
ମାଲକାନଗିରି, ୪ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ପୁଷୁଗୁଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଟିଙ୍କୁ ଆଦିତ୍ୟଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ରବିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ସୂଚନା ଅନୁସାରେ, ଶ୍ରୀମତୀ ଆଦିତ୍ୟ ୦୧-୦୨-୧୯୮୮ ମସିହାରେ ପ୍ରଥମ ଥର ପାଇଁ ଶିକ୍ଷୟିତ୍ରୀ ଭାବେ ଚାକିରିରେ ଯୋଗ ଦେଇଥିଲେ । ସେ ମାଲକାନଗିରି ଜିଲ୍ଲାରେ ଦୀର୍ଘ ୩୮ ବର୍ଷ ୩ ମାସ ଧରି ନିଷ୍ଠା, ଆନ୍ତରିକତା ଓ ସମର୍ପଣ ଭାବ ସହ ଶିକ୍ଷାଦାନ କରିଛନ୍ତି । ତାଙ୍କ ଶିକ୍ଷାଦାନ କାଳରେ ବହୁ ଛାତ୍ରଛାତ୍ରୀ ନବୋଦୟ ଓ ଆଦର୍ଶ ବିଦ୍ୟାଳୟରେ କୃତକାର୍ଯ୍ୟ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ୨୦୨୨ ମସିହାରୁ ସେ ପୁଷୁଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ସେ ଜଣେ ନିଷ୍ଠାପର, ମେଳାପୀ ଓ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ସମସ୍ତଙ୍କ ପ୍ରିୟ ଥିଲେ ।
ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀଙ୍କ ଦ୍ୱାରା ତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପଢୌକନ ଦେଇ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ କାଲିମେଳା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ରମେଶ ବାରୋଇ ଯୋଗଦେଇ ତାଙ୍କର ଶିକ୍ଷା କ୍ଷେତ୍ରର ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ବିଆରସି, ସିଆରସିସି, ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ, ଏସଏମସି କମିଟି ସଦସ୍ୟ ଓ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ