ଝାରସୁଗୁଡ଼ାରେ ପ୍ରଥମ ଗଣେଶ ପୂଜା ପୁରସ୍କାର : ହାଉସିଂ ବୋର୍ଡ କଲୋନୀକୁ ଶ୍ରେଷ୍ଠ ପୂଜା ମଣ୍ଡପ ସମ୍ମାନ, ରାଧାମାଧବ ମନ୍ଦିରକୁ ଶ୍ରେଷ୍ଠ ମୂର୍ତ୍ତି ପୁରସ୍କାର
Ganesh Puja Award in Jharsuguda
ଝାରସୁଗୁଡ଼ାରେ ପ୍ରଥମ ଗଣେଶ ପୂଜା ପୁରସ୍କାର


ଝାରସୁଗୁଡ଼ା, ୪ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ାରେ ପ୍ରଥମଥର ପାଇଁ ଆୟୋଜିତ ‘ଝାରସୁଗୁଡ଼ା ଗଣେଶ ପୂଜା ପୁରସ୍କାର-୨୦୨୬’ର ଫଳାଫଳ ଘୋଷିତ ହୋଇଛି। ହାଉସିଂ ବୋର୍ଡ କଲୋନୀ ଗଣେଶ ପୂଜା କମିଟି ଶ୍ରେଷ୍ଠ ମଣ୍ଡପ ଓ ସାଜସଜ୍ଜା ବର୍ଗରେ ବିଜେତା ହୋଇଥିବା ବେଳେ ପୁରୁଣାବସ୍ତିର ରାଧାମାଧବ ମନ୍ଦିର ଗଣେଶ ପୂଜା କମିଟି ଶ୍ରେଷ୍ଠ ଗଣେଶ ମୂର୍ତ୍ତି ବର୍ଗରେ ବିଜୟୀ ହୋଇଛି।

ବେହେରାମାଲସ୍ଥିତ ଏମ୍ସିଏଲ୍ ଅଡିଟୋରିୟମ୍ ରେ ଏକ ଭବ୍ୟ ସାଂସ୍କୃତିକ ଓ ପୁରସ୍କାର ବିତରଣ ସମାରୋହରେ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଏବଂ ଝାରସୁଗୁଡ଼ା ଏସ୍ପି ଜି.ଆର୍. ରାଘବେନ୍ଦ୍ର, ଆଇପିଏସ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସିଦ୍ଧାର୍ଥ ଆୱାସ୍ଥୀ, ରିତେଶ ଶର୍ମା ଓ କୃଷ୍ଣ ମୁନ୍ଦ୍ରାଙ୍କୁ ନେଇ ଗଠିତ ଝାରସୁଗୁଡ଼ା ପୂଜା ପୁରସ୍କାର କମିଟି ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଅନଲାଇନ୍ ଭୋଟିଂ ମାଧ୍ୟମରେ ତିନିଟି ପ୍ରମୁଖ ବର୍ଗରେ ବିଜେତା ଚୟନ କରାଯାଇଥିଲା। ମୋଟ ୬୬,୯୬୩ ଭୋଟ ପଡ଼ିଥିବା ବେଳେ ୨୩,୭୭୨ ଜଣ ଲୋକ ଭୋଟିଂରେ ଅଂଶଗ୍ରହଣ କରିଥିଲେ। ଶ୍ରେଷ୍ଠ ମଣ୍ଡପ ଓ ସାଜସଜ୍ଜା ବର୍ଗରେ ହାଉସିଂ ବୋର୍ଡ କଲୋନୀ ପୂଜା କମିଟିକୁ ୩୧ ହଜାର ଟଙ୍କା ଏବଂ ପୁରୁଣାବସ୍ତିର ଶ୍ରୀଶ୍ରୀ ଗଣେଶ ପୂଜା କମିଟିକୁ ରନର୍ସଅପ୍ ଭାବେ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଶ୍ରୀଶ୍ରୀ ଗଣେଶ ପୂଜା କମିଟି ପକ୍ଷରୁ ତିରୁପତି ମନ୍ଦିର ଥିମ୍ ରେ ମଣ୍ଡପ ନିର୍ମାଣ କରାଯାଇଥିଲା। ଶ୍ରେଷ୍ଠ ଗଣେଶ ମୂର୍ତ୍ତି ବର୍ଗରେ ରାଧାମାଧବ ମନ୍ଦିର ଗଣେଶ ପୂଜା କମିଟି ୨୧ ହଜାର ଟଙ୍କାର ପ୍ରଥମ ପୁରସ୍କାର ହାସଲ କରିଥିବା ବେଳେ ବିଟିଏମ୍ ର ବ୍ରଦର୍ସ କ୍ଲବ୍ ୧୧ ହଜାର ଟଙ୍କାର ରନର୍ସଅପ୍ ପୁରସ୍କାର ପାଇଥିଲା।

ସେହିପରି ସ୍ୱଚ୍ଛ ଓ ଶୃଙ୍ଖଳିତ ମଣ୍ଡପ ବର୍ଗରେ ମଙ୍ଗଳବଜାରର ଶିବଶକ୍ତି ନବଯୁବକ ସଂଘ ପ୍ରଥମ ହୋଇ ୧୧ ହଜାର ଟଙ୍କା ପାଇଥିବା ବେଳେ କାଳୀମନ୍ଦିରର ବିଘ୍ନହର୍ତ୍ତା କ୍ଲବ୍ କୁ ୫,୧୦୦ ଟଙ୍କାର ଦ୍ୱିତୀୟ ପୁରସ୍କାର ମିଳିଥିଲା। ଶ୍ରେଷ୍ଠ ବିସର୍ଜନ ବର୍ଗରେ ବୁରୋମାଲର ଡିଏକ୍ସ କ୍ଲବ୍ ଓ ପୁରୁଣାବସ୍ତିର ଶ୍ରୀଶ୍ରୀ ଗଣେଶ ପୂଜା କମିଟି ଯୁଗ୍ମ ବିଜେତା ହୋଇଥିଲେ। ଉଭୟ କମିଟିକୁ ୧୧ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଥିଲା।

ଏହା ବ୍ୟତୀତ ୭ଟି ସ୍ୱତନ୍ତ୍ର ଜୁରି ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ପୁରସ୍କାରର ମୂଲ୍ୟ ୫,୧୦୦ ଟଙ୍କା ଥିଲା। ରାଧାମାଧବ ଗଣେଶ ପୂଜା କମିଟି, ବିବେକାନନ୍ଦ କ୍ଲବ୍, ବୃନ୍ଦାବନ ଯୁବଶକ୍ତି କ୍ଲବ୍ ଓ ଥାନା ଛକ୍ କେ ରାଜାଙ୍କୁ ସୃଜନଶୀଳ ମଣ୍ଡପ ପାଇଁ ସମ୍ମାନିତ କରାଯାଇଥିଲା। ଜୟ ମାତା ଦି କ୍ଲବ୍, ଦ କିଙ୍ଗ୍ ଅଫ୍ ମଙ୍ଗଳବଜାର-ଷ୍ଟାର କ୍ଲବ୍ ଏବଂ ଶ୍ରୀ ସିଂହବାହିନୀ ଗଣେଶ ପୂଜା ଅନୁଷ୍ଠାନକୁ ସୃଜନଶୀଳ ଗଣେଶ ମୂର୍ତ୍ତି ପାଇଁ ପୁରସ୍କୃତ କରାଯାଇଥିଲା। ତିନିଟି ପ୍ରମୁଖ ବର୍ଗର ସମୁଦାୟ ଭୋଟ ହିସାବରେ ହାଉସିଂ ବୋର୍ଡ ଗଣେଶ ପୂଜା କମିଟି ସର୍ବାଧିକ ୧୩,୨୩୦ ଭୋଟ ପାଇ ପ୍ରଥମ ସ୍ଥାନରେ ରହିଥିଲା। ରାଧାମାଧବ ମନ୍ଦିର ଗଣେଶ ପୂଜା କମିଟି ୧୩,୧୬୩ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲା। ଶ୍ରୀଶ୍ରୀ ଗଣେଶ ପୂଜା କମିଟି ୬,୪୪୦, ବ୍ରଦର୍ସ କ୍ଲବ୍ ୬,୦୨୦ ଏବଂ ଡିଏକ୍ସ କ୍ଲବ୍ ୫,୬୦୯ ଭୋଟ ପାଇଥିଲେ। ସମାରୋହର ଏକ ଭାବବିହ୍ୱଳ ମୁହୂର୍ତ୍ତରେ ରାଧାମାଧବ ମନ୍ଦିର ଗଣେଶ ପୂଜା କମିଟି ନିଜର ୨୧ ହଜାର ଟଙ୍କାର ସମ୍ପୂର୍ଣ୍ଣ ପୁରସ୍କାର ରାଶି ଯାଜପୁରର ଚିକିତ୍ସାଧୀନ ଶିଶୁ ତ୍ରିଶାଙ୍କ ଚିକିତ୍ସା ପାଇଁ ଦାନ କରିଥିଲେ। ଶିଶୁଟିର ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ରହିଛି। ଗଣେଶ ପୂଜା ଓ ବିସର୍ଜନ ସମୟରେ ଶାନ୍ତିଶୃଙ୍ଖଳା ଏବଂ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଝାରସୁଗୁଡ଼ା ଜିଲ୍ଲା ପୁଲିସକୁ ମଧ୍ୟ ସମାରୋହରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍, ଅମନ ଚାଟାର୍ଜୀ, ରୁବି’ସ ନାଟ୍ୟମ୍ ଡ୍ୟାନ୍ସ ଏକାଡେମୀ ଓ ବୃନ୍ଦାବନ ଷ୍ଟୁଡିଓ ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ ପରିବେଷଣ ହୋଇଥିଲା। ଜୟନ୍ତ ନନ୍ଦ ଓ ଅଧ୍ୟାପିକା ସୁଚିସ୍ମିତା ଗୁରୁ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ଝାରସୁଗୁଡ଼ା ପୌରପାଳିକା ଉପାଧ୍ୟକ୍ଷ ରାଜୁ ପାଣିଗ୍ରାହୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ସମାରୋହରେ ଉପସ୍ଥିତ ଥିଲେ। ବ୍ରାହ୍ମଣ ମହିଳା ସମିତି, ଜେସିଆଇ ଆଚିଭର୍ସ ଓ ରୋଟାରି କ୍ଲବ୍ ଅଫ୍ ଝାରସୁଗୁଡ଼ା ଗ୍ରୀନ୍ ସମେତ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟମାନେ ମଧ୍ୟ ଯୋଗଦେଇଥିଲେ।

ଆୟୋଜକଙ୍କ କହିବା ଅନୁଯାୟୀ, ଝାରସୁଗୁଡ଼ାର ପାରମ୍ପରିକ ଉତ୍ସବ ସଂସ୍କୃତିକୁ ଆହୁରି ପ୍ରୋତ୍ସାହିତ କରିବା, ପୂଜା କମିଟିଗୁଡ଼ିକ ମଧ୍ୟରେ ସୃଜନଶୀଳତା, ପରିଚ୍ଛନ୍ନତା ଓ ଶୃଙ୍ଖଳାକୁ ଉତ୍ସାହିତ କରିବା ସହ ଜନସାଧାରଣଙ୍କ ସ୍ୱଚ୍ଛ ଓ ସ୍ୱଚ୍ଛନ୍ଦ ଅଂଶଗ୍ରହଣ ପାଇଁ ଏହି ପୁରସ୍କାରର ପରିକଳ୍ପନା କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande