନ୍ଦ କରିଛି ସରକାର l ଆଦିବାସୀ ନିର୍ଯାତନା ନିବାରଣ ଆଇନରେ ବର୍ତମାନ ସରକାର ଅପରାଧୀ ମାନଙ୍କୁ ଗିରଫ କରୁନାହିଁ କିମ୍ବା ପୀଡ଼ିତ ଆଦିବାସୀ ପରିବାରକୁ ଆର୍ଥିକ ସାହାଯ୍ୟ ଦିଆଯାଉନାହିଁ ବୋଲି ଆଦିବାସୀ ମାନେ ଉଦବେଗ ପ୍ରକାଶ କରିଥିଲେ l ସେହିପରି ଖଣି ଖଣିଜ ସମ୍ପଦ ନିୟନ୍ତ୍ରଣ ଆଇନରେ ଆଦିବାସୀ ବହୁଳ ଓଡିଶା ରାଜ୍ୟର ଜମି ଜଙ୍ଗଲ, ପାହାଡ଼ ପର୍ବତ ଡ଼ଙ୍ଗର, ନଦୀ ନାଳ ଝରଣା, ପ୍ରକୃତି ପରିବେଶ ଧ୍ବଂସ ହେବ l ଆଦିବାସୀ ଜୀବନ ଜୀବିକା ହରାଇବା ସହ ଆଦିବାସୀ ଅସ୍ମିତା ବିଲୋପ ହେବ l ଜମି ଜଙ୍ଗଲ ଖଣିଜ ସମ୍ପଦ ଅଧିକାରରୁ ଆଦିବାସୀ ସର୍ବହରା ହୋଇଯିବେ ବୋଲି ଆଦିବାସୀ କ୍ଷୋଭ ପ୍ରକାଶ କରିଥିଲେ l ସମାନ ନାଗରିକ ସଂହିତା ଦ୍ୱାରା ଆଦିବାସୀଙ୍କ ସ୍ୱତନ୍ତ୍ର ସଂସ୍କୃତି, ପ୍ରଥା ପରମ୍ପରା, ରୀତିନୀତି, ଦେବlଦେବୀ ପୂଜା ପଦ୍ଧତି, ଭାଷା ବୋଲି ଧର୍ମ ବିଲୁପ୍ତ ହେବ, ଆଦିବାସୀ ଅସ୍ମିତା ନିଶ୍ଚିହ୍ନ ହେବ ତେଣୁ ୟୁ ସି ସି କୁ କଡ଼ା ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା l ଆଦିବାସୀ ଜମି ବିକ୍ରି ବନ୍ଧକି ମାଧ୍ୟମରେ ଅଣ ଆଦିବାସୀଙ୍କୁ ହସ୍ତାନ୍ତର ପାଇଁ ଉପ ଜ଼ିଲ୍ଲାପାଳ ଅନୁମତିକୁ ସମ୍ପୂର୍ଣ ବନ୍ଦ କରିବାକୁ ଦାବୀ କରାଯାଇଥିଲା l ନକଲି ଆଦିବାସୀ ମାନଙ୍କ ଜାଲଜାତି ପ୍ରମାଣପତ୍ର ରଦ୍ଦ କରିବା ସହିତ ଚଞ୍ଚକତା ପୂର୍ବକ ଅନ୍ୟ ପଛୁଆ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ ତେଲେଙ୍ଗା ଜାତିର ଲୋକ କୋଣ୍ଡାଦୋରl ଆଦିବାସୀ ପ୍ରମାଣ ପତ୍ର ଦ୍ୱାରା ଚାକିରୀ କରୁଥିବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଥିଲା l
ସଭାରେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନଲତା ମାଝି, ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ବଲାଙ୍ଗିର ବ୍ଲକ ସଭାପତି ପାଳେଶ୍ୱର ଭୋଇ, ଲୋଇସିଂହା ବ୍ଲକ ସଭାପତି ଦଶରଥ ଛତ୍ରିଆ, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ମନରଞ୍ଜନ ଭୋଇ, ପାଟଣାଗଡ ବ୍ଲକ ସଭାପତି ଭୁବନେଶ୍ୱର କୁଅଁର, ବେଲପଡା ବ୍ଲକ ସଭାପତି ରସିକ ଧରୁଆ, ମୁରିବାହାଲ ସଭାପତି ରାଜୀବ କୁଅଁର, ତୁରେକେଲା ବ୍ଲକ ସଭାପତି ଚୌବନ କିଶୋର ମାଝି, ସଇଁତଲା ବ୍ଲକ ସଭାପତି ସନ୍ତୋଷ ପୁଟା, ଦେଓଗାଁ ବ୍ଲକ ସଭାପତି ସୁରଥ ଧରୁଆ, ଗୁଡ଼ଭେଲା ବ୍ଲକ ସମ୍ପାଦକ ବିକ୍ରମ ଭୋଇ, ସଂଗଠନ ସମ୍ପାଦକ ଥବିର ପୁଝାରୀ, ନଗର ସଭାପତି ନିତ୍ୟାନନ୍ଦ ମାଝି, ସହ ସମ୍ପାଦକ ଗିରିଧାରୀ ଭୋଇ, ମଧୁ ବିଶ୍ୱାଳ, ଧନିରାମ ଭୋଇ, ନାରୀନେତ୍ରୀ ଶ୍ରୀମତୀ ପତ୍ରଙ୍ଗି ମାଝି, ମାହେଶ୍ୱରୀ ମାଝି, ଶ୍ରୀମତୀ ଲକ୍ଷ୍ମୀ ଭୋଇ, ଶ୍ରୀମତୀ ସରସ୍ବତୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l ସାଧାରଣ ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା ସଭା ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ