
ଝାରସୁଗୁଡ଼ା, ୪ ଅକ୍ଟୋବର (ହି.ସ.)- ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ପାଳନ କରାଯାଉଥିବା ସେବା ପକ୍ଷ ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସେବାମୂଳକ କାର୍ଯ୍ୟକ୍ରମ ଜାରି ରହିଛି। ଏହି କ୍ରମରେ ରବିବାର ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରଥମେ ଝାଡ଼େଶ୍ୱର ମନ୍ଦିରରେ ପୂଜା କରିବା ସହ ମନ୍ଦିର ପରିସରରେ ବୃକ୍ଷ ରୋପଣ କରିଥିଲେ। ପରେ ପୌରପରିଷଦ ଅନ୍ତର୍ଗତ ପୁରୁଣାବସ୍ତି ଏମପିଏଲ ହାଇସ୍କୁଲରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇଥିଲେ। ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିବିର ପରିଦର୍ଶନ କରିବା ସହ ସେବାକାରୀଙ୍କୁ ଉତ୍ସାହିତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ ସ୍ଥାନୀୟ ଲୋକ ସ୍ୱତଃପ୍ରବୃତ୍ତ ଭାବେ ଏଥିରେ ଯୋଗଦାନ କରି ସେବା ଯୋଗାଇ ଦେଉଛନ୍ତି ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ। ଏହାସହ ଅଂଚଳର ଗରିବ ସାଧାରଣ ଜନତାଙ୍କ ନିକଟରେ ସ୍ୱାସ୍ଥ୍ୟ ସେବାକୁ ପହଂଚାଇବା ଏହି ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଧାୟକ ମତ ରଖିଥିଲେ। ଅନୁଷ୍ଠିତ ସ୍ୱାସ୍ଥ୍ୟ ଶିବିରରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଶିଶୁ ବିଭାଗ ଡାକ୍ତର ବି. ଏନ. କଶ୍ୟପ, ମେଡ଼ିସିନ ବିଭାଗ ଡାକ୍ତର ଶିବ ପ୍ରସାଦ ଶତପଥି ଏବଂ ସଂଜୀବନୀ ହସ୍ପିଟାଲ ର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଡେନ୍ସି ପଟେଲ ଓ ଡାକ୍ତର ବିଶ୍ୱାକେଶ ସାମନ୍ତରାୟ ପ୍ରମୁଖ ବିଶେଷଜ୍ଞ ଡାକ୍ତର ମାଗଣାରେ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଶିବିରରେ ମୋଟ ୧୦୨ ଜଣ ରୋଗୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା।
ସେହିପରି ମହାନଦୀ ନେତ୍ର ଚିକିତ୍ସାଳୟ ପକ୍ଷରୁ ଡାକ୍ତର ଜୟରାମ ମେହେର ଉପସ୍ଥିତ ରହି ୧୫୦ ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେଥି ମଧ୍ୟରୁ ୫୦ ଜଣଙ୍କୁ ମାଗଣା ଚଷମା ବଣ୍ଟନ କରାଯାଇଥିଲା। ଏହାସହ ୪୫ ଜଣ ରୋଗୀଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ରେଜିଷ୍ଟ୍ରସନ କରାଯାଇଥିଲା I ଯେଉଁ ରୋଗୀ ମାନଙ୍କର ଆଗାମୀ ଦିନରେ ଅସ୍ତ୍ରୋପଚାର ମାଗଣାରେ କରାଯିବ। ସ୍ୱାସ୍ଥ୍ୟ ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ବିମଳେନ୍ଦୁ ଭୋଳ, ରାଜେନ୍ଦ୍ର ସା, ଅନମୋଲ ମାଲହୋତ୍ର, ମମତା ପଟେଲ, ମୁନକୁ ପାଣ୍ଡେ, ରୁବି ମହାନ୍ତି, ଯୋଶୀଳା ମାଝୀ, ବିବେକ ଶ୍ରୀବାସ, ସୁବ୍ରତ ସରାଫ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ସହଯୋଗ କରିଥିଲେ I ଏହି ଶିବିରରେ ପୁରୁଣାବସ୍ତି ତଥା ଆଖପାଖ ଅଂଚଳର ଲୋକେ ମଧ୍ୟ ନିଜର ଚିକିତ୍ସା କରାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ