ଭାଜପା କୋଲାବିରା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ : ସଂଗଠନ ସୁଦୃଢ଼ ସହ ଜନସମସ୍ୟା ସମାଧାନ ଉପରେ ଗୁରୁତ୍ଵ
Focus-on-strengthening-org-JHS
ସଂଗଠନ ସୁଦୃଢ଼ ସହ ଜନସମସ୍ୟା ସମାଧାନ ଉପରେ ଗୁରୁତ୍ୱ


ଝାରସୁଗୁଡ଼ା, ୪ ଅକ୍ଟୋବର (ହି.ସ.)- କୋଲାବିରା କୃଷି କାର୍ଯ୍ୟାଳୟ ନିକଟସ୍ଥ ବଗିଚା ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) କୋଲାବିରା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ରାଜେଶ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ ସଂଗଠନର ସୁଦୃଢ଼ୀକରଣ, ଆଗାମୀ କାର୍ଯ୍ୟପନ୍ଥା ଓ ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ବୈଠକରେ ବିଧାୟକ ତ୍ରିପାଠୀ ଦଳୀୟ କର୍ମକର୍ତ୍ତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ମତବିନିମୟ କରିଥିଲେ। ଭାଜପା ସଂଗଠନକୁ ଅଧିକ ଶକ୍ତିଶାଳୀ, କ୍ରିୟାଶୀଳ ଓ ଜନମୁଖୀ କରିବା ପାଇଁ ସମୂହ ପ୍ରୟାସ ଓ ନିଷ୍ଠାପର ଉଦ୍ୟମ ଆବଶ୍ୟକ ବୋଲି ସେ କହିଥିଲେ। ଏଥିସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଯେପରି ଲୋକଙ୍କ ନିକଟରେ ପହଞ୍ଚିପାରିବ, ସେଥିପାଇଁ କର୍ମୀମାନେ ସକ୍ରିୟ ଭୂମିକା ନେବାକୁ ସେ ପରାମର୍ଶ ଦେଇଥିଲେ।

ବୈଠକରେ ମଣ୍ଡଳ ଉପସଭାପତି ସଞ୍ଜୟ ପୂଜାରୀ, ସମ୍ପାଦକ ଲିଙ୍କନ ଟଣ୍ଡକାର, ଜମିଦାର ବୀର ଅମରେନ୍ଦ୍ର ପ୍ରତାପ ସିଂ, ସାଂସଦ ପ୍ରତିନିଧି ସମରେନ୍ଦ୍ର ରାୟ, ଝିର୍ଲାପାଲି ସରପଞ୍ଚ ତିଲୋତ୍ତମା ଛଞ୍ଚାଣ, ସୌଦାମିନୀ କାଲୋଙ୍କ ସମେତ ଶତାଧିକ ଦଳୀୟ ନେତା, କର୍ମକର୍ତ୍ତା ଓ ସମର୍ଥକ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande