ଝାରସୁଗୁଡ଼ା ଜମି ଅନିୟମିତତା : ଆରଡିସିଙ୍କ ୪ ଜଣିଆ ତଦନ୍ତ କମିଟି
Land-Irregularities-RDC-JHS
ଝାରସୁଗୁଡ଼ା ଜମି ଅନିୟମିତତା : ଆରଡିସିଙ୍କ ୪ ଜଣିଆ ତଦନ୍ତ କମିଟି


ଝାରସୁଗୁଡ଼ା, ୪ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲାରେ ସରକାରୀ ଜମିର କଥିତ ବେଆଇନ ମ୍ୟୁଟେସନ୍, ଅନୁସୂଚିତ ଜାତି (ଏସ୍ସି) ଓ ଅନୁସୂଚିତ ଜନଜାତି (ଏସ୍ଟି) ବର୍ଗର ଜମି ନିୟମବିରୋଧୀ ହସ୍ତାନ୍ତର ଏବଂ ଜମି ସମ୍ପର୍କିତ ଅନୁମତି ପ୍ରଦାନରେ ଅନିୟମିତତା ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ଏନେଇ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ କମିଶନର (ଆର୍ଡିସି) ୨୯ ସେପ୍ଟେମ୍ବରରେ ୪ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି।

ଝାରସୁଗୁଡ଼ା ଜିଲାପାଳଙ୍କ ୩ ଅଗଷ୍ଟ ୨୦୨୬ର ପତ୍ର ଏବଂ ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘର ସଭାପତି ସତ୍ୟନାରାୟଣ ରାଓଙ୍କ ୧୧ ସେପ୍ଟେମ୍ବରର ଅଭିଯୋଗକୁ ଆଧାର କରି ଏହି ପଦକ୍ଷେପ ନିଆଯାଇଛି। ବିଶେଷକରି ମ୍ୟୁଟେସନ୍ କେସ୍ ନମ୍ବର ୫୯୫୦/୨୦୨୩ ଓ ୮୩୪୬/୨୦୨୩ ଏବେ ତଦନ୍ତର ମୁଖ୍ୟ କେନ୍ଦ୍ରରେ ରହିଛି।

ଅଭିଯୋଗ ଅନୁଯାୟୀ, ଉକ୍ତ ଦୁଇ ମାମଲାରେ ସରକାରୀ ଜମିର ମ୍ୟୁଟେସନ୍ ରେ ନିୟମ ଉଲ୍ଲଂଘନ ହୋଇଥିବା ସହ ଏସ୍ସି/ଏସ୍ଟି ବର୍ଗର ଜମି ହସ୍ତାନ୍ତରରେ ମଧ୍ୟ ଅନିୟମିତତା ହୋଇଛି। ଏଥିରେ ଜିଲାର ପୂର୍ବତନ ଓ ବର୍ତ୍ତମାନର କେତେକ ରାଜସ୍ବ ଅଧିକାରୀଙ୍କ ସମ୍ଭାବ୍ୟ ସମ୍ପୃକ୍ତି ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ତଦନ୍ତ ଶେଷ ହେବା ପରେ ହିଁ ଅଭିଯୋଗର ସତ୍ୟାସତ୍ୟ ସ୍ପଷ୍ଟ ହେବ। ଆର୍ଡିସିଙ୍କ ନିର୍ଦ୍ଦେଶକ୍ରମେ ଗଠିତ କମିଟିର ଅଧ୍ୟକ୍ଷ ଭାବେ ଉତ୍ତରାଞ୍ଚଳ ଆର୍ଡିସିଙ୍କ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି। ଅନୁଗୋଳ ଅତିରିକ୍ତ ଜିଲାପାଳ (ରାଜସ୍ବ), ସମ୍ବଲପୁର ଅତିରିକ୍ତ ଜିଲାପାଳ (ରାଜସ୍ବ) ଏବଂ ସମ୍ବଲପୁର ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ଅଫ୍ ରେଜିଷ୍ଟ୍ରେସନ୍ଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି।

କମିଟି ଗଠନ ତାରିଖ ଠାରୁ ଦୁଇ ମାସ ମଧ୍ୟରେ ତଦନ୍ତ ଶେଷ କରି ଆର୍ଡିସିଙ୍କ ନିକଟରେ ରିପୋର୍ଟ ଓ ସୁପାରିଶ ଦାଖଲ କରିବ। ତଦନ୍ତରେ ଆବଶ୍ୟକ ସହଯୋଗ ଯୋଗାଇବାକୁ ଝାରସୁଗୁଡ଼ା ଜିଲାପାଳ, ଅତିରିକ୍ତ ଜିଲାପାଳ, ଉପଜିଲାପାଳ, ତହସିଲଦାର ଓ ଜିଲା ସବ୍-ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କମିଟି ଆବଶ୍ୟକ କଲେ ଜମିର ମୂଳ ରେକର୍ଡ, ରେଜିଷ୍ଟର, କେସ୍ ଫାଇଲ୍, ଆବେଦନପତ୍ର, ଚିଠିପତ୍ର ଓ ସମ୍ପୃକ୍ତ ରେଜିଷ୍ଟ୍ରି ଦଲିଲ୍ ଯୋଗାଇଦେବାକୁ କୁହାଯାଇଛି। ଏଥିସହ ସମ୍ପୃକ୍ତ ପକ୍ଷଙ୍କୁ ଶୁଣାଣି ଓ ଦଲିଲ୍ ଦାଖଲର ସୁଯୋଗ ମଧ୍ୟ ଦିଆଯିବ।

ଅନ୍ୟପକ୍ଷରେ, ଝାରସୁଗୁଡ଼ାରେ ଜମି ଅନିୟମିତତା ଅଭିଯୋଗ ମଧ୍ୟରେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ମଧ୍ୟ ଚର୍ଚ୍ଚାରେ ରହିଛି। ସମ୍ବଲପୁରରେ ରାଜସ୍ବ ବିଭାଗର ସମୀକ୍ଷା ବୈଠକରେ ସେ ଅଧିକାରୀମାନଙ୍କୁ ସ୍ୱଚ୍ଛତା ଓ ସଜାଗତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହ ଦୁର୍ନୀତିରେ ସମ୍ପୃକ୍ତତା ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲେ। ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ମାପିବାକୁ ‘ପରଫର୍ମାନ୍ସ ରିପୋର୍ଟ କାର୍ଡ’ ପ୍ରସ୍ତୁତ କରିବାକୁ ମଧ୍ୟ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ଜମି ରେଜିଷ୍ଟ୍ରେସନ୍ ଓ ମ୍ୟୁଟେସନ୍ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବା ଲକ୍ଷ୍ୟରେ ସିସି କ୍ୟାମେରା ଆଧାରିତ ସ୍ମାର୍ଟ ସର୍ଭେଲାନ୍ସ, ତହସିଲ ଓ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟର ଆଧୁନିକୀକରଣ ଏବଂ ଭୂଦାନ ଜମିର ଡିଜିଟାଇଜେସନ୍ ଭଳି ପଦକ୍ଷେପ ନିଆଯାଉଛି। ଏଭଳି ପରିସ୍ଥିତିରେ ଆର୍ଡିସିଙ୍କ ତଦନ୍ତ ରିପୋର୍ଟକୁ ନେଇ ଏବେ ନଜର ରହିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande